କଟକ,୦୩/୦୨:  ବଜାର, ଛକରେ ଯାନବାହାନ ପରିଚାଳନା ଓ ଗହଳି ନିୟନ୍ତ୍ରଣ ଟ୍ରାଫିକ୍ ପୁଲିସର ମୂଳ ଦାୟିତ୍ୱ । କଟକ କମିସନରେଟ୍ ଟ୍ରାଫିକ୍ ପୁଲିସ ତାର ମୂଳ ଦାୟିତ୍ୱ ଭୁଲି ବାଇକ୍, ସ୍କୁଟର୍ ଆରୋହୀ ଆଦି ଦୁଇ ଚକିଆ ଚାଳକଙ୍କଠାରୁ ଜରିମାନା ଚାଲାଣ କାଟିବାରେ ବ୍ୟସ୍ତ ରହୁଛି । ଦୁଇ ଟ୍ରାଫିକ୍ ଥାନାରେ ପୁଲିସ ଅଫିସରଙ୍କଠାରୁ କନଷ୍ଟେବଲ ଓ ହୋମଗାର୍ଡଙ୍କ ପର୍ଯ୍ୟନ୍ତ ଡ୍ୟୁଟି ସମୟରେ ହାତରୁ ମୋବାଇଲ୍ ଖସୁନି । ଗାଡ଼ି ପଛ ପଟୁ ଫଟୋ ଉଠାଇବାରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି ।

ମୂଳ ଦାୟିତ୍ୱ ଛାଡ଼ି ରାସ୍ତାଘାଟରେ ଦୃଷ୍ଟି ଆଢ଼ୁଆଳରେ ରହି ମୋବାଇଲ୍‌ରେ ଫଟୋ ଉଠାଉଥିବା ଟ୍ରାଫିକ୍ ପୁଲିସର ଏପରି କାମ ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ଗାଡ଼ିମୋଟର ନମ୍ବର ପ୍ଲେଟ୍ ଫଟୋ ଉଠାଉଥିବା ବେଳେ ଲୋକେ ପୁଲିସର ଫଟୋ ଉଠା ଶୈଳୀକୁ ମୋବାଇଲ୍‌ରେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି । ଚାଲାଣ କାଟିବା ପାଇଁ ପୁଲିସର ବ୍ୟଗ୍ରତାକୁ ସୋସିଆଲ୍ ମିଡିଆରେ ବହୁ ସମାଲୋଚନା କରାଯାଉଛି । ଏମିତିକି ପୁଲିସ ବିରୋଧରେ ସୋସିଆଲ୍ ମିଡିଆରେ ଲୋକେ ବହୁ କଡ଼ା ଟିପ୍ପଣୀ ଦେଉଥିବାର ଦେଖିବାକୁ ମିଳୁଛି । ସହରରେ ଟ୍ରାଫିକ୍ ବ୍ୟବସ୍ଥା ସବୁଠି ବିଗିଡ଼ିଥିବା ବେଳେ ଗହଳି ନିୟନ୍ତ୍ରଣ ଓ ଗାଡ଼ିମୋଟର ସୁବିଧାରେ ଚଳପ୍ରଚଳ ପାଇଁ ପୁଲିସ ତତ୍ପର ହେବା ବଦଳରେ ଅଫିସରଙ୍କଠାରୁ ସାବାସି ନେବା ପାଇଁ କର୍ମଚାରୀମାନେ ପ୍ରତିଯୋଗିତା ମୂଳକ ଚାଲାଣ କାଟୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, କମିସନରେଟ୍‌ରେ ମଧୁପାଟଣାଠାରେ ଥିବା ଟ୍ରାଫିକ୍ ଥାନା ଓ ଏନ୍ଏଚ୍ ଟ୍ରାଫିକ୍ ଥାନା ଅଧୀନରେ ୨୯ଟି ସ୍ଥାନରେ ଇଲେକ୍ଟ୍ରି ସିଗନାଲ୍ ପୋଷ୍ଟ୍ ରହିଛି । ସହରର ବିଭିନ୍ନ ବଜାର ଛକ ସମେତ ଜାତୀୟ ରାଜପଥରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପୋଷ୍ଟ୍‌ ଗୁଡ଼ିକରେ ଯାନବାହାନ ନିୟନ୍ତ୍ରଣ ଲାଗି କର୍ମଚାରୀ ଅଭାବ ରହିଛି । ସିଗନାଲ୍ ଥାଇ ଅଧିକାଂଶ ଥାନାରେ ତାହା କାମ କରୁଥିବାରୁ ଟ୍ରାଫିକ୍ରେ ଅଧିକ କର୍ମଚାରୀ ନିୟୋଜିତ ଲାଗି ଡିସିପିଙ୍କୁ ଟ୍ରାଫିକ୍ ଏସିପି ଅବଗତ କରାଇ ଆସୁଛନ୍ତି । ଟ୍ରାଫିକ୍ ପୁଲିସରେ କନଷ୍ଟେବଲ୍ କମ୍ ଥିବାରୁ ଅନେକ ସମୟରେ ହୋମଗାର୍ଡ ଓ ଓଏପିଏଫ୍ କର୍ମଚାରୀ କାମ ଚଳାଉଛନ୍ତି । ଟ୍ରାଫିକ୍ ପରିଚାଳନା ପାଇଁ କନଷ୍ଟେବଲ୍ ଓ ଅଫିସର ଅଭାବ ରହିଥିବା ବେଳେ ରାସ୍ତାଘାଟରେ ସମ୍ପୃକ୍ତ ପୁଲିସ କର୍ମଚାରୀମାନେ ସେମାନଙ୍କ ମୂଳ ଦାୟିତ୍ୱରୁ ତଥା ଟ୍ରାଫିକ୍ ପୋଷ୍ଟରୁ ବାହାରି ରାସ୍ତାର ବିଭିନ୍ନ କୋଣ, ଦୋକାନ ବାରଣ୍ଡା ଆଦି ପଥଚାରୀଙ୍କ ଦୃଷ୍ଟି ଆଢୁଆଳରେ ରହି ଫଟୋ ଉଠାଇବାକୁ ପ୍ରାଥମିକତା ଦେଉଥିବାର ଦେଖିବାକୁ ମିଳୁଛି । ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କଠାରୁ ଜରିମାନା ଆଦାୟ ବାବଦ ଚାଲାଣ କାଟିବା ପାଇଁ ଟ୍ରାଫିକ୍ ପୁଲିସର ଏପରି ସକ୍ରିୟତାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ବାଦାମବାଡ଼ି ଟ୍ରାଫିକ୍‌ର ଚାରି ଛକ ଉପରେ ଜଣେ କର୍ମଚାରୀ ଡ୍ୟୁଟି କରୁଥିବା ବେଳେ ଆଉ ତିନି ଜଣ କର୍ମଚାରୀ ତିନି କୋଣରେ ଠିଆ ହୋଇ ମୋବାଇଲ୍ରେ ଫଟୋ ଉଠାଇବାରେ ବ୍ୟସ୍ତ ରହୁଛନ୍ତି ।

ସେହିପରି ଖାନ୍ନଗର ଟ୍ରାଫିକ୍ ଛକରେ ଯାନବାହାନ ନିୟନ୍ତ୍ରଣ ପାଇଁ ସିଗନାଲ୍ ପୋଷ୍ଟ୍ ନାହିଁ । ଜଣେ କର୍ମଚାରୀ ଟ୍ରାଫିକ୍ ପୋଷ୍ଟ୍ରେ ଠିଆ ହୋଇ ହାତ ଠାରି ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ବେଳେ ଆଉ ଦୁଇ ଜଣ କର୍ମଚାରୀ ନିକଟସ୍ଥ ଏକ ଗଛମୂଳେ ଲୁଚି ରହି ଫଟୋ ଉଠାଉଥିବାର ଦେଖିବାକୁ ମିଳୁଛି । ସେହିପରି ଦୋଳମୁଣ୍ଡାଇ ଛକରେ ଅହରହ ଗହଳି ହେଉଛି । ଚାରି ପଟୁ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ନ ଥିବାରୁ ଗାଡ଼ି ଘଣ୍ଟାଘଣ୍ଟା ଗହଳିରେ ଠିଆ ହେଉଛି । ରାଣୀହାଟ ଟ୍ରାଫିକ୍ ଛକ ସମେତ ସ୍ଥାନୀୟ ତାଳଦଣ୍ଡା ପୋଲ ପାଖରେ ଏବଂ କଲେଜ ଛକ, ଓଏମ୍ପି ଛକ, ସତୀଚଉରା, ମାତାମଠ ଛକ ଆଦି ଛକରେ ଯାନବାହାନ ନିୟନ୍ତ୍ରଣ ପାଇଁ ପୁଲିସ ଦେଖାନଥିବା ବେଳେ ଉକ୍ତ ଅଞ୍ଚଳରେ ଦୃଷ୍ଟି ଆଢ଼ୁଆଳରେ ରହି ଫଟୋ ଉଠାଉଥିବାର ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ:- ନୂଆ ଖଣିଜ ନିୟମ ଲାଗୁ : ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍, MSP ଧାର୍ଯ୍ୟ କରିବେ ସରକାର