ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା: ସନ୍ଧ୍ୟା ସାଢ଼େ ୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ, ଉତ୍ସବ ମୁଖର ମହିମାଗାଦି

ଢେଙ୍କାନାଳ/ଯୋରନ୍ଦା୦୪/୦୨: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଶନିବାର ବ୍ରାହ୍ମମୂହୂର୍ତ୍ତରୁ ଆରମ୍ଭ ହେବାକୁ ଯାଉଛି । ସନ୍ଧ୍ୟା ୫.୩୦ ମିନିଟ୍ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିବେ ।
ମହିମାଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଓଡ଼ଶା ସମେତ ଛତିଶଗଡ଼, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଉଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି । ବିଦେଶୀ ଭକ୍ତମାନେ ମଧ୍ୟ ଯୋରନ୍ଦା ବୁଲୁଛନ୍ତି । ମାନସିକ କରିଥିବା ଛୋଟ ଛୋଟ ଶିଶୁମାନଙ୍କୁ କେଶମୁଣ୍ଡନ କରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି । ବାହାରୁ ଆସିଥିବା ପର୍ଯ୍ୟଟକମାନେ ପହଞ୍ଚି ମନ୍ଦିର ଓ ମହିମା ଧର୍ମ ସଂପର୍କରେ ପଚାରି ବୁଝୁଛନ୍ତି । ରାତିସୁଦ୍ଧା ଆହୁରି ଭକ୍ତ ଓ ସାଧୁମାନଙ୍କର ସମାଗମ ବଢିବାର ସମ୍ଭାବନା ରହିଛି ।
ଚଳିତବର୍ଷ ଯୋରନ୍ଦା ମାଘମେଳାକୁ ୧୫୦ ବର୍ଷ ପୁରିଛି । ମହିମାଧର୍ମର ରୀତିନୀତି ଅନୁଯାୟୀ ଚଳିତବର୍ଷ ୧୫୦ତମ ପ୍ରଭୂ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ । ଏଥିପାଇଁ ଶନିବାର ପ୍ରାତଃ ବ୍ରାହ୍ମମୂହୂର୍ତ୍ତ ସାଢେ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହେବ । ପ୍ରାତଃ ବ୍ରାହ୍ମ ମୂହୂର୍ତ୍ତରେ ମନ୍ଦିରର ଚାରିଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁପାଶ୍ୱର୍ରେ ସିଞ୍ଚନ କରାଯିବ । ଅଗୁର, କର୍ପୁର ଓ ଚନ୍ଦନ ପାଣି ସିଞ୍ଚନ କରାଯାଇ ଛେରା ପହଁରା କରାଯିବ । ତ୍ରିସନ୍ଧ୍ୟା ପୂଜା ପରେ ଅପରାହ୍ନ ୫.୩୦ରେ ଝାଡଦୀପ ପ୍ରଜ୍ୱଳିତ ହେବ । ଏଥିପାଇଁ ମହିମା ଗାଦି ନୀତି ମନ୍ଦିରରୁ ଝାଡ଼ଦୀପକୁ ସଜ୍ଜିତ କରାଯାଇ ରଖାଯାଇଛି ।
ଶୁକ୍ରବାର ବକ୍କଳଧାରୀ ଓ କୌପିନଧାରୀ ମହିମା ସମାଜର ଜରୁରୀ ପରିଚାଳନା ବୈଠକ ବସି ନୀତି ଚୂଡ଼ାନ୍ତ କରାଯାଇଛି । କେତେକ ତ୍ୟାଗୀ ବୈରାଗୀଙ୍କୁ କୌପୀନ ବାନା ପ୍ରଦାନ କରାଯାଇଛି । ସକାଳ ୫ ଘଟିକା ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୂଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ସମସ୍ତଙ୍କୁ ମହାପ୍ରସାଦ ବିତରଣ କରାଯିବ । ସକାଳ ୬ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତର ମଙ୍ଗଳ କାମନା କରିବେ।