ଆଜି ପଞ୍ଚମ ଦିନିକିଆ: ରୋହିତ ବାହିନୀ ପାଇଁ ସୁଇଂ ଚ୍ୟାଲେଞ୍ଜ

ୱିଲିଂଟନ,୨ା୨(ଏଜେନ୍ସି): ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆସନ୍ତାକାଲି ଖେଳାଯିବ ପଞ୍ଚମ ଦିନିକିଆ । ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଏଥର ଅସଲ ଦକ୍ଷତା ପ୍ରମାଣିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ ପୁଣି ଥରେ ସୁଇଂ ବୋଲିଂର ଯାଦୁ ଦେଖାଇବାକୁ ପ୍ରସ୍ତୁତ । ହାମିଲଟନ୍ ଭଳି ଆସନ୍ତାକାଲି ମଧ୍ୟ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସୁଇଂ ପରୀକ୍ଷାରେ ଅବତ୍ତୀର୍ଣ୍ଣ ହେବାକୁ ଯାଉଛି । ୱେଷ୍ଟ ପ୍ୟାକ୍ ଷ୍ଟାଡିୟମ୍ର ପିଚ୍ରେ ପେସ୍ ବୋଲରମାନେ ଭରପୁର ଫାଇଦା ଉଠାଇ ପାରିବେ ।
ନ୍ୟୁଜିଲାଣ୍ଡର ପରାଜୟ ଚିନ୍ତା: ୱେଷ୍ଟପ୍ୟାଚ୍ ଷ୍ଟାଡିୟମ୍ ସର୍ବଦା ପେସ୍ ବୋଲରଙ୍କୁ ସହାୟତା କରିଆସିଛି । ଏଠାକାର ପିଚ୍ ସୁଇଂ ବୋଲରଙ୍କ ପାଇଁ ସ୍ୱର୍ଗ । ତଥାପି ନ୍ୟୁଜିଲାଣ୍ଡ ଉତ୍ସାହିତ ନୁହେଁ । ଏଠାକାର ରେକର୍ଡ ଘରୋଇ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଏଠାରେ ନ୍ୟୁଜିଲାଣ୍ଡ ଖେଳିଥିବା ଶେଷ ୩ଟି ମ୍ୟାଚ୍ରେ ପରାଜିତ ହୋଇଛି ।
ଧୋନି ଫେରିବେ: ଟିମ୍ ଇଣ୍ଡିଆର ସବୁଠୁ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନି ଆସନ୍ତାକାଲି ଏକାଦଶକୁ ଫେରିବା ଏକ ପ୍ରକାର ନିଶ୍ଚିତ । ଆହତ ସମସ୍ୟା ଯୋଗୁଁ ସେ ତୃତୀୟ ଓ ଚତୁର୍ଥ ଦିନିକିଆରେ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ୱିକେଟ୍ କିପିଙ୍ଗ୍ ଦାୟିତ୍ୱ ସମ୍ଭାଳିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ।
ଗୁପତିଲ ଆହତ: ନ୍ୟୁଜିଲାଣ୍ଡର ଅଭିଜ୍ଞ ଓପନର ମାର୍ଟିନ ଗୁପତିଲ ଆସନ୍ତାକାଲି ଖେଳିବେ ନାହିଁ । ଆଜି ଅଭ୍ୟାସ ବେଳେ ସେ ଆହତ ହୋଇଛନ୍ତି । ଫଳରେ ତାଙ୍କ ସ୍ଥାନରେ କଲିନ୍ ମନ୍ରୋ ଏକାଦଶକୁ ଫେରିବା ନିଶ୍ଚିତ । ଚତୁର୍ଥ ଦିନିକିଆରୁ ମନ୍ରୋଙ୍କୁ ବାଦ ଦିଆଯାଇଥିଲା । ତାଙ୍କ ସ୍ଥାନରେ ହେନୀ ନିକୋଲାସ୍ ପାଳି ଆରମ୍ଭ କରିଥିଲେ । ଆସନ୍ତାକାଲି ମନ୍ରୋ ଓ ନିକୋଲାସ୍ ଓପନିଂ ବିଭାଗ ସମ୍ଭାଳିବେ ।
ନଜରରେ ପେସ ବୋଲର: ୱେଷ୍ଟ ପ୍ୟାକ୍ ଷ୍ଟାଡିୟମ୍ର ପିଚ୍ ପେସ୍ ବୋଲରଙ୍କୁ ସୁହାଉଥିବାରୁ ଆସନ୍ତାକାଲି ଉଭୟ ଦଳର ପେସ୍ ବୋଲରଙ୍କ ଉପରେ ନଜର ରହିବ । ଅଭିଜ୍ଞ ଟିମ୍ ସାଉଦି ଆସନ୍ତାକାଲି ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି । ଅନ୍ୟ ପଟରେ ଭାରତ ମହମ୍ମଦ ସାମି କିମ୍ବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣକୁ ଖେଳାଇପାରେ । ଚତୁର୍ଥ ଦିନିକିଆରେ ମହମ୍ମଦ ଖଲିଲି ନୈରାଶ୍ୟଜନକ ବୋଲିଂ କରିଥିଲେ ।
ନିର୍ଣ୍ଣାୟକ ହେବ ଟସ୍: ୱେଷ୍ଟ ପ୍ୟାକ୍ ଷ୍ଟାଡିୟମ୍ରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ତଥାପି ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ନ୍ୟୁଜିଲାଣ୍ଡର ସୁଇଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସବୁ ଶକ୍ତି ଖଟାଇବେ ।