ସିଡନୀ, ୨୫/୧୦: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲି ଐତିହାସିକ ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଅନ୍ତିମ ଦିନିକିଆ ଖେଳାଯିବ । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଯାକ ମ୍ୟାଚ ଜିତି ସାରିଛି । ଶନିବାର ଆଉ ଏକ ବିଜୟ ସହ ସିରିଜ କ୍ଲିନ୍‌ ସୁଇପ ପାଇଁ ପ୍ରୟାସ କରିବ । ଭାରତକୁ ସମ୍ମାନ ବଞ୍ଚାଇବାକୁ ହେଲେ ବିଜୟ ଜରୁରି । ଖାଲି ସେତିକି ନୁହେଁ, ଦୁଇ ପ୍ରସିଦ୍ଧ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ମାଟିରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ । ତେଣୁ ଉଭୟଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ସିଡ୍‌ନୀବାସୀ ଷ୍ଟାଡ଼ିୟମ୍‌ରେ ଭିଡ଼ ଜମାଇବେ ।

ଭାରତ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଓ ପରାଜିତ ହୋଇଥିଲା । ଉଭୟ ମ୍ୟାଚ୍‌ରେ ବ୍ୟାଟିଂ ବିଭାଗ ଅନେକ ତ୍ରୁଟି କରିଥିଲା ।ବୋଲରମାନେ ମଧ୍ୟ ଅଷ୍ଟ୍ରେଲିଆର ଦୁଇ ଯୁବ ବ୍ୟାଟର ମାଥ୍ୟୁ ସର୍ଟ ଓ କୁପର କନଲିଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ଉଭୟ ମ୍ୟାଚ୍‌ରେ ପରାଜୟ ପରେ ଏକାଦଶ ଚୟନକୁ ନେଇ ପ୍ରଶ୍ନ ଉଠିଥିଲା । ଦଳରେ କୁଲଦୀପ ଯାଦବଙ୍କ ଭଳି କୂଶଳୀ ସ୍ପିନର ରହିଥିଲେ ହେଁ ଏକାଦଶରେ ସ୍ଥାନ ପାଇ ନଥିଲେ । ଉଭୟ ମ୍ୟାଚ୍‌ରେ ତାଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା । ଅପର ପକ୍ଷରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଲେଗ ସ୍ପିନର ଆଡାମ ଜାମ୍ପାଙ୍କୁ ଖେଳାଇଥିଲା ଓ ସେ ୪ଟି ୱିକେଟ୍‌ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଶନିବାର ଭାରତ ଅନ୍ତତଃ ପକ୍ଷେ କୁଲଦୀପଙ୍କୁ ସୁଯୋଗ ଦେବା ଆବଶ୍ୟକ । ସେହିପରି ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦିନିକିଆ ଅଭିଜ୍ଞତା ଦେବାକୁ ଟିମ ମ୍ୟାନେଜମେଣ୍ଟ ଏବେଠୁ ପ୍ରୟାସ କରିବା ଆବଶ୍ୟକ । ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜ ମୂଳପୋଛ କରିନାହିଁ । ଶନିବର ଏକ ସୁଯୋଗ ଦଳ ନିକଟରେ ରହିଛି । ଷ୍ଟିଭେନ ସ୍ମିଥ୍‌, ଗ୍ଳେନ ମ୍ୟାକ୍ସୱେଲ, ଡେଭିଡ୍‌ ୱାର୍ଣ୍ଣର ଆଦି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯବ ତାରକାମାନେ ସୁଯୋଗର ସଦୁପଯୋଗ କରୁଛନ୍ତି । ଅନଭିଜ୍ଞ ମଧ୍ୟକ୍ରମ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ଉଭୟ ମ୍ୟାଚ ଜିତିଛି । ତେଣୁ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ଜୋସ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିପାରେ ।

ଶନିବାର କୋହଲି ୫୪ ରନ କଲେ ସର୍ବାଧିକ ଦିନିକିଆ ରନ୍‌ ତାଲିକାରେ କୁମାର ସାଙ୍ଗାକାରାଙ୍କୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିବେ । ରୋହିତ ଶର୍ମା ଆଉ ୯୩ ରନ୍‌ କଲେ ବୀରେନ୍ଦ୍ର ସେହୱାଗଙ୍କ ନାମରେ ରହିଥିବା ଏକ ରେକର୍ଡ ଅତିକ୍ରମ କରିବେ । ସେହୱାଗ ଭାରତୀୟ ଓପନର ଭାବେ ଅର୍ନ୍ତଜାତୀୟ କ୍ରିକେଟ୍‌(ସବୁ ଫର୍ମାଟକୁ ମିଶାଇ)ରେ ସର୍ବାଧିକ ୧୫୭୫୮ ରନ ସଂଗ୍ରହ କରିଛନ୍ତି । ରୋହିତ ଓପନର ଭାବେ ୩୫୧ ମ୍ୟାଚର ୩୭୬ ଇନିଂସରୁ ମୋଟ୍‌ ୧୫,୬୬୬ ରନ ସଂଗ୍ରହ କରିସାରିଛନ୍ତି । ରୋହିତ ଆଉ ୬ଟି ଛକା ମାରିଲେ ଦିନିକିଆରେ ସର୍ବାଧିକ ଛକା ରେକର୍ଡ ଭାଙ୍ଗିବେ । ସେ ୩୪୬ଟି ଛକା ମାରି ସାରିଛନ୍ତି । ଦିନିକିଆରେ ସର୍ବାଧିକ ୩୫୧ ଛକା ରେକର୍ଡ ସହିଦ ଆଫ୍ରିଦିଙ୍କ ନାମରେ ରହିଛି ।

ସିଡନୀ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ପୂର୍ବ ଭଳି ଏହି ପିଚ୍‌ ଆଉ ସ୍ପିନରଙ୍କୁ ସହାୟତା କରୁନାହିଁ । ତେଣୁ ପେସ୍‌ ବୋଲରମାନେ ନୂଆ ବଲରେ ଫାଇଦା ଉଠାଇବା ନିଶ୍ଚିତ । ଯସ୍‌ ସେଭଳି ଗୁରୁତ୍ୱ ରଖୁ ନଥିଲେ ହେଁ ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ବିଶାଳ ସ୍କୋର ସଂଗ୍ରହ କରିବାକୁ ପଡ଼ିବ । 

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା, ଶୁଭମନଗିଲ୍‌(ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର/ କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅର୍ଶଦୀପ ସିଂହ ।

ଅଷ୍ଟ୍ରେଲିଆ: ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ(ଅଧିନାୟକ), ମାଟ ସର୍ଟ, ମାଟ ରେନସ, ଜୋସ ଫିଲିପ, ମିଚେଲ ଓଏନ, କୁପର କନଲି, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ମାଟ କୁହ୍ନେମନ, ଜୋସ ହାଜେଲଉଡ ।