ରାସ୍ତା ମଝିରେ ଟ୍ରକ୍ଷ୍ଟାଣ୍ଡ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ପେଁ…ଭଁ…ଏମିତି କର୍କଶ ସ୍ୱରଯୁକ୍ତ ହର୍ଣ୍ଣ ବଜାଇ ପଶୁଥିଲା ଗୋଟେ ପରେ ଗୋଟେ ଟ୍ରକ୍ । କିଏ ବାମରୁ ଭର୍ତ୍ତି କରୁଥିଲା ତ ଆଉ କିଏ ଡାହାଣରୁ । ଓଭରବ୍ରିଜ୍ ତଳେ ପହଞ୍ଚିବା କ୍ଷଣି ଚାଳକ ବ୍ରେକ୍ କସି ଦେଉଥିଲେ । ଆଉ ସିଧା ଷ୍ଟାର୍ଟ ବନ୍ଦ କରି ଓହ୍ଲାଇ ପଡ଼ୁଥିଲେ । ରବିବାର ମଧ୍ୟାହ୍ନ ୧୨ଟା ବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍ ତଳେ । ଲାଗୁଥିଲା ଯେମିତି ଟ୍ରକ୍ ଚାଳକମାନେ ଜମି ପଟ୍ଟା କରି ଦେଇଛନ୍ତି । ଆଉ ପୈତୃକ ସମ୍ପତ୍ତିରେ ପାର୍କିଂ କରୁଛନ୍ତି ।
ମାତ୍ର ଅଧଘଣ୍ଟା ଭିତରେ ଗୋଟେ ପରେ ଗୋଟେ ୧୦ରୁ ଅଧିକ ଟ୍ରକ୍ ଓଭରବ୍ରିଜ୍ ତଳେ ଥାକିଥିଲା । କିଛି ସମୟ ଭିତରେ ଫାଙ୍କା ଥିବା ସବୁ ସ୍ଥାନ ଫୁଲ୍ ହୋଇଯାଇଥିଲା । ଶହ ଶହ ଟ୍ରକ୍ ଲମ୍ବା ଲାଇନ୍ ଲଗାଇ ଦେଇଥିଲେ । ଯାହାକି ଟ୍ରକ୍ଷ୍ଟାଣ୍ଡର ଭ୍ରମ ସୃଷ୍ଟି କରୁଥିଲା । ରାସ୍ତା ମଝିରେ ଏମିତି ବେଆଇନ ଟ୍ରକ୍ ପାର୍କିଂ ହେଉଥିଲେ ବି କେହି ପାଟି ଫିଟାଉ ନଥିଲେ ।
ହକି ବିଶ୍ୱକପ୍ ପାଇଁ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍ ତଳ ଚକାଚକ୍ କରାଯାଇଥିଲା । ନୂଆବୋହୂ ବେଶରେ ସଜା ଯାଇଥିଲା । ଯାହାକି ପଥଚାରୀଙ୍କୁ ଘଡିଏ ଅଟକାଇ ଦେଉଥିିଲା ହେଲେ ଦିନ କେଇଟା ଯାଇନି ଏବେ ସ୍ଥିତି ଓଲଟା । ଯେଉଁ ରଙ୍ଗୀନ ଚିତ୍ର ସମସ୍ତଙ୍କ ନଜର ଟାଣୁଥିଲା ଏବେ ତାହା ଦେଖିବାକୁ ମିଳୁନି । ଶହ ଶହ ଟ୍ରକ୍ ଏହାକୁ କବ୍ଜା କରି ନେଇଛନ୍ତି ।
କେବଳ ସେତିକି ନୁହେଁ, ଓଭରବ୍ରିଜ୍ ତଳ ଏବେ ପୂତି ଗନ୍ଧମୟ ହୋଇଯାଇଛି । ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ଯାହାକି ପଥଚାରୀଙ୍କୁ ଆକୃଷ୍ଟ କରିବା ପରିବର୍ତ୍ତେ ଦୂରେଇ ଯିବାକୁ ବାଧ୍ୟ କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ ସରକାର ଓ ବିଏମ୍ସି ଓଭରବ୍ରିଜ୍ ସୌନ୍ଦର୍ଯ୍ୟକରଣକୁ ନେଇ ଯେଉଁ ସୁନେଲି ସ୍ୱପ୍ନ ଦେଖିଥିଲେ ତାହା ଏବେ ରସାତଳଗାମୀ । ସେପଟେ ଏହି ଘଟଣାର ଦୋଷ ମୁଣ୍ଡାଇବାକୁ କେହି ରାଜି ନୁହନ୍ତି । ଟ୍ରାଫିକ୍ ଫୁଲିସ୍ ଓ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ପରସ୍ପରକୁ ଦୋଷ ଠେଲୁଛନ୍ତି ।
କଟକ ପଟୁ ଆସିଲେ ରାଜଧାନୀର ପ୍ରବେଶ ଦ୍ୱାର ରସୁଲଗଡ଼ ଓଭରବ୍ରିଜ୍ । ହେଲେ ଘରେ ପଶୁ ପଶୁ ଚାଳ ବାଜିବା ଭଳି ରାଜଧାନୀର ସୌନ୍ଦର୍ଯ୍ୟ ରସୁଲଗଡ଼ରୁ ବାରି ହୋଇ ପଡ଼ୁଛି । ପର୍ଯ୍ୟଟକଙ୍କ ମନରେ ଏହା ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଛି ।
ଅପରପକ୍ଷରେ ବେଆଇନ ପାର୍କିଂ ଦ୍ୱାରା ଟ୍ରାଫିକ୍ ସମସ୍ୟା ବି ଉପୁଜୁଛି । ଦୀର୍ଘ ସମୟ ଧରି ଗାଡ଼ିମୋଟର ଜାମ୍ ହେଉଛି । ସନ୍ଧ୍ୟାରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ୁଛି । ଏଥିପାଇଁ ଅନେକ ଥର ଛୋଟବଡ଼ ଦୁର୍ଘଟଣା ବି ଘଟିଲାଣି । ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ଅଭିଯୋଗ କଲେଣି । ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଏବେ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।
ସମସ୍ୟା କେବଳ ଏତିକିରେ ସରି ଯାଇନି । ଟ୍ରକ୍ ଚାଳକଙ୍କ ବେଆଇନ ପାର୍କିଂ ଦେଖି କିଛି ଉଠାଦୋକାନୀ ବି ଧୀରେ ଧୀରେ ପସରା ଖୋଲିବା ଆରମ୍ଭ କଲେଣି । ଯଦି ଏବେଠୁ ଏଥିପ୍ରତି ଦୃଷ୍ଟି ଦିଆନଯାଏ ତେବେ ଭବିଷ୍ୟତରେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହେବା ଥୟ ।
ସବୁଠୁ ବଡ଼ କଥା ପୁଲିସ୍ ଓ ପ୍ରଶାସନ ଆଖି ଆଗରେ ଏହି ବେଆଇନ ପାର୍କିଂ ହେଉଛି । ହେଲେ କେହି ପ୍ରତିବାଦ କରୁନାହାନ୍ତି, କି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ସମସ୍ତେ କେବଳ ନିରବଦ୍ରଷ୍ଟା ସାଜିଛନ୍ତି ।
ଏନେଇ ଟ୍ରାଫିକ୍ ଏସିପି ଅନୁପ କାନୁନ୍ଗୋ କହିଛନ୍ତି, ଫ୍ଲାଏଓଭର ତଳେ ବେଆଇନ ପାର୍କିଂ ହେଉଥିବା ଟ୍ରକ୍କୁ ହଟାଇବା ଏନ୍ଏଚ୍ଆଇ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ । ଆମପାଖରେ ସୁରକ୍ଷାକର୍ମୀ କମ୍ ଅଛନ୍ତି । ଏହାଛଡ଼ା ଟ୍ରକ୍ଗୁଡ଼ିକୁ ଜବତ କରି ସେଠାରୁ କାଢ଼ିବା ପାଇଁ ଆମ ପାଖରେ କ୍ରେନ୍ ନାହିଁ ବୋଲି ଏସିସି ଶ୍ରୀ କାନୁନ୍ଗୋ କହିଛନ୍ତି ।
ଏ ବାବଦରେ ଏନ୍ଏଚ୍ଆଇ ପ୍ରୋଜେକ୍ଟ ଡାଇରେକ୍ଟର ଦେବ ପ୍ରସାଦ ସାହୁ କହିଲେ, ଟ୍ରକ୍ ପାର୍କିଂକୁ ହଟାଇବା ପାଇଁ ଆମେ ଡିସିପିଙ୍କୁ ବହୁବାର ଜଣାଇଲୁଣି । ଏଠୁ ଟ୍ରକ୍ ହଟିଲେ ଆମେ ଏହାକୁ ଆଚାର୍ଯ୍ୟବିହାର ଓ ବାଣୀବିହାର ଫ୍ଲାଏ ଓଭର ଭଳି ସୌନ୍ଦର୍ଯ୍ୟକରଣ କରିବୁ । କିନ୍ତୁ କିଛି ସ୍ଥାନୀୟ ଲୋକ ଜୋରଜବରଦସ୍ତ ଗାଡ଼ି ପାର୍କିଂ କରୁଛନ୍ତି । ତାଙ୍କୁ ହଟାଇବା ଆମ ପକ୍ଷେ ସମ୍ଭବ ନୁହେଁ ।
ରସୁଲଗଡ଼ ଦୁର୍ଗାପଡ଼ିଆ ନିକଟରେ ଥିବା ରାଜଧାନୀ ଟ୍ରକ୍ ଆସୋସିଏସନ୍ ସଭାପତି ପ୍ରଦୀପ ଦୋରିଆଙ୍କୁ ପଚାରିବାରୁ ସେ କହିଲେ, ଆସୋସିଏସନ୍ରେ ଯେଉଁ ଟ୍ରକ୍ଗୁଡ଼ିକ ଅଛନ୍ତି, ସେମାନେ ଏଠି ପାର୍କର୍ିଂ କରୁନାହାନ୍ତି । ପୁୁଲିସ୍ ଏମାନଙ୍କୁ ପ୍ରଶ୍ରୟ ଦେଉଛି । ଫ୍ଲାଏଓଭର ତଳେ ଗାଡ଼ି ପାର୍କିଂ ହେବା ଦ୍ୱାରା ବିଭନ୍ନ ସମୟରେ ଦୁର୍ଘଟଣା ଘଟୁଛି ଓ ରାଜଧାନୀର ସୌନ୍ଦର୍ଯ୍ୟ ବି ନଷ୍ଟ ହେଉଛି ।
