ପାକିସ୍ତାନରେ ଟମାଟୋ କିଲୋ ୧୮୦ ଟଙ୍କା, ଅନ୍ଯ ପରିବା ଦାମ୍ ମଧ୍ଯ ଆକାଶଛୁଆଁ

source:http://leadpakistan.com.pk
ନୁଆଦିଲ୍ଲୀ ୨୧/୨: ପୁଲୱାମା ଆକ୍ରମଣପରେ ସାରା ଦେଶବାସୀ କ୍ରୋଧରେ ଜଳୁଛନ୍ତି । ଏବେ ଦେଶର ଚାଷୀ ମଧ୍ୟ ପାକିସ୍ତାନକୁ ନିଜ ଦମ୍ ଦେଖାଇଦେଇଛନ୍ତି । ଭାରତୀୟ ଚାଷୀ ନିଜ ଉତ୍ପାଦନକୁ ପାକିସ୍ତାନ ନପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଚାଷୀଭାଇମାନେ କହିଥିଲେ ଯେ ଫଳ ଓ ପରିବା ନଷ୍ଟ ହୋଇଯାଉ ପଛେ କିନ୍ତୁ ପାକିସ୍ତାନକୁ ବିକିବୁନି ।

ମଧ୍ୟ ପ୍ରଦେଶର ଚାଷୀମାନେ ଟମାଟୋ ପାକିସ୍ତାନକୁ ପଠାଇବା ପାଇଁ ମନା କରିଦେଇଥିଲେ । କହିରଖୁଛୁ ପାକିସ୍ତାନକୁ ସବୁଟାରୁ ଅଧିକ ଫଳ ଓ ପରିବା ଆଜାଦପୁର ମଣ୍ଡିରୁ ରପ୍ତାନୀ କରାଯାଇଥାଏ । କିନ୍ତୁ ଏବେ ସେଠାର ବ୍ୟାପାରୀମାନେ ନିଜ ଉତ୍ପାଦକୁ ପାକିସ୍ତାନ ନପଠେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏବେ ପାକିସ୍ତାନବାସୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଛି । ଭାରତରେ ଯେଉଁ ଟମାଟୋ ୧୦ ଟଙ୍କା କିଲୋ ମିଳୁଛି ସେହି ଟମାଟୋ ଏବେ ପାକିସ୍ତାନ ଲାହୋର ମାର୍କଟରେ ୧୮୦ ଟଙ୍କା କିଲୋ ଛୁଇଁଛି । ସାଉଥ୍ ଏସିଆର ଜଣେ ସାମ୍ବାଦିକ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ଟମାଟୋ ବ୍ଯତୀତ ପାକିସ୍ତାନରେ ପିଆଜ ମୂଲ୍ଯ ମଧ୍ଯ ବଢିଯାଇଛି । ପୂର୍ବରୁ ପିଆଜ ୧୫ ଟଙ୍କା କିଲୋ ମିଳୁଥିଲା କିନ୍ତୁ ଏବେ ଏହାର ଦାମ୍ ବଢି ୩୦ ଟଙ୍କା କିଲୋ ହୋଇଯାଇଛି ।
India vs Pakistan: Tomatoes in Lahore are being sold for Rs180/kg.
— Naila Inayat नायला इनायत (@nailainayat) February 19, 2019
ପାକିସ୍ତାନର ପରିବା ମାର୍କେଟରେ ମଧ୍ଯ ଅନ୍ୟ ପରିବା ଦାମ୍ ଆକାଶଛୁଆଁ ହୋଇଯାଇଛି । ଆଳୁ ୩୦-୩୫, କାକୁଡି ୮୦ ଟଙ୍କା କିଲୋ, ସିମଲା ଲଙ୍କା ୮୦ ଟଙ୍କା କିଲୋ, ଭେଣ୍ଡି କିଲୋ ୧୨୦ ଟଙ୍କାରେ ମିଳୁଛି । ତେବେ କହିରଖୁଛୁ ପାକିସ୍ତାନ ପରିବା ମାର୍କଟରେ ଏପରି ମୂଲ୍ୟ ବୃଦ୍ଧି ୨୦୧୭ରେ ମଧ୍ଯ ଦେଖିବାକୁ ମିଳିଥିଲା । ୨ ଦେଶ ମଧ୍ଯରେ ତିକ୍ତତା ଯୋଗୁଁ ପରିବା ରପ୍ତାନୀ ବନ୍ଦ ହୋଇଥିଲା । ସେତେବେଳେ ଆଳୁ କିଲୋ ୩୦୦ ଟଙ୍କାରେ ପହଞ୍ଚି ଯାଇଥିଲା ।