ଭୁବନେଶ୍ୱର,୨୪/୦୨: ମାଂସ ପିଠାରୁ ନେଇ ମହୁଲ ପିଠା । ନାଲି ଚାଉଳ କ୍ଷୀରିକୁ ବରେହିପାଣି । କେହଳ ମହକରେ ପାଟିରୁ ଲାଳ ଗଡିଆସୁଛି । ମେଳା ବୁଲୁଥିବା ପରିଦର୍ଶକମାନେ ଆପେ ଆପେ ଟାଣି ହୋଇଯାଉଛନ୍ତି ଏହି ଖାଦ୍ୟ ଟିକେ ଖାଇବାକୁ । ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଭବ୍ୟ ତୋଷାଳି ମେଳାରେ ଏବେ ଆଦିବାସୀ ଖାଦ୍ୟ ଖାଉଛନ୍ତି ଖାଦ୍ୟପ୍ରେମୀ ।

ଆଉ ମାତ୍ର ଦୁଇଦିନ ପରେ ସରିଯିବ ଏହି ବିରାଟ ଭବ୍ୟ ମେଳା । ହେଲେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଦର୍ଶକ ଏଠାକୁ ବୁଲିବାକୁ ଆସୁଥିବା ବେଳେ ଦେଶୀ ଖାଦ୍ୟ ଖାଇବାକୁ ଭୁଲୁନାହାନ୍ତି । ଏଥରର ମୁଖ୍ୟ ଆକର୍ଷଣ ହେଉଛି "ଟେଷ୍ଟ ଅଫ୍ ଶିମିଳିପାଳ' । ଏହି ଦେଶୀ ଖାଦ୍ୟ ଷ୍ଟଲରେ ସନ୍ଧ୍ୟା ହେଲେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ନାଲି ଚାଉଳରେ ପ୍ରସ୍ତୁତ "ବରେହିପାଣି' ଦେଶୀ ପାନୀୟ,ମହୁଲ ଗଛର ଫୁଲରୁ ମହୁଲ ପିଠା, ନାଲି ଚାଉଳ ଦେଶୀ କ୍ଷୀରି ଓ ପୁରାତନ ଦୁର୍ଲଭ ଜଳଘଣ୍ଟେଇ ପରି ପୁରାତନ ଖାଦ୍ୟ ଦର୍ଶକମାନଙ୍କ ମନ ଜିତୁଛି ଏବଂ ତା ସହିତ ମାଂସ ମୁଢି ଓ ଦେଶୀ କୁକୁଡ଼ା, ମାଂସ ପିଠା, ମାଂସ ପତୁଆ ମଧ୍ୟ ଭାରି ଚାହିଦା । ଏହି ଷ୍ଟଲର ମାଲିକ ତଥା ବାରିପଦାର ଅଜୟ କବାଟ ଏବଂ ତାଙ୍କ ବୋହୂ ଦେବଶ୍ରୀ କହିଛନ୍ତି, ମୟୁରଭଞ୍ଜ ଶିମିଳିପାଳର ସ୍ୱାଦ ସାରା ବିଶ୍ୱରେ ପହଞ୍ଚୁ ଓ ବିଲୁପ୍ତ ହୋଇଯାଉଥିବା ଏହି ଖାଦ୍ୟ ପୁନର୍ଜୀବିତ ହେଉ ।

ଆହୁରି ପଢ଼ନ୍ତୁ :- ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ,ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର

ଅପରପକ୍ଷେ, ତୋଷାଳୀ ମେଳାରେ କେବଳ ହସ୍ତତନ୍ତ କି ଖାଦ୍ୟ ନୁହେଁ, ବହିର କ୍ରେଜ୍ ବି ରହିଛି । ମେଳା ପ୍ରାଙ୍ଗଣରେ ଉତ୍ତରପ୍ରଦେଶରୁ ଆସିଥିବା ‘ଦି ରିଅଲ ମାର୍କ -ବୁକ୍ ଅପ୍’ ପୁସ୍ତକ ଷ୍ଟଲକୁ ଲୋକେ ଯାଉଛନ୍ତି । ପୁସ୍ତକ ବିକ୍ରେତାଙ୍କ କହିବାନୁଯାୟୀ, ସନ୍ଧ୍ୟା ସମୟରେ ଯୁବପିଢି ଓ ଛାତ୍ରଛାତ୍ରୀମାନେ ବେଶି ସଂଖ୍ୟାରେ ଉପନ୍ୟାସ କିଣୁଛନ୍ତି । ସାମାଜିକ, ଐତିହାସିକ,ଓ ରହସ୍ୟମୟ କାହାଣୀ ଭିତ୍ତିକ ଉପନ୍ୟାସ ପ୍ରତି ଅ୍ରଧିକ ଆଗ୍ରହ ଦେଖାଯାଉଛି ।

ସେହିପରି ‘ପରିଧାନ ଉଷ୍ମାୟନ କେନ୍ଦ୍ର’ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କେନ୍ଦ୍ରରେ ଓଡିଶାର ପାରମ୍ପରିକ ହ୍ୟାଣ୍ଡଲୁମ ପୋଷାକକୁ ଆଧୁନିକ ଡିଜାଇନ ସହ ମିଶାଇ ପ୍ରଦର୍ଶନ କରାଯାଉଛି । ସ୍ଥାନୀୟ କାରିଗର ଓ ଡିଜାଇନରମାନେ ମିଶି ତିଆରି କରିଥିବା ନୂତନ ଶୈଳୀର ପରିଧାନ ପ୍ରଦର୍ଶନକୁ ଆସୁଥିବା ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ପରିଧାନ ଉଷ୍ମାୟନ କେନ୍ଦ୍ରର ଲକ୍ଷ୍ୟ ହେଉଛି ଯୁବପିଢିଙ୍କୁ ସ୍ୱଦେଶୀ ପୋଷାକ ଶିଳ୍ପ ପ୍ରତି ଆକର୍ଷିତ କରିବା ଏବଂ ସ୍ୱୟଂ ରୋଜଗାର ସୃଷ୍ଟିକୁ ଉତ୍ସାହିତ କରିବା । ମେଳାକୁ ଆସୁଥିବା ଦର୍ଶକମାନେ କହିଛନ୍ତି ଯେ ପରମ୍ପରା ଓ ଆଧୁନିକତାର ସମନ୍ୱୟ ଏହି କେନ୍ଦ୍ରକୁ ଅନ୍ୟ ଷ୍ଟଲ ଗୁଡିକ ଠାରୁ ଅଲଗା ପରିଚୟ ଦେଇଛି । ଏହି କେନ୍ଦ୍ର କେବଳ ପ୍ରଦର୍ଶନୀ ନୁହେଁ, ବରଂ ଓଡିଶାର ପୋଷାକ ଶିଳ୍ପକୁ ନୂତନ ଦିଗ ଦେବାର ଏକ ସୃଜନଶୀଳ ପ୍ରୟାସ ଭାବେ ପରିଚିତ ହେଉଛି।