୨୪।୭: ସନାତନ ଧର୍ମରେ ଶୁକ୍ରବାର ଦିନଟି ଧନ, ସମ୍ପଦ ଓ ଐଶ୍ୱର୍ଯ୍ୟର ଦେବୀ ମା' ଲକ୍ଷ୍ମୀଙ୍କୁ ସମର୍ପିତ । ଏହି ଦିନ ନିଷ୍ଠାର ସହ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଓ ବ୍ରତ କଲେ ସାଧକଙ୍କୁ ଅପାର କୃପା ପ୍ରାପ୍ତ ହୋଇଥାଏ । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପୂଜା ପାଠ ସହ ଶୁକ୍ରବାର ଦିନ କିଛି ବିଶେଷ ଜିନିଷ ଦାନ କରିବା ଦ୍ୱାରା ଜୀବନରୁ ଆର୍ଥିକ ସଙ୍କଟ ଦୂର ହେବା ସହ ଶୁକ୍ର ଗ୍ରହର ଶୁଭ ପ୍ରଭାବ ବୃଦ୍ଧି ପାଇଥାଏ । ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ସବୁ ଜିନିଷ ଦାନ କରିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆସିଥାଏ ।

ଚାଉଳ ଓ ଚିନି ଦାନ

ଶୁକ୍ରବାର ଦିନ ଗରିବ କିମ୍ବା ଆବଶ୍ୟକତା କରୁଥିବା ଲୋକଙ୍କୁ ଚାଉଳ ଓ ଚିନି ଦାନ କରିବା ଅତ୍ୟନ୍ତ ଶୁଭ ମାନାଯାଏ। ଏହାଦ୍ୱାରା ଘରେ କେବେ ବି ଅନ୍ନ ଓ ଧନର ଅଭାବ ରହେ ନାହିଁ ଏବଂ ପରିବାରରେ ସକାରାତ୍ମକ ଉର୍ଜା ବୃଦ୍ଧି ପାଏ ।

ସାଧବା ନାରୀଙ୍କୁ ସୁହାଗ ସାମଗ୍ରୀ ଦାନ

ଏହି ଦିନ ବିବାହିତା ମହିଳାଙ୍କୁ ସିନ୍ଦୂର, ଝୁଣ୍ଟିଆ, କାଚ ଆଦି ଶୃଙ୍ଗାର କିମ୍ବା ସୁହାଗ ସାମଗ୍ରୀ ଦାନ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏହା ସହିତ ମହିଳାମାନଙ୍କର ସୌଭାଗ୍ୟ ବୃଦ୍ଧି ପାଇଥାଏ ।

ଏହା ବି ପଢ଼ନ୍ତୁ... Hari Sayan Ekadasi 2026: ପଦ୍ମ ପୁରାଣରେ ହରିଶୟନ ଏକାଦଶୀ ଉପବାସର କ’ଣ ରହିଛି ମହତ୍ତ୍ୱ? ଜାଣନ୍ତୁ ଚତୁର୍ମାସ ସହିତ ଜଡ଼ିତ ପୌରାଣିକ କିମ୍ବଦନ୍ତୀ

ଶ୍ୱେତ ବା ଧଳା ଦ୍ରବ୍ୟ ଓ କ୍ଷୀର ଦାନ

ଶୁକ୍ରବାର ଶୁକ୍ର ଗ୍ରହ ଓ ମା' ଲକ୍ଷ୍ମୀଙ୍କ ଦିନ ହୋଇଥିବାରୁ ଏହି ଦିନ ଖୀର, ଦହି, ଧଳା ବସ୍ତ୍ର, ଅତର କିମ୍ବା କ୍ଷୀରି ଦାନ କରିବା ଉଚିତ୍। ଏହାଦ୍ୱାରା ମାନସିକ ଶାନ୍ତି ମିଳିବା ସହ ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ ।

ଲୁଣ ଓ ଅନ୍ୟାନ୍ୟ ପବିତ୍ର ସାମଗ୍ରୀ

ଲୁଣକୁ ମା' ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ବିଚାର କରାଯାଏ । ଶୁକ୍ରବାର ଦିନ ଲୁଣ ଦାନ କଲେ ଘରୁ ନକାରାତ୍ମକ ଉର୍ଜା ଦୂର ହୋଇଥାଏ । ଏହା ବ୍ୟତୀତ ପଦ୍ମ ଫୁଲ, ଶଙ୍ଖ, ଗୋମତୀ ଚକ୍ର ଓ କୌଡ଼ି ଦାନ କରିବା ମଧ୍ୟ ପୁଣ୍ୟଦାୟକ ହୋଇଥାଏ ।

ସନ୍ଧ୍ୟା ସମୟରେ ଦୀପଦାନ

ଶୁକ୍ରବାର ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ଗାଈ ଘିଅର ଦୀପ ଜାଳିବା କିମ୍ବା କୌଣସି ମନ୍ଦିରରେ ଦୀପଦାନ କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ମା’ ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ । ଶୁକ୍ରବାର ସାଧାରଣତଃ ସାତ୍ତ୍ୱିକ ମନୋଭାବ ରଖି ଦାନପୁଣ୍ୟ କଲେ ଶୁକ୍ର ଗ୍ରହ ବଳବାନ୍ ହୁଅନ୍ତି, ଯାହାଦ୍ୱାରା ବ୍ୟକ୍ତିଙ୍କୁ ସୁଖ, ସମ୍ପଦ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପ୍ରାପ୍ତ ହୋଇଥାଏ ।