ଭୁବନେଶ୍ୱର ୦୩/୦୨: ବଦଳିଛି ପରମ୍ପରା । ହଜିଗଲାଣି ଚଳଣି । ପଶିଆସିଲାଣି ଅଧୁନିକତା ଏବଂ ଅନ୍ୟରାଜ୍ୟର ଚଳଣି । ଏକ ପ୍ରକାରର ପରମ୍ପରାକୁ ଠେଲିଦେଲାଣି ନୂଆ ଟ୍ରେଣ୍ଡ୍ । ଏମିତି ପ୍ରତିଯୋଗିତା ଚାଲିଲାଣି ଯେ, ଯେଉଁଟାକୁ ନକରିବା ପଛରେ ପଡ଼ିଗଲା ଭଳି ଲାଗୁଛି । ଆଉ ସେଇଥିପାଇଁ ଖର୍ଚ୍ଚ ହେଉଛି ପୁଳା ପୁଳା ଟଙ୍କା । ଆଗକୁ ଯାହାର ପୁଅ କିମ୍ବା ଝିଅ ବାହାହେବାକୁ ରହୁଛନ୍ତି ସେମାନଙ୍କ ମୁଣ୍ଡରେ ଆଗୁଆ ବଜ୍ର ପଡ଼ୁଛି । ସାଧାରଣ ବର୍ଗଠାରୁ ଆରମ୍ଭ କରି ସଂଭ୍ରାନ୍ତ ପର୍ଯ୍ୟନ୍ତ ବାହାଘର ଖର୍ଚ୍ଚ ମାୟାରେ ବାୟା । ଏଥିରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ପଛରେ ପଡ଼ିନି । ବାହାଘର ଋତୁ ଚାଲିଥିବାରୁ ପ୍ରାୟ ପ୍ରତ୍ୟେକ ଦିନ ବର୍ଣ୍ଣାଢ୍ୟ ଶୈଳୀରେ ବାହାଘର ହେଉଛି । 

ବ୍ୟାଚଲର ପାର୍ଟି :

ବ୍ୟାଚଲର୍ ପାଟି କହିଲେ ଅବିବାହିତମାନେ ଏକାଠି ହେଉଥିଲେ, ମଜା ମସ୍ତି ସାଙ୍ଗକୁ ଖିଆପିଆ କରୁଥିଲେ । ହେଲେ ବର୍ତ୍ତମାନ ଘରଠାରୁ ଦୂରରେ ସ୍ୱତସ୍ତ୍ର ଭେବେ ହେଉଛି ଆୟୋଜନ । ପୁଅର ବ୍ୟାଚଲର ବନ୍ଧୁ ସମେତ ଝିଅର ବ୍ୟାଚଲର ବନ୍ଧୁମାନେ ଏକାଠି ହୋଇ ରାତିଭରି କରୁଛନ୍ତି ଉତ୍ସବ । ଖାଦ୍ୟ ଓ ପାନୀୟ ସାଙ୍ଗକୁ ଗୀତରେ ତାଳେ ତାଳେ ଝୁମୁଛନ୍ତି । 

ପ୍ରି ୱେଡିଙ୍ଗ୍ ଫଟୋସୁଟ୍ :

ପୂର୍ବେ ବାହାଘର ପୂର୍ବରୁ ବର କନିଆଁ ମୁହଁ ଦେଖାଦେଖି ହେଉନଥିଲେ । କିନ୍ତୁ ବର୍ତ୍ତମାନ ଡେଟିଙ୍ଗ୍‌ରେ ଯାଉଛନ୍ତି, ଫଟୋସୁଟ୍ କରୁଛନ୍ତି । ଯାହାକୁ ଅଧୁନିକ ଭାଷାରେ କୁହାଯାଉଛି ‘ପ୍ରି ୱେଡିଙ୍ଗ୍ ଫଟୋସୁଟ୍’ । ଏଥିପାଇଁ ମଧ୍ୟ ବଜେଟ୍ ହେଉଛି । କେଉଁଠି କରିବ କରିବ କେମିତି କରିବ । ଏହି ଫଟୋକୁ ଉଠାଇବା ପାଇଁ କିଏ ସମୁଦ୍ର କୂଳରେ ଦୁଇବାହୁକୁ ପ୍ରସାରିତ କରି ଠିଆହେଉଛି ତ କିଏ ପାହାଡ଼ ଉପରକୁ ଚଢୁଛନ୍ତି । ଆଉ ତାଙ୍କ ସହିତ ଯାଉଛନ୍ତି କ୍ୟାମେରା ଟିମ୍ । ସବୁଠାରୁ ବଡ଼ କଥା ଭିଡ଼ିଓ ଏବଂ ଫଟୋକୁ ବାହାଘର ଦିନ ଅତିଥିମାନଙ୍କ ସମ୍ମୁଖରେ ଡିସ୍‌ପ୍ଲେ କରାଯାଉଛି । ବିଶେଷକରି ଏହି ଫଟୋସୁଟ୍ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ଯାଉଛନ୍ତି । ଫଟୋସୁଟ୍ ପାଇଁ ଧଉଳୀ, ଖଣ୍ଡଗିରି, ବିନ୍ଦୁସାଗର, କୋଣାର୍କ, କୋରାପୁଟ୍ ଭଳି ସ୍ଥାନକୁ ଲୋକମାନେ ଅଧିକ ଚୟନ କରୁଛନ୍ତି । ଫଟୋସୁଟ୍ କରିବା ପାଇଁ ୨ ରୁ ୩ ଦିନ ମଧ୍ୟ ଲାଗିଯାଏ । ଆଉ ଏହି ଫଟୋ ଉଠାଇବାପାଇଁ ଫଟୋଗ୍ରାଫରମାନେ ଦିନକୁ ୩୦ ହଜାର ଟଙ୍କା ନେଉଛନ୍ତି । ବାହାଘର ପୂର୍ବରୁ ଆରମ୍ଭ କରି ରିସେପ୍ସନ୍ ପର୍ଯ୍ୟନ୍ତ ବିଭିନ୍ନ ଉତ୍ସବର ଫଟୋଉଠାଇବା ପାଇଁ ଅତିକମ୍‌ରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । 

ବରମାଲାରେ ସ୍ପେସାଲ୍ ଇଫେକ୍ଟ :

ଗୀତ ବାଜିବ, ଆକାଶରୁ ଡ୍ରୋନ୍ ଯୋଗେ ଫୁଲ ଝରିବ ଆଉ ସେହିସମୟରେ ବର ଓ ବଧୂଙ୍କ ପ୍ରବେଶ ହେବ । ଆଉ ଦୁହେଁ ଦୁହିଁଙ୍କୁ ଫୁଲମାଳ ପିନ୍ଧାଇବେ । ଯାହାକୁ କୁହାଯାଉଛି ବରମାଲା ଉତ୍ସବ । ଆଉ ଏହି ଉତ୍ସବରେ ଗ୍ରାହକମାନେ ସ୍ପେସାଲ୍ ଇଫେକ୍ଟକୁ ଦେବାକୁ ପସନ୍ଦ କରୁଛନ୍ତି । ଯେଉଁଥିରେ ବର୍ଣ୍ଣାଢ୍ୟ ଶୈଳୀରେ ବର ଓ ବଧୂଙ୍କର ପ୍ରବେଶ ହୋଇଥାଏ । ଏହି ସ୍ପେସାଲ୍ ଇଫେକ୍ଟର ମୁଖ୍ୟ ଅଂଶ ହେଉଛି କୋଲ୍ଡ ଫାୟାର । ଖାଲି ସେତିକି ନୁହେଁ ପୂର୍ବରୁ ପିନ୍ଧାଯାଉଥିବା ବଉଳପାଟକୁ ପଛକୁ ଠେଲି ଲେହେଙ୍ଗା ପିନ୍ଧାଚାଲିଛି । ପୁଣି ଦିନକରେ କଥା ସରୁନି ହଳଦୀ ଦିନ ଗୋଟେ ପିନ୍ଧା ହେଲାବେଳକୁ, ମେହେନ୍ଦି, ବାହାଘର, ଭୋଜିରେ ରହୁଛି ଭିନ୍ନ ଭିନ୍ନ ଡିଜାଇନ୍‌ର ଲେହେଙ୍ଗା । ଯାହା ୧୦ ହଜାରୁ ଆରମ୍ଭ କରି ୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟ ରହୁଛି । 

ବାହାଘରରେ ମୋଟା ଅଙ୍କର ରୋଜଗାର :

ବର୍ତ୍ତମାନ ନୂଆ ପରମ୍ପରା ଆଧାରିତ ବାହାଘର ଅନେକଙ୍କୁ ରୋଜଗାର ଦେଉଛି । ଫଟୋଗ୍ରାଫରଙ୍କଠୁ ଆରମ୍ଭ କରି କ୍ୟାଟ୍ରିଙ୍ଗ୍, ଇଭେଣ୍ଟ ପ୍ଲାନର, ମେକ୍‌ଅପ୍ ଆର୍ଟିଷ୍ଟ, ଫୁଲ ଦୋକାନୀ, ବସ୍ତ୍ର ଦୋକାନୀ, ହୋଟେଲ୍ ପର୍ଯ୍ୟନ୍ତ । ପୂର୍ବତୁଳାନାରେ ବାହାଘରରେ ପସନ୍ଦ ବଦଳୁଥିବାରୁ ବଜେଟ୍ ବଢୁଛି । ଯାହାର ଫଳସ୍ୱରୂପ ବିବାହର କେଇମାସ ଖଟିଦେଲେ କିଛିଲୋକ ବେଶ୍ ମୋଟା ଆକାରର ଟଙ୍କା ରୋଜଗାର କରୁଛନ୍ତି ।