PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନୂତନ ସଂସଦ ଭବନ ଉଦଘାଟନକୁ ବୟକଟ୍‌ କଲା TMC: ସାଂସଦ କହିଲେ, ‘ପ୍ରଧାନମନ୍ତ୍ରୀ ଭାବୁଛନ୍ତି ମୁଁ, ମୁଁ, କେବଳ ମୁଁ’

ନୂଆଦିଲ୍ଲୀ ୨୩/ ୦୫: ଦେଶର ନୂତନ ସଂସଦ ଭବନ କାର୍ଯ୍ୟ ଶେଷ ହୋଇସାରିଛି । ଆସନ୍ତା ମେ ୨୮ ତାରିଖରେ ସଂସଦ ଭବନ ଉଦଘାଟନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ କେଁ ପୂରାଇଛି ତୃଣମୂଳ କଂଗ୍ରେସ । ନୂତନ ସଂସଦ ଭବନ ଉଦଘାଟନକୁ ବୟକଟ୍‌ କରିଛି ଟିଏମ୍‌ସି । ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ଦଳର ଅନ୍ୟ କୌଣସି ସଂସଦ ଉଦଘାଟନ ଉତ୍ସବରେ ସାମିଲ ହେବେ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍‌ କରି ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଡେରେକ୍‌ ଓ’ବ୍ରାଏନ୍‌ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂସଦ ଉଦଘାଟନ ହେଉଛି ପୂରାପୂରି ଭାବେ ମୁଁ, ମୁଁ, କେବଳ ମୁଁ । ତେଣୁ ଆମେ ନଯିବା ହିଁ ଶ୍ରେୟସ୍କର ଭାବୁଛୁ’। ସଂସଦ କେବଳ ଗୋଟିଏ ବିଲ୍ଡିଂ ନୁହେଁ, ଏହା ପୁରୁଣା ପରମ୍ପରାର ଏକ ପ୍ରତିଷ୍ଠାନ । ଭାରତୀୟ ଗଣତନ୍ତ୍ରର ଏହା ମୂଳଦୁଆ । କିନ୍ତୁ ପ୍ରଧାନମନ୍ତ୍ରୀ ଏହା ଜାଣିପାରୁ ନାହାନ୍ତି’।

ସୂଚନା ଯେ, ମେ ୨୮ ତାରିଖରେ ନୂତନ ଭାବେ ନିର୍ମିତ ଭବ୍ୟ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଗୃହରେ ପ୍ରାୟ ୧୨ଶହ ସାଂସଦଙ୍କ ବସିବା ଭଳି ସିଟ୍‌ ତିଆରି କରାଯାଇଛି । ଗତ ମେ ୧୮ ତାରିଖରେ ବାଚସ୍ପତି ଓମ୍‌ ବିର୍ଲା, ପିଏମ୍‌ ମୋଦିଙ୍କୁ ସାକ୍ଷାତ କରିବା ସହିତ ନୂତନ ସଂସଦ ଭବନ ଉଦଘାଟନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବିରୋଧି ଏହାକୁ ସଜହରେ ଗ୍ରହଣ କରିପାରୁ ନାହାନ୍ତି । ବିରୋଧି ସଦସ୍ୟଙ୍କ କହିବାନୁଯାୟୀ, ସଂସଦର ମୁଖ୍ୟ ଏହାକୁ ଉଦଘାଟନ କରିବା, ସରକାରଙ୍କ ମୁଖ୍ୟ ନୁହେଁ’।