ଭୁବନେଶ୍ୱର,୨୪/୧୨: ନୂଆ ରଙ୍ଗରେ ଚର୍ଚ୍ଚ ଚମକୁଛି । ଚର୍ଚ୍ଚଠାରୁ ବାହାର ଫାଟକ ଯାଏ ରଙ୍ଗିନ ଲିଚୁମାଳାରେ ସଜାହୋଇଛି । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କଠୁ ଆରମ୍ଭ  କରି ସମସ୍ତ ଶ୍ରଦ୍ଧାଳୁ ୨୪ ତାରିଖ (ମଙ୍ଗଳବାର) ମଧ୍ୟରାତ୍ରକୁ କରିଛନ୍ତି ଅପେକ୍ଷା ।  ଯୀଶୁଙ୍କୁ ସ୍ୱାଗତ କରିବା ଲାଗି କ୍ୟାରୋଲ୍‌ ସିଙ୍ଗିଙ୍ଗ୍‌(ଆନନ୍ଦ ଗୀତ) ମଧ୍ୟ ଗାନ  କରାଯିବ । ଭୁବନେଶ୍ୱରରେ ରହିଛି ୩୫ରୁ ଅଧିକ ଚର୍ଚ୍ଚ । ସମସ୍ତ ଚର୍ଚ୍ଚରେ  ବଡ଼ ଦିନ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । 

୨୪ ତାରିଖ ରାତିରୁ  ଆରମ୍ଭ ହୋଇଯିବ ବିଭିନ୍ନ କାର୍ଯ୍ୟକ୍ରମ । ଯୀଶୁଙ୍କ ଜନ୍ମସ୍ଥାନ, ମେଣ୍ଢାଶାଳରେ  ଯୀଶୁଙ୍କ ଜନ୍ମ ସମୟ, କେକ୍‌ ଓ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ  କାର୍ଯ୍ୟକ୍ରମ କରାଯିବ । ୨୪ ତାରିଖ ରାତି ୧୦ଟାରେ ପ୍ରାର୍ଥନା କରାଯିବ । ଦିନ ସାରା ସଫାସୁତୁରା କରାଯିବ । ରାତି ୧୨ରେ ଯୀଶୁ ଜନ୍ମ ହେବା  ପରେ ୨୫ ତାରଖ ସକାଳୁ ସାମୂହିକ ପ୍ରାର୍ଥନା କରାଯିବ । ଯାହା ଓଡ଼ିଆ,  ହିନ୍ଦୀ, ଇଂରାଜୀ, ମାଲାୟଲମ୍‌ ଭାଷାରେ କରାଯିବ । ସବୁ ଚର୍ଚ୍ଚରେ ମଙ୍ଗଳବାର ରାତି ୧୨ରୁ ଜାଗରଣୀ ଦିବ୍ୟ ଯଜ୍ଞ ଉତ୍ସର୍ଗ କରାଯିବ ।

ସତ୍ୟନଗର ଚର୍ଚ୍ଚରେ ପ୍ରସ୍ତୁତି ଶେଷ

ସତ୍ୟନଗର କ୍ୟଥଲିକ୍‌ ଚର୍ଚ୍ଚରେ ଯୀଶୁଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  କିଏ ଗୋ-ଶାଳା ପ୍ରସ୍ତୁତ କରୁଛନ୍ତି ତ ଆଉ କିଏ ପ୍ରାର୍ଥନା ସଭା ଭିତର ପାଶ୍ୱର୍  ସଜାଉଛନ୍ତି । ୨୪ ତାରିଖ ରାତି ୧୦ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ବୋଲି କ୍ୟାଥଲିକ  ଚର୍ଚ୍ଚର ମୁଖ୍ୟ ପୁରୋଧା ଅଜୟ ସଭାସୁନ୍ଦର ପ୍ରକାଶ କରିଛନ୍ତି । ଯୀଶୁଙ୍କ ଜନ୍ମସ୍ଥାନ,  ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ, କେକ୍‌ ଓ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ  କାର୍ଯ୍ୟକ୍ରମ କରାଯିବ  । ୨୪ ତାରିଖ ରାତି ୧୦ଟାରୁ ୧୧ଟା କ୍ୟାରୋଲ ପ୍ରାର୍ଥନା କରାଯିବ ।  ୪ଟି ଭାଷାରେ ଏହି ପ୍ରାର୍ଥନା ହେବ । ୧୧ଟାରୁ ୧୨ଟା ଯାଏ ଦିବ୍ୟଯଜ୍ଞ ପ୍ରାର୍ଥନା କରାଯିବ ।  ରାତି ୧୨ରେ ଯୀଶୁ ଜନ୍ମ ନେବେ । ମଧ୍ୟରାତ୍ରିରେ କେକ୍‌ କଟାଯିବ । ପୌରୋହିତ୍ୟ କରିବେ  ଆର୍ଚ ବିଶପ୍‌ ଜନ ବାରୱା । ପରେ ୨୫ ତାରିଖ ସକାଳେ ଓଡ଼ିଆରେ ଦିବ୍ୟଯଜ୍ଞ ପ୍ରାର୍ଥନା ହେବ ।  ଯେଉଁମାନେ ରାତିରେ ଆସି ପାରିନଥିବେ ସେମାନେ ଏହି ସମୟରେ ଆସି ଯୀଶୁଙ୍କୁ ପ୍ରାର୍ଥନା କରିବେ ।  ଏହାପରେ ୨୫ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଯୀଶୁଙ୍କ ଦର୍ଶନ ଲାଗି ଚର୍ଚ୍ଚ ଖୋଲା ରହିବ।

ସଜେଇ ହୋଇଛି ଘର, ଅଗଣା

ରାସ୍ତାକଡରେ ବିକ୍ରି ହେଉଛି ଖ୍ରୀଷ୍ଟମାସ ସାଜସଜ୍ଜା ସାମଗ୍ରୀ ।  ବଡ଼ଦିନରେ ଘର ଅଗଣା ଏବଂ ଘର ଭିତରକୁ ଚର୍ଚ୍ଚ ଭଳି ଲୁକ୍‌  ଦେବା ଲାଗି ଆରମ୍ଭ ହୋଇଗଲାଣି ସାଜସଜ୍ଜା । ସେଥିପାଇଁ କେହି  ଖ୍ରୀଷ୍ଟମାସ ଟ୍ରି ସହ ରଙ୍ଗୀନ ଆଲୋକମାଳା ତ ଆଉ କିଏ ଛୋଟ  ଗୋଶାଳା କରିଛନ୍ତି। ଚଳିତ ବର୍ଷ ସ୍ନେ-ଫଲିଙ୍ଗ ଟ୍ରି ବେଶୀ  ଚାହିଦାରେ ରହିଛି । ଡିସେମ୍ବର ୨୫କୁ ସ୍ୱତନ୍ତ୍ର କରିବା ପାଇଁ  ବଡ଼ଦିନ ମଧ୍ୟରାତ୍ରରୁ ପ୍ରସ୍ତୁତି ଆରମ୍ଭ କରିବା ସହ ସାଙ୍ଗସାଥୀ  ଓ ବନ୍ଧୁବାନ୍ଧବଙ୍କୁ ଡାକି ସେଲିବ୍ରେସନ୍‌ କରିବେ । ବଜାରରୁ  ଯୀଶୁଙ୍କ ଘର, ଖ୍ରୀଷ୍ଟମାସ ଟ୍ରି, ଲାଇଟ୍‌, ଗିଫ୍ଟ ଓ ବେଲ୍‌, ଷ୍ଟାର୍‌,  ଲାଇଟିଙ୍ଗ୍‌ ଷ୍ଟାର, ସାନ୍ତା, ବଲ୍‌ ଓ ବେଲ୍‌, ସାନ୍ତା ଟ୍ରି, ଟେବୁଲ  ଟ୍ରି, ସାନ୍ଥାର ଡ୍ରେସ, ସାନ୍ଥା କ୍ୟାପ୍‌, ଘର ସଜାଇବା ପାଇଁ ଝୁମର,  ଘରର କାଚ ଗ୍ଲାସ, କାଠ ଡୋର୍‌ରେ ଲଗାଇବା ପାଇଁ ସାନ୍ଥା ଷ୍ଟିକର  ଘର ଗୁଡ଼ିକ ଚର୍ଚ୍ଚର ଭ୍ରମ ସୃଷ୍ଟି କରିବ । ଘର ସାଜସଜ୍ଜା ପାଇଁ ରେଡ୍‌  ୱାଇନ୍‌ ଜରିମାଳା, ବଲ୍‌ ଷ୍ଟାର ପରି ବିଭିନ୍ନ ରଙ୍ଗବେରଙ୍ଗର ଜରିମାଳା  (ଟେନିସ୍‌ ହାର), ଗୋଆରୁ କ୍ରିପ୍‌ ସେଟ୍‌ ପ୍ରମୁଖ ଆକର୍ଷଣ ସାଜୁଛି ।