ପ୍ରମୂଖ ଖବର
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ତୋଟାପଡ଼ା-କେନ୍ଦାଳ କେନାଲ ରାସ୍ତା କାମ ସରୁନି

Published By : Harapriya Sethi | March 31, 2025 7:38 AM

ଜଗତସିଂହପୁର,୩୧/୩: ପୂର୍ତ୍ତ ବିଭାଗ ଭଳି ଜିଲ୍ଲା ଜଳସେଚନ ବିଭାଗ ମଧ୍ୟ ଜନସାଧାରଣଙ୍କୁ ଦିନରେ ଲଣ୍ଠନ ଦେଖାଇଛି । ସମୟ ଅବଧି ପୂରିବାର ୫ ମାସ ଅତିକ୍ରାନ୍ତ ସତ୍ତେ୍ୱ ୪ କୋଟିରୁ ଊଦ୍ଧ୍ୱର୍ ଟଙ୍କାର କେତେକ କେନାଲ୍‌ ବନ୍ଧ ରାସ୍ତା କାମ ଶେଷ ହୋଇପାରୁ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ, ଉକ୍ତ କେନାଲ୍‌ ବନ୍ଧ ରାସ୍ତାରେ ବର୍ତ୍ତମାନ ଧାଡ଼ି ହୋଇ ବିଦ୍ୟୁତ ଖୁଣ୍ଟ ରହିଛି । କେତେକ ରାସ୍ତା ଉପରେ ଥିବା ବେଳେ ଅନେକ ରାସ୍ତାକୁ ସଙ୍କୁଚିତ କରି ରଖିଛି । ଏଣେ ରାସ୍ତାରେ କେବଳ ମୋରମ, ମେଟାଲ୍‌ ବିଛା ଛାଡ଼ି ଦିଆଯାଇଛି । ମେଟାଲ୍‌ ଗୁଡ଼ିକ ବହୁ ଜାଗାରୁ ଉଠିଯାଇଛି । ଟାଣ ଖରା ଆସିଯାଇ ଥିବାରୁ ଉକ୍ତ କେନାଲ ବନ୍ଧ ରାସ୍ତାରେ ପାଣି ସିଞ୍ଚନର ବ୍ୟବସ୍ଥା ନାହିଁ । ଯଦ୍ୱାରା ଅଞ୍ଚଳବାସୀ କେବଳ ଛଟପଟ ହୋଇ ଚାଲିଛନ୍ତି । 

ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ମଧ୍ୟ ଏତେ ବଡ଼ ପ୍ରକଳ୍ପ କାର୍ଯ୍ୟର ମାନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଶ୍ରୀ ଭୋଇ ନିଜ ଆଡ଼ୁ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ ଅପସାରଣ ନିମନ୍ତେ ଉଭୟ ଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗକୁ ଚିଠି କରିଥିଲେ । ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା କି, ଏଷ୍ଟିମେଟ ପ୍ରସ୍ତୁତ ସମୟରେ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ ଅପସାରଣ ନିମନ୍ତେ କୌଣସି ବ୍ୟୟବରାଦ ହୋଇନାହିଁ । ବିଦ୍ୟୁତ ବିଭାଗ ବି ଜଳସେଚନ ବିଭାଗ ଏ ବାବଦରେ ଟଙ୍କା ଜମା କଲେ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ଅପସାରଣ କରି ଦିଆଯିବ । 

ଅପରପକ୍ଷେ ଟେଣ୍ଡର ପାଇଥିବା ଠିକାସଂସ୍ଥା ଖୁଣ୍ଟ ଥାଇ ସୁଦ୍ଧା ରାସ୍ତା କାମ ଆରମ୍ଭ କରିଥିଲେ । କେଉଁଠି ସଙ୍କୁଚିତ କରି ତ’ ଅନ୍ୟ କେଉଁଠି ବିଦ୍ୟୁତ ଖୁଣ୍ଟକୁ ଲଗାଇ ମୋରମ, ମେଟାଲ ବିଛାଇ ଦେଇଥିଲେ । ଜଳସେଚନ ବିଭାଗ ଓ ଠିକାଦାରଙ୍କ ମେରୀରାୟ ନୀତିକୁ ଦେଖି ଶେଷରେ ନୀରବ ରହିବାକୁ ପଡ଼ିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଭୋଇ । ଶ୍ରୀ ଭୋଇ ମଧ୍ୟ ଯେତିକି ରାସ୍ତା କାମ ହୋଇଛି ତାହା ନିମ୍ନମାନର ଏବଂ ନିକଟରେ ତୋଟାପଡ଼ାଠାରେ ବର୍ଷା ଯୋଗୁଁ କେନାଲ ବନ୍ଧ ଧଶିଯାଇଥିବା ସ୍ୱୀକାର କରିଛନ୍ତି । ଯଦିଓ ଏବେ ଏହାର ମରାମତି ହୋଇଛି ତଥାପି ଉକ୍ତ ପ୍ରକଳ୍ପ କାମ ସରିବାର ଅବଧି ରହିଥିଲା ଗତ ବର୍ଷ ଅକ୍ଟୋବର ମାସ ୪ ତାରିଖ ।

 ହେଲେ ପାଞ୍ଚ ମାସ ଗତ ହେବା ପରେ ବି କେନାଲ ବନ୍ଧ ରାସ୍ତା କାମ ଆଗେଇ ପାରୁ ନାହିଁ । ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀଙ୍କ ଦର୍ଶନ ନାହିଁ ଅଭିଯୋଗ ଆଣିଛନ୍ତି ଶ୍ରୀ ଭୋଇ । ମୋଟ ଉପରେ ୪ଟି ପ୍ୟାକେଜ୍‌ରେ ୧୯(ଏ), ୧୯(ଡି), ୧୯(ଇ) ଓ ରାମଚନ୍ଦ୍ରପୁର ମାଇନର କେନାଲ ବନ୍ଧ ରାସ୍ତାର ନବୀକରଣ ନିମନ୍ତେ ଜଗତସିଂହପୁର ଜଳସେଚନ ବିଭାଗ ପକ୍ଷରୁ ୨୦୨୩-୨୪ ମସିହାରେ ଟେଣ୍ଡର ଆହ୍ୱାନ ସହ ଚୂଡାନ୍ତ କରାଯାଇଛି । ମୋଟ ବ୍ୟୟ ଅଟକଳ ୪ କୋଟି ୨୧ ଲକ୍ଷ ୬୪ ହଜାର ୩୦୭ ଟଙ୍କା ରହିଥିବା ବେଳେ ପ୍ରକଳ୍ପର ସରିବାର ସମୟ ଧାର୍ଯ୍ୟ ହୋଇଥିଲା ଗତବର୍ଷ ଅକ୍ଟୋବର ୪ ତାରିଖ । ଆଶ୍ଚର୍ଯ୍ୟ, ୧୯(ଏ) କେନାଲ ବନ୍ଧ ରାସ୍ତା(ତୋଟାପଡ଼ାରୁ କେନ୍ଦାଳ ଛକ) ଅଧା ହୋଇପଡ଼ିଛି । ରାସ୍ତା ମଝିରେ ସେମିତି ପୁଳା ପୁଳା ବିଦ୍ୟୁତ ଖୁଣ୍ଟ ଛିଡ଼ା ହୋଇରହିଛି । ମୋରମ, ମେଣ୍ଟାଲ ରାସ୍ତା ଉପରକୁ ଉଠିଗଲାଣି । 

କିଛି ମାସ ତଳେ ପ୍ରଥମେ ମାଟି ଓ ପରେ ମୋରମ ବିଛାଇ ଦିଆଯାଇଥିଲେ ସୁଦ୍ଧା ରାସ୍ତା ପାଶ୍ୱର୍ ଧଶି ଯାଇଥିଲା । ପୋତା ବାଲିରେ ମୋରମ ମିଶାଇ ରାସ୍ତାରେ ବିଛା ଯାଇଥିବାରୁ ଏଭଳି ପରିସ୍ଥିତି ବୋଲି ଅଭିଯୋଗ ହୋଇଥିଲା । ୧୯(ଏ) କେନାଲ ବନ୍ଧ ରାସ୍ତା ଉପରେ ତର୍ତ୍ତଙ୍ଗଠାରୁ ଆରମ୍ଭ କରି ଜଗତସିଂହପୁର ପୌରାଞ୍ଚଳର ୧ ନମ୍ବର ୱାର୍ଡ଼ ଏବଂ ଆଖାପାଖ ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ । ଏତଦ୍‌ଭିନ୍ନ କେନାଲରେ ଜଳ ଯୋଗାଣ ନିମନ୍ତେ ଥିବା କିଛି ସୋଠକୁ କାମ କରିବା ସମୟରେ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଉଠୁଛି । ତର୍ତ୍ତଙ୍ଗ ପଞ୍ଚାୟତ ଅଧୀନରେ ରହୁଛି ରାମଚନ୍ଦ୍ରପୁର ମାଇନର ଓ ୧୯(ଏ) କେନାଲ ବନ୍ଧ ରାସ୍ତା । 

ସେହିପରି ଆଳିପିଙ୍ଗଳ ପଞ୍ଚାୟତରେ ଯାଉଛି ୧୯(ଡି) ଓ ୧୯(ଇ) କେନାଲ ବନ୍ଧ ରାସ୍ତା । ମୋଟ ୪ଟି ପ୍ୟାକେଜ୍‌ରେ ଏସମସ୍ତ କେନାଲ ବନ୍ଧ ରାସ୍ତାକୁ ପିଚୁ କରାଯିବ । ଏଠି କିନ୍ତୁ ଦେଖିଲେ ଜଳସେଚନ ବିଭାଗ ପାଖରେ ସଂପୃକ୍ତ ଠିକାଦାର ସତେ ଯେମିତି ଗେହ୍ଲାପୁଅ । ଆଉ ନିରୀହ ଜନସାଧରଣ ସମ୍ଭବତଃ ଗୋତି ଶ୍ରମିକ । ଆଗାମୀ ବର୍ଷା ପୂର୍ବରୁ କାର୍ଯ୍ୟ ସରିବାର ଲକ୍ଷଣ ଦେଖାଯାଉ ନାହିଁ । ଏସଂକ୍ରାନ୍ତରେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାସଙ୍କୁ ଯୋଗାଯୋଗ କରିବାରୁ ମାର୍ଚ୍ଚ ମାସର କାର୍ଯ୍ୟ ବ୍ୟସ୍ତତାକୁ ଦର୍ଶାଇଥିଲେ । ନିକଟରେ ସହରର ୧୦ ନଂ କେନାଲ ବନ୍ଧ ରାସ୍ତାର ନବୀକରଣ କରିବାକୁ ଯାଇ ଉଭୟ ଜଳସେଚନ ଓ ଆର୍‌ଡି ବିଭାଗ ୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ବେଶ ହାତ ଚିକ୍କଣ କରିଥିବା ସ୍ଥଳେ ସାମାନ୍ୟତମ ତଦନ୍ତ କରାଯିବା ମନେ ହୋଇନଥିଲା । ୭୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ଦଶ ନମ୍ବରରୁ ହାଟପୋଲ ପର୍ଯ୍ୟନ୍ତ ମାଛଗାଁ କେନାଲ୍‌ ବନ୍ଧ କାମରେ ବ୍ୟାପକ ଜାଲିଆତି ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.