ରାଫେଲ ଚୁକ୍ତି: ଆଜି ଦାଖଲ ହେବ ସିଏଜି ରିପୋର୍ଟ

source:www.yahoo.com
ନୂଆଦିଲ୍ଲୀ,୧୦ ।୨(ଏଜେନ୍ସି): ଫ୍ରାନ୍ସ ସହିତ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ରାଜନୈତିକ ତର୍କବିତର୍କ ଜାରି ରହିଥିଲାବେଳେ ଏହା ଉପରେ ସିଏଜି ରିପୋର୍ଟ ସୋମବାର ଦାଖଲ କରାଯିବ । ରିପୋର୍ଟ ଅନୁଯାୟୀ, ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକକ୍ଷ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିବା ପାଇଁ ସରକାରଙ୍କୁ ପ୍ରଦାନ କରିବେ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ସିଏଜି ରିପୋର୍ଟ ସରକାରଙ୍କୁ ମିଳିବା ପରେ ଏହାର ଏକ କପି ରାଷ୍ଟ୍ରପତି ଏବଂ ଆଉ ଏକ କପି ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥାଏ । ସଂସଦର ଚଳିତ ଅଧିବେଶନ ବୁଧବାର ଦିନ ଶେଷ ହେବାକୁ ଥିଲାବେଳେ ତା’ ମଧ୍ୟରେ ସରକାରଙ୍କୁ ଏହାକୁ ସଂସଦରେ ଉପସ୍ଥାପନ କରିବାକୁ ପଡ଼ିବ । କିନ୍ତୁ ବେଳେବେଳେ କେନ୍ଦ୍ର ସରକାର ସଂସଦରେ ଏହି ରିପୋର୍ଟ ଉପସ୍ଥାପନ କରିବାରେ ମାସମାସ ବିଳମ୍ବ ବି କରିଥାନ୍ତି । ହେଲେ ଏବେ ରାଫେଲ ଚୁକ୍ତିକୁ ନେଇ ଯେମିତି ବାଦବିବାଦ ଚାଲିଛି, ତାହାକୁ ଦେଖି ସରକାର ଏହି ରିପୋର୍ଟ ଉପସ୍ଥାପନ କରିବାରେ ବିଳମ୍ବ କରିବେ ନାହିଁ ବୋଲି ଆଶା କରାଯାଉଛି । ସଂସଦରେ ଉପସ୍ଥାପନ ହେବା ପରେ ସିଏଜି ରିପୋର୍ଟକୁ ବିରୋଧୀ ଦଳ ନେତାଙ୍କ ନେତୃତ୍ୱାଧୀନ ପବ୍ଲିକ୍ ଆକାଉଣ୍ଟସ କମିଟି(ପିଏସି)କୁ ପଠାଯାଇଥାଏ । ପିଏସି ଏହାର ଅନୁଧ୍ୟାନ କରିବା ସହିତ ଅଧିକ ଛାନଭିନ୍ ବି କରିଥାଏ । ଏବେ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖରଗେ ପିଏସିର ଅଧ୍ୟକ୍ଷ ଅଛନ୍ତି ।
ରାଫେଲ ଚୁକ୍ତିର ସମୀକ୍ଷା କରିବାକୁ ସିଏଜି ବର୍ଷକରୁ ଅଧିକ ସମୟ ନେଇଛନ୍ତି । ରାଫେଲ ବିମାନର ମୂଲ୍ୟ ସହିତ ବିଭିନ୍ନ କଂପାନି କରିଥିବା ନିବେଦନ ଏବଂ ଅନ୍ୟ ବିମାନଗୁଡିକ ସହ ଏହାର ତୁଳନାତ୍ମକ ବୈଶିଷ୍ଟ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଛି । କିନ୍ତୁ ସିଏଜି ସୂତ୍ରରୁ ପୂର୍ବରୁ ସୂଚନା ଦିଆଯାଇଛି କି ମାତ୍ର ତିନୋଟି ରିପୋର୍ଟରେ ବିମାନର ମୂଲ୍ୟ ସମ୍ପର୍କରେ ସୂଚନା ରହିବ । ଯଦି ସଂସଦୀୟ କମିଟି ଏ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ତାହାହେଲେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରିପୋର୍ଟର କପି ମାଗିବାକୁ ପଡ଼ିବ । ତେବେ ରାଫେଲ ଚୁକ୍ତିକୁ ନେଇ ଚାଲିଥିବା ବିବାଦ କାରଣରୁ ଏହି ରିପୋର୍ଟକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସିଏଜିଙ୍କୁ ସିବଲଙ୍କ ଧମକ ରାଫେଲ ଚୁକ୍ତିକୁ ନେଇ ସିଏଜି ରାଜୀବ ମେହର୍ଷିଙ୍କୁ କଂଗ୍ରେସ ନେତା କପିଲ ସିବଲ ପରୋକ୍ଷ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ଅଧିକାରୀମାନେ ମୋଦିଙ୍କ ପ୍ରତି ନିଜର ବିଶ୍ୱସନୀୟତା ଜାହିର କରୁଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଉଛି । ସେମାନେ ଜାଣିରଖିବା ଦରକାର ଯେ ବେଳେବେଳେ ଆମେ ବିରୋଧୀ ଦଳ ଭୂମିକା ନିର୍ବାହ କରୁ ଆଉ ବେଳେବେଳେ ଆମେ ଶାସନ କ୍ଷମତାରେ ଥାଉ । ତେଣୁ ଆମେ ଏଭଳି ଅଧିକାରୀଙ୍କ ଉପରେ ନଜର ରଖିବୁ । ସେମାନେ ଜାଣିରଖନ୍ତୁ ଯେ ସମ୍ବିଧାନ ସବୁଠାରୁ ଉପରେ । ସିବଲ ମଧ୍ୟ ଅଭିଯୋଗ କରିଛନ୍ତି କି ରାଫେଲ ଚୁକ୍ତି ହେବା ସମୟରେ ମେହର୍ଷି କେନ୍ଦ୍ର ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଥିଲେ । ତେଣୁ ସେ ଏହି ଚୁକ୍ତିକୁ ନେଇ ମୋଦି ସରକାର ବିରୋଧରେ ପ୍ରତିକୂଳ ରିପୋର୍ଟ ଦେବେ ନାହିଁ । ସେ ନିଜକୁ ବଞ୍ଚାଇବା ଲକ୍ଷ୍ୟରେ ମୋଦି ସରକାରଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବେ । ଏହି କାରଣରୁ ସିଏଜି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବା ପୂର୍ବରୁ ସେଥିରେ କ’ଣ ଅଛି, ତାହା ସରକାର ଜାଣନ୍ତି ।