ଭୁବନେଶ୍ୱର,୨୦/୦୪: କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସିଆରଆରଆଇ)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଖିମୁଠି ଅନୁକୂଳ କରିବେ । ଏହା ସହିତ ରାଜ୍ୟର ପ୍ରତ୍ୟେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ । ଏହି ସହାୟତା ଖରିଫ୍ ଚାଷ ପାଇଁ ପ୍ରଦାନ କରାଯାଉଥିବା ବେଳେ ପୁଣି ନୂଆଁଖାଇ ବେଳେ ଆଉ ଥରେ ୨ ହଜାର ଟଙ୍କା ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଥାଏ । ଏହି ରାଜ୍ୟସ୍ତରୀୟ କୃଷକ ଦିବସରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ବିଭୁପ୍ରସାଦ ତରାଇଙ୍କ ସମେତ କଟକ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିବେ ।
ଅଧିକ ପଢ଼ନ୍ତୁ :- ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ଦୁଇ ସାଙ୍ଗ, ସହଯୋଗୀଙ୍କ ଗୁଳିରେ ନାବାଳକ ଶବ ହୋଇ ଫେରିଲେ...
ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାୟ ସକାଳ ୮. ୪୫ରେ ଆସି ପହଞ୍ଚିବେ । ସେଠାରେ ସକାଳ ୯.୧୦ରୁ ୯.୪୦ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ସେଠାରେ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଏହାପରେ ସଭାର ଆୟୋଜନ ହେବ । ଏଥିରେ ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ, ଏନ୍ଆର୍ଆର୍ଆଇ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ । ଏହି ସଭାରେ ବଡ଼ମ୍ବାର ଆଖୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ସଭା ପରେ ‘କୃଷି ରଥ’କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ଓ ଏହା ପରେ ବିହନ ବୁଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।