ନୂଆଦିଲ୍ଲୀ: ଇ-ସିଗାରେଟ୍ ଟାଣି ବେଶ ଚର୍ଚ୍ଚାରେ ରହିଥିଲେ ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିୟାନ ପରାଗ । ଚଳିତ ସିଜିନ ଆରମ୍ଭରୁ ଫ୍ଲପ୍ ହୋଇ ଆସୁଥିବା ପରାଗଙ୍କୁ ନେଇ ଟ୍ରୋଲ ମଧ୍ୟ କରାଯାଉଥିଲା । ଆଉ ଇ-ସିଗାରେଟ୍ ଟାଣିବା ଘଟଣାରେ ତାଙ୍କୁ ଦଣ୍ଡିତ କରିଛି ବିସିସିଆଇ । ୨୫ ପ୍ରତିଶତ ମ୍ୟାଚ୍ ଫି’ କାଟିବା ପାଇଁ ଘୋଷଣା କରାଯାଇଛି । ଆଉ ଏହି ଦଣ୍ଡ ଘୋଷଣା ହେବାର ପରବର୍ତ୍ତୀ ମ୍ୟାଚରେ ଗର୍ଜିଛି ପରାଗଙ୍କ ବ୍ୟାଟ୍ ।
ଶୁକ୍ରବାର ଦିଲ୍ଲୀ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ପରାଗ । ୩୨ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହ ସେ ୫୦ ବଲରୁ ୯୦ ରନର ପାଳି ଖେଳିଛନ୍ତି । ଏହି ପାଳିରେ ୮ ଚୌକା ଏବଂ ୫ ଛକା ରହିଛି । ଦିଲ୍ଲୀ ବୋଲରଙ୍କୁ ଧୂଳି ଚଟାଇଥିଲେ ପରାଗ । ଛକା ଚୌକା ମାରି ଦଳୀ ସ୍କୋରକୁ ବଢ଼ାଇଥିଲେ । ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜୟସ୍ବାଲ ଏବଂ ସୂର୍ଯ୍ୟବଂଶୀ ଫ୍ଲପ୍ ହେବା ପରେ ମଧ୍ୟ ଅଟକି ନଥିଲା ପରାଗଙ୍କ ବ୍ୟାଟ୍ । ଧ୍ରୁବ ଜୁରେଲଙ୍କ ସହ ଶତକୀୟ ପାର୍ଟନରସିପ ମଧ୍ୟ କରିବାରେ ସଫଳ ହୋଇଥିଲେ ପରାଗ ।
ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ୍ ପଡ଼ିବା ପରେ ରିୟାନ ପରାଗ କ୍ରିଜ୍ କୁ ଆସିଥିଲେ। ସେ ଆସିବା ମାତ୍ରେ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ସେ କାଇଲ୍ ଜାମିସନ୍ ଙ୍କ ଓଭରରେ ଦୁଇଟି ଛକା ଏବଂ ଗୋଟିଏ ଚୌକା ମାରିଥିଲେ। ତା’ପରେ ପରାଗ ଅକ୍ଷର ପଟେଲଙ୍କ ଓଭରରେ ଲଗାତାର ଦୁଇଟି ଛକା ମାରିଥିଲେ। ସେ ନଟରାଜନଙ୍କ ବଲ୍ ରେ ଏକ ଚମତ୍କାର ଛକା ମଧ୍ୟ ମାରିଥିଲେ, ଯାହା ଟେନିସ୍ ସଟ୍ ପରି ଥିଲା । ଅନେକ ପୂର୍ବତନ କ୍ରିକେଟର ପରାଗଙ୍କ ଇନିଂସକୁ ପ୍ରଶଂସା କରିଥିଲେ। ଆର. ଅଶ୍ୱିନ ତାଙ୍କୁ ଜଣେ ସ୍ୱତନ୍ତ୍ର ଖେଳାଳି ବୋଲି କହିଥିଲେ । ଇରଫାନ୍ ପଠାନ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ ।
ଏହାସହ ପଢ଼ନ୍ତୁ : ବୈଭବ ଫ୍ଳପ୍, ଗର୍ଜିଲା ରିୟାନ ପରାଗଙ୍କ ବ୍ୟାଟ୍; ଦିଲ୍ଲୀକୁ ୨୨୬ ରନର ଟାର୍ଗେଟ ଦେଲା ରାଜସ୍ଥାନ