ଟିକାବାଲି/ଚକାପାଦ,୨୦/୦୧: ସାହିର ଦୁଇ ଜଣଙ୍କ ସହ ଜଙ୍ଗଲକୁ ଶିକାର କରିବାକୁ ଗତକାଲି ଯାଇଥିଲେ ବିଭୂତି କହଁର(୧୬) ।  ସକାଳୁ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଘର ଲୋକ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ବିଭୂତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ତାଙ୍କର ମୁଣ୍ଡରେ ଗୁଳି ମାଡ଼ ଚିହ୍ନ ରହିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ବୁଡ଼ାଣୀ ଗାଁରେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବା ଟିକାବାଲି ଥାନା ଅଧିକାରୀ ସମୀର ବେହେରା କହିଛନ୍ତି ।

ପୁଲିସ ସୂଚନା ଅନୁସାରେ, ଚକାପାଦ ବ୍ଲକ୍ ବୁଡ଼ାଣୀ ଗାଁର ବିଭୂତି, ପ୍ରତାପ କହଁର, (୨୫) ଓ ସୁମନ ବିନ୍ଧାଣି(୨୦) ଶନିବାର ରାତି ପ୍ରାୟ ୯ଟାରେ ଗାଁଠାରୁ ଗୋଟିଏ କିଲୋମିଟର ଦୂର ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ । ସକାଳ ହେଲେ ଫେରି ଆସିବେ ବୋଲି ଘରେ କହିଥିଲେ । ରବିବାର ସକାଳ ପାହିଲା । ମାତ୍ର ଜଙ୍ଗଲରୁ କେହି ଘରକୁ ଫେରି ନଥିଲେ । ସମୟ ଯେତିକି ଗଡ଼ୁଥିଲା ଘର ଲୋକଙ୍କ ମନରେ ସନ୍ଦେହ ବଢ଼ିବାକୁ ଲାଗିଲା । ଏନେଇ ବିଭୂତିଙ୍କ ପରିବାର ଲୋକ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ । କିଛି ବାଟ ଯିବା ପରେ ଜଙ୍ଗଲ ମଧ୍ୟରେ ବିଭୂତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ମୁଣ୍ଡରେ ଗୁଳି ମାଡ଼ ଚିହ୍ନ ସହ ମୃତଦେହ ରକ୍ତ ଜୁଡ଼ୁବୁଡୁ ଥିଲା । ଏହା ଜଣାପଡ଼ିବା ପରେ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଏନେଇ ବିଭୂତିଙ୍କ ବାପା ମାଧବ କହଁର ଟିକାବାଲି ଥାନାରେ ଅଭିଯୋଗ କରିଥିଲେ । ଆଇଆଇସିଙ୍କ ସମେତ ଏସ୍ଆଇ ଅବନୀ ପ୍ରଧାନ ମୃତଦେହ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ :-  Heatwave Alert: ଡହ ଡହ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳି, ପଶ୍ଚିମ ଓଡ଼ିଶାରେ ପାରଦ ଡେଇଁଲା ୪୩ ଡିଗ୍ରୀ, ୧୫ ସ୍ଥାନରେ ତାପମାତ୍ରା ୪୦ ପାର

ବିଭୂତିଙ୍କ ସହ ଜଙ୍ଗଲକୁ ଯାଇଥିବା ପ୍ରତାପ ଏବଂ ସୁମନ ଫେରାର୍ ହୋଇଯାଇଛନ୍ତି । ଟିକାବାଲି ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।ବିଭୂତି ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ରଣପାଟୁଳି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ତିନି ଜଣ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ପ୍ରତାପଙ୍କ ହାତରେ କେବଳ ଦେଶୀ ବନ୍ଧୁକ ରହିଥିଲା । ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି ।