ମମତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନ ପକ୍ରିୟାକୁ ଲମ୍ବାଇବାକୁ ଆଉ ଏକ ଷ୍ଟ୍ରାଇକ କରିପାରନ୍ତି ସରକାର

କୋଲକାତା,୧୨।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପ୍ରାୟତଃ ନିଜର କଡା ମିଜାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବହୁବାର ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଥାଏ। ଏବେ ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ସେ କହିଛନ୍ତି ଲୋକସଭା ନିର୍ବାଚନ ପକ୍ରିୟାକୁ ଲମ୍ବା ଟାଣିବା ପାଇଁ ବିଜେପି ପଶ୍ଚିମବଙ୍ଗକୁ ଅସୁବିଧାରେ ପକାଇବାକୁ ନିଜର ଯୋଜନା ଅନୁସାରେ ଆଉ ଏକ ଆକ୍ରମଣ(ଷ୍ଟ୍ରାଇକ୍) କରିପାରେ। ମୁଁ ଏହା କହିପାରିବିନି ଯେ ଏହା କିଭଳି ଆକ୍ରମଣ ହୋଇପାରେ। ଅପ୍ରେଲରେ ତଥାକଥିତ… ତଥିାକଥିତ… ତଥାକଥିତଙ୍କ ନାମରେ ଏଠାରେ ନିର୍ବାଚନ ୧୯ ମଇ ପର୍ଯ୍ୟନ୍ତ ଜାରି ରହିବ। ଦୟାକରି ମୋତେ ଭୁଲ ଭାବରେ ଉପସ୍ଥାପିତ କରାନ୍ତୁ ନାହିଁ। ନିର୍ବାଚନ କମିଶନଙ୍କ ପ୍ରତି ମୋ ମନରେ ଖୁବ୍ ସମ୍ମାନ ରହିଛି। କିନ୍ତୁ ପଶ୍ଚିମବଙ୍ଗରେ ପରିସ୍ଥିତି ଖରାପ କରିବାର ଯୋଜନା ବିଜେପି କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ନିର୍ବାଚନ ପକ୍ରିୟାକୁ ଲମ୍ବାଇ ଦିଆଯାଉଛି। ଏଥିରେ ମୋର କିଛି ଅସୁବିଧା ନାହିଁ, ଏହା ଦ୍ବାରା ନିର୍ବାଚନ,କର୍ମୀ ଓ ଭୋଟରଙ୍କୁ ଅସୁବିଧାର ସାମନା କରିବାକୁ ପଡିପାରେ। କାରଣ ଏହି ସମୟରେ ଯୋରଦାର ଗ୍ରୀଷ୍ମ ପ୍ରବାହର ସାମନା କରିବାକୁ ପଡିବ। ଏହା ସହ ମମତା କହିଛନ୍ତି ବିହାର, ପଶ୍ଚିମବଙ୍ଗ, ଓ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। କେନ୍ଦ୍ରରେ କିଏ ସରକାର ଗଠନ କରିବ ତାହା ଏହି ରାଜ୍ୟ ଗୁଡିକର ନିର୍ବାଚନୀ ଫଳାଫଳରୁ ହିଁ ଜଣାପଡିଥାଏ। ଆଗାମୀ ନିର୍ବାଚନରେ ତାଙ୍କ ଦଳ ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ମନ୍ତବ୍ୟ ଭାରତ ପକ୍ଷରୁ କରାଯାଉଥିବା ସେନା କାର୍ଯ୍ୟାନୁଷ୍ଠାନକୁ ଆଡକୁ ଇଶାରା ବୋଲି କୁହାଯାଉଛି। ଏନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ଯେ ମମତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ମିଛ କଥା କହିବା ତାଙ୍କର ଅଭ୍ୟାସ। ଯଦି ତାଙ୍କ ପାଖରେ ପ୍ରମାଣ ଅଛି ତେବେ ତାକୁ ସର୍ବଜନୀନ କରିବା ଦରକାର। ଉଲ୍ଲେଖନୀୟ ଯେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଯାଇଥିଲେ। ଏହାପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲକୋଟରେ ଆକ୍ରମଣ କରାଯାଇଥିଲା। ଯାହାକୁ ନେଇ ମମତା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ‘ଯୁଦ୍ଧ ଉନ୍ମାଦ’ ସୃଷ୍ଟି କରିବାର ଅଭିଯୋଗ କରିଛନ୍ତି। ମମତା ଏହା ମଧ୍ୟ କହିସାରିଛନ୍ତି ଯେ ଯବାନଙ୍କ ଜୀବନ ରାଜନୀତି ଠାରୁ ବହୁତ ମୂଲ୍ୟବାନ, କିନ୍ତୁ ଦେଶକୁ ଜାଣିବାର ଅଧିକାର ରହିଛି ବାୟୁସେନାର ଆକ୍ରମଣ ପରେ ବାଲକୋଟରେ ପ୍ରକୃତରେ କ’ଣ ହୋଇଥିଲା।