ଟ୍ରାକ୍ଟର ଓଲଟି ୨ ମୃତ, ୪ ଗୁରୁତର

ଢେଙ୍କାନାଳ, ୦୯/୦୩ : ଟ୍ରାକ୍ଟର ଓଲଟି ୨ ମୃତ, ୪ ଗୁରୁତର। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଉ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଅଷ୍ଟପ୍ରହରୀ ନିମନ୍ତେ ଜଙ୍ଗଲରୁ ଝାଟି ସଂଗ୍ରହ କରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅଘଟଣ ଘଟିଛି। ଅଧାରାସ୍ତାରେ ହଠାତ୍ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ମଠକରୋଗଳା ମେଡିକାଲରେ ପ୍ରଫୁଲ୍ଲୁ କୁମାର ସାମଲ (୪୪ ବର୍ଷ)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭୁବନ ମେଡିକାଲରେ ହରିହର ସାମଲ (୬୫ ବର୍ଷ)ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ତେବେ ଏହି ଦୁର୍ଘଟଣାରେ ଦୁଇ ନାବାଳକ ଗୁରୁତର ଥିବା ଜଣାପଡିଛି । ଦୁଇ ନାବାଳକ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣାପଡିଛି । ସେପଟେ ଖବର ପାଇ ଭୁବନ ଥାନା ଓ ସୁରପ୍ରତାପପୁର ପୁଲିସ ତଦନ୍ତ ଆରମ୍ଭ କରିଛି । ଗୁରୁତର ନାବାଳକ ସତ୍ୟଜିତ ପୁହାଣ (୧୫ ବର୍ଷ), ଉମାଶଙ୍କର ରାଉଳ (୧୪ ବର୍ଷ), ଜଳଧର ସ୍ବାଇଁ (୬୫ ବର୍ଷ) ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ।