ପୁରୀ, ୩୧/୦୧ : କାଳିଆ ସାଆନ୍ତଙ୍କ ନୀତି ଯେପରି ଅନନ୍ୟ, ସେହିପରି ଠାକୁରଙ୍କ ବିଭିନ୍ନ ବେଶ ଦୁର୍ଲଭ। ବଡ଼ଦେଉଳ ପରମ୍ପରାରେ ଠାକୁରଙ୍କ ବେଶ ପ୍ରସ୍ତୁତିର କୌଣସି ତୁଳନା ନାହିଁ । ଏବେ ପାରମ୍ପରିକ ତଥା ଅସଲି ଦ୍ରବ୍ୟ ଅଭାବରୁ ଠାକୁରଙ୍କ ବେଶ ତିଆରି ନେଇ ଚିନ୍ତା ପ୍ରକଟ କରୁଛନ୍ତି ସ୍ୱତନ୍ତ୍ର ବେଶ କାରିଗର । ବଙ୍ଗଳା (କୋଲକାତା) ସୋଲରେ ମହାପ୍ରଭୁଙ୍କ ବେଶ ତିଆରି ହେଉଛି । ବେଶ ପାଇଁ ଆବଶ୍ୟକ ଭଲ ଅଠା ମଧ୍ୟ ଏଠାରେ ମିଳୁନି । କିଛି ବର୍ଷ ପୂର୍ବେ ଅଠା ଖରାପ ଥିବାରେ ଶ୍ରୀଅଙ୍ଗରୁ ବେଶ ଖସିଥିଲା । ସ୍ଥାନୀୟ ଅଞ୍ଚଳରେ ଅଭାବ ପଡ଼ିବାରେ ବୌଦ୍ଧରୁ କଇଁଥ ଅଠା ଆସି ଠାକୁରଙ୍କ ସାଜ ତିଆରି ହେଉଛି । ପାଣି ସୋଲ ଏଠାରେ ଆଉ ହେଉନି । ଏପରିକି ପାରମ୍ପରିକ କାରିଗରି ଓ କୌଶଳ ମଧ୍ୟ ବୁଡ଼ିଯିବା ସ୍ଥିତିରେ । ବର୍ତ୍ତମାନ ବଙ୍ଗଳା ସୋଲ ଓ ବୌଦ୍ଧର କଇଁଥ ଅଠାକୁ ନିର୍ଭର କରି ଠାକୁରଙ୍କ ବେଶ ପ୍ରସ୍ତୁତ ହେଉଛି । ଏଣୁ ମହାପ୍ରଭୁଙ୍କ ବେଶର ସ୍ୱତନ୍ତ୍ରତା ଓ ବଡ଼ଦେଉଳ ପରମ୍ପରା କିପରି ବଜାୟ ରହିବ ବୋଲି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବେଶ ପ୍ରସ୍ତୁତକାରୀ ।

ମହାପ୍ରଭୁଙ୍କ ବେଶ ପ୍ରସ୍ତୁତିରେ ଆବଶ୍ୟକ ସାମଗ୍ରୀର ଘୋର ଅଭାବ ପଡ଼ିଲାଣି । ଏବେ ସ୍ଥାନୀୟ ଅଞ୍ଚଳରେ ଏସବୁ ଉପଲବ୍ଧ ହେଉ ନାହିଁ । ଠାକୁରଙ୍କ ବିଭିନ୍ନ ବେଶରେ ସୋଲର ଯଥେଷ୍ଟ ଗୁରୁତ୍ୱ ରହିଛି । କୋଲକାତା ଯାଇ ଯୋଗାଡ଼ କଲେ ବେଶ ପାଇଁ ସୋଲ ପହଞ୍ଚୁଛି । ଆଗେ ଯୋଗାଣରେ ସହଯୋଗ କରୁଥିବା ମଠ ଖମାର ଆଦି ବନ୍ଦ ହେବାକୁ ବସିଲାଣି । ଯୋର ବି ଶୁଖିଲାଣି । ଏଣୁ ପାଣି ସୋଲର ସେଭଳି ଉତ୍ପାଦନ ନାହିଁ । ବର୍ଷା ଦିନେ ପାଣି ବଢ଼ିଲେ ଜଳାଶୟରେ ସୋଲ ଗଛ ଉଠେ । ତାହାକୁ କାର୍ତ୍ତିକ ମାସ ପାଖାପାଖି ଦିନରେ କାଟି ସାଇତି ରଖିଲେ ବର୍ଷ ଗୋଟାକ ସେଥିରେ କାର୍ଯ୍ୟ ହୁଏ । ଏବେ ସୋଲ ନମିଳିବାରେ ରାଜ୍ୟପାର ହେବାକୁ ପଡୁଛି । ଏପଟେ ପାରମ୍ପରିକ କାରିଗରୀ ଓ ପୁରାତନ ଜିନିଷ ସବୁ ଆଗକୁ ବଞ୍ଚାଇ ରଖିବା ନେଇ ପ୍ରଶ୍ନ ଉଠିଲାଣି । ବେଶ ତିଆରିରେ ବେଶି ଟଙ୍କା ମିଳେ ନାହିଁ । ସେତେବେଳେ କାରିଗରମାନେ ମଠ ସହିତ ଜଡ଼ିତ ରହୁଥିଲେ । ସବୁ କିଛି ସାହାଯ୍ୟ ମିଳୁଥିଲା । ମଠର ଦେଣି ନେଣି ବି ଭଲ ଥିଲା । ଏବେ ଏସବୁରେ ମଧ୍ୟ ଯଥେଷ୍ଟ ଫରକ ଆସିଛି ।

ଠାକୁରଙ୍କ ବେଶ କାରିଗର ସତ୍ୟନାରାୟଣ ବେହେରା କୁହନ୍ତି, ୪ ବର୍ଷ ହେଲାଣି ସୋଲର ଉତ୍କଟ ଅଭାବ ଦେଖାଯାଇଛି । ଆମ ଜିଲ୍ଲାର ପୁରୀ ସଦର ଉର ଅଞ୍ଚଳ, ବ୍ରହ୍ମଗିରି ସମେତ ଭଦ୍ରକ ଓ ବାଲେଶ୍ୱର ପଟେ ଭଲ ସୋଲ ମିଳେ । ଏବେ ଆମ ଅଞ୍ଚଳରେ ଅଭାବ ପଡ଼ିବାରେ କୋଲକାତାରୁ ସୋଲ ଅଣା ଯାଉଛି । ଯଦି କେଉଁଠି ସ୍ଥାନୀୟ ବେପାରୀ ସୋଲ ପାଉଛନ୍ତି ବଡ଼ଦେଉଳ କାମରେ କମ୍ ଟଙ୍କା ମିଳିବ ଜାଣି ସେସବୁ ଅନ୍ୟତ୍ର ବିକୁଛନ୍ତି । ସେହିଭଳି ଠାକୁରଙ୍କ ବେଶ ପାଇଁ ଭଲ କଇଁଥ ଅଠା ଦରକାର । ଅସଲ ଅଠା ନମିଳିଲେ ଠାକୁରଙ୍କ ବେଶ ତିଆରି ସମ୍ଭବ ହେବନି । ଜରି ଜମ୍ବୁରା ଆମେ ବଜାରରୁ ନେଇଆସିବୁ । ହେଲେ ଠାକୁରଙ୍କ ବେଶ ପାଇଁ ଭଲ ସୋଲ ଓ କଇଁଥ ଅଠା ଆଦି ନମିଳିଲେ କ’ଣ କରାଯିବ! ବଡ଼ଦେଉଳ ପରମ୍ପରା ମୁତାବକ ଠାକୁରଙ୍କ ବେଶ ତିଆରି କରିବା ସନ୍ତୋଷଜନକ ହେବନି । ମହାପ୍ରଭୁଙ୍କ ବେଶରେ ପ୍ରାକୃତିକ ଦ୍ରବ୍ୟର ଆବଶ୍ୟକତା ପୂରଣ ପାଇଁ ସମସ୍ତେ ତତ୍ପରତା ଦେଖାଇବାକୁ ଶ୍ରୀ ବେହେରା ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ରବିବାର ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ ନୀତି, ଶ୍ରୀମନ୍ଦିର ମ୍ୟୁଜିୟମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ