ନୂଆଦିଲ୍ଲୀ - ଯଦି ଆପଣ ନିକଟରେ ଚାକିରି ବଦଳାଇଛନ୍ତି ଏବଂ ଆପଣଙ୍କର ପୁରୁଣା ଅଫିସର EPF (Employees' Provident Fund) ଆକାଉଣ୍ଟ ଏବେ ବି ଅଲଗା ରହିଛି, ତ ଆପଣ ତାହାକୁ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବା ନିହାତି ଜରୁରୀ। ଅନେକ କର୍ମଚାରୀ ଚାକିରି ବଦଳାଇବା ପରେ ନୂଆ PF ଆକାଉଣ୍ଟ ତ ଖୋଲି ଦିଅନ୍ତି, କିନ୍ତୁ ପୁରୁଣା ଖାତାର ଟଙ୍କା ସେମିତି ଛାଡ଼ି ଦିଅନ୍ତି କିମ୍ବା ଉଠାଇ ନିଅନ୍ତି। ଏହାଦ୍ୱାରା ଭବିଷ୍ୟତରେ ପେନ୍ସନ୍, ଟ୍ୟାକ୍ସ ଛାଡ଼ ଏବଂ ନିରନ୍ତର ସେବା (Continuous Service) ଭଳି ଅନେକ ସୁବିଧା ପ୍ରଭାବିତ ହୋଇ ପାରେ। ଏହାକୁ ଦୃଷ୍ଟିରେ ରଖି EPFO ନିଜର ସଦସ୍ୟମାନଙ୍କୁ ପୁରୁଣା PF ଟଙ୍କା ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବାକୁ ପରାମର୍ଶ ଦେଇ ଥାଏ, ଯାହାଦ୍ୱାରା ଆପଣଙ୍କର ସବୁ ରିଟାୟରମେଣ୍ଟ ଫଣ୍ଡ ଗୋଟିଏ ସ୍ଥାନରେ ସୁରକ୍ଷିତ ରହି ପାରିବ।
ପ୍ରକୃତ କଥା ହେଲା, ୨୦୧୪ ମସିହା ପୂର୍ବରୁ ଚାକିରି ବଦଳାଇ ଥିବା ଅନେକ କର୍ମଚାରୀଙ୍କ ପାଖରେ ଗୋଟିଏରୁ ଅଧିକ EPF ଆକାଉଣ୍ଟ କିମ୍ବା UAN (Universal Account Number) ଥାଇ ପାରେ। ଏପରି କ୍ଷେତ୍ରରେ ଅଲଗା ଅଲଗା ଖାତା ଗୁଡ଼ିକୁ ମିଶାଇବା ବା Merge କରିବା ସବୁଠାରୁ ଭଲ ବିକଳ୍ପ। ଖୁସିର କଥା ହେଉଛି, ଏବେ ଏହି ସମସ୍ତ କାମ ଘରେ ବସି EPFO ପୋର୍ଟାଲ୍ କିମ୍ବା UMANG ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ କରି ପାରିବେ।
ପୁରୁଣା PF ଟଙ୍କା ନୂଆ ଆକାଉଣ୍ଟକୁ କିପରି ଟ୍ରାନ୍ସଫର୍ କରିବେ ?
- ୧- ପ୍ରଥମେ EPFO ର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିଜର UAN ଏବଂ ପାସୱାର୍ଡ ଦ୍ୱାରା ଲଗ୍ଇନ୍ କରନ୍ତୁ।
- ୨- ଏହାପରେ 'Online Services' ସେକ୍ସନ୍କୁ ଯାଆନ୍ତୁ ଏବଂ One Member - One EPF Account (Transfer Request) ବିକଳ୍ପ ବାଛନ୍ତୁ।
- ୩- ତା'ପରେ Employee Centric Services ଅନୁଯାୟୀ Request for Transfer of Account ଉପରେ କ୍ଲିକ୍ କରନ୍ତୁ।
- ୪- ଏଠାରେ ନିଜର UAN ନମ୍ବର ଦିଅନ୍ତୁ ଏବଂ Get Details ଉପରେ କ୍ଲିକ୍ କରନ୍ତୁ।
- ୫- ବର୍ତ୍ତମାନ ସେହି ପୁରୁଣା PF ଆକାଉଣ୍ଟକୁ ବାଛନ୍ତୁ, ଯାହାର ଟଙ୍କା ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବାକୁ ଚାହୁଁଛନ୍ତି।
- ୬- ସମସ୍ତ ସୂଚନା ଯାଞ୍ଚ କରିବା ପରେ OTP ମାଧ୍ୟମରେ ଆବେଦନକୁ ସତ୍ୟାପିତ ବା ଭାରିଫାଏ କରିବା ସହ ସବ୍ମିଟ୍ କରନ୍ତୁ।
- ୭- ଆବେଦନ ଜମା ହେବା ପରେ ଆପଣ "Track Claim Status" ବିକଳ୍ପକୁ ଯାଇ ନିଜ ଟ୍ରାନ୍ସଫର୍ର ସ୍ଥିତି ମଧ୍ୟ ଯାଞ୍ଚ କରିପାରିବେ।
ଯଦି ଆପଣଙ୍କ ପାଖରେ ଦୁଇଟି UAN ଅଛି, ତେବେ କ’ଣ କରିବେ?
ଅନେକ ସମୟରେ ଚାକିରି ବଦଳାଇବା ସମୟରେ କର୍ମଚାରୀଙ୍କର ଦୁଇଟି ଅଲଗା ଅଲଗା UAN ତିଆରି ହୋଇଯାଏ। ଏପରି ସ୍ଥିତିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆପଣ [email protected] ରେ ଇମେଲ୍ କରି ଦୁଇଟିଯାକ UAN ର ସୂଚନା ପଠାଇ ପାରିବେ। ଯାଞ୍ଚ ପରେ EPFO ପୁରୁଣା UAN କୁ ନିଷ୍କ୍ରିୟ (Deactivate) କରି ଦେବ ଏବଂ ଆପଣଙ୍କ ଟଙ୍କା ସକ୍ରିୟ (Active) UAN ସହିତ ଯୋଡ଼ିଦିଆଯିବ।
ଦ୍ୱିତୀୟ ଉପାୟ ହେଉଛି, ଆପଣ ନିଜର ନୂଆ ନିଯୁକ୍ତିଦାତା (Employer) ଙ୍କ ମାଧ୍ୟମରେ ଟ୍ରାନ୍ସଫର୍ ପାଇଁ ଆବେଦନ କରି ପାରିବେ। EPFO ର ସିଷ୍ଟମ୍ ନିଜେ ଡୁପ୍ଲିକେଟ୍ UAN ଚିହ୍ନଟ କରି ପୁରୁଣା Member ID କୁ ନୂଆ UAN ସହିତ ଲିଙ୍କ୍ କରି ଦେଇଥାଏ।
ଆହୁରି ମଧ୍ୟ ପଢନ୍ତୁ - Benefits of walking after dinner : ରାତି ଭୋଜନ ପରେ ଚାଲିବା କାହିଁକି ଜରୁରୀ ? ଜାଣନ୍ତୁ ୩ଟି ବଡ଼ କାରଣ