ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶୁଭାରମ୍ଭ ହେବ ମହୀପୁର-ନୂଆଗାଁ ରୋଡ ରେଳ ସେକ୍ସନ୍

ଭୁବନେଶ୍ୱର୩୦/୦୬: ଆଜି ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ରେଳ ଷ୍ଟେସନରୁ ଦିନ ଗୋଟାଏରେ ସ୍ୱତନ୍ତ୍ର ଟ୍ରେନ୍ରେ ନୂଆଗାଁ ରୋଡ୍ ଅଭିମୁଖେ ବାହାରିବେ । ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ । ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନର ଶୁଭାରମ୍ଭ କରିବେ । ଏହା ସହିତ ମହିପୁର ଷ୍ଟେସନରୁ ଭୁବନେଶ୍ୱର-ମହୀପୁର ପାସେଞ୍ଜର ସ୍ପେଶାଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ବି ଶୁଭାରମ୍ଭ କରିବା ସହିତ ବୋଲଗଡ ପାସେଞ୍ଜର ହଲ୍ଟ୍ରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ୍ରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ ।
ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ୍ରେ ନୂତନ ଷ୍ଟେସନ୍ ବିଲ୍ଡିଂର ଉଦ୍ଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସର ଏଲ୍ଏଚ୍ବି କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରିବେ । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀବିହାର ପାସେଞ୍ଜର୍ ହଲ୍ଟ୍ର ନୂତନ ବିଲ୍ଡିଂର ଉଦ୍ଘାଟନ କରିବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୋର୍ଦ୍ଧା ରୋଡ ଷ୍ଟେସନରେ ଏହି ଅବସରରେ ଉପସ୍ଥିତ ରହିବେ । ଏହି ଅବସରରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂଆଗାଁ ରୋଡ ଷ୍ଟେସନ୍ରେ ରହିବେ । ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଖୋର୍ଦ୍ଧା ରୋଡ ଷ୍ଟେସନ୍ରେ ଯୋଗ ଦେବେ ।
ସେହିପରି ଶ୍ରୀ ବୈଷ୍ଣବ ପୁରୀ ଷ୍ଟେସନ୍ରେ ଯାତ୍ରୀମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍, ପନ୍ଦର ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳ, ଏକଜୁକେଟିଭ ଲାଉଞ୍ଜ, ମୋବାଇଲ୍ ଟିକେଟ୍ ସୁବିଧା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ସୁବିଧା, ଫୁଡ୍ କୋର୍ଟ ଏବଂ ନିରାଶ୍ରୟ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିବେ ।