କଟକ,୧୩/୦୭: ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ)ରେ ୨୧ଟି ସବ୍-ଇନ୍ସପେକ୍ଟର (ଟ୍ରାଫିକ୍) ପଦ ମଧ୍ୟରୁ ୫୦% ପଦ ବିଭାଗୀୟ ପଦୋନ୍ନତି ଆଧାରରେ ଏବଂ ବାକି ୫୦% ପଦରେ ସିଧାସଳଖ ନିଯୁକ୍ତି ଦେବାକୁ ହାଇକୋର୍ଟର ଜଣକିଆ ବିଚାରପତି ଦେଇଥିବା ଆଦେଶକୁ ଚାଲେଞ୍ଜ୍ କରି ରୁଜୁ ମାମଲାରେ ହାଇକୋର୍ଟ ଖଣ୍ଡପୀଠ ଅନ୍ତରୀଣ ଆଦେଶରେ ତିନୋଟି ପଦ ପୂରଣ ନକରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣକିଆ ବିଚାରପତିଙ୍କ ଆଦେଶକୁ ଚାଲେଞ୍ଜ୍ କରି ରାଜ୍ୟ ସରକାର ହାଇକୋର୍ଟକୁ ଆସିଥିଲା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ୍କୋର୍ଟରେ ରୁଜୁ ସ୍ୱତନ୍ତ୍ର ଲିଭ୍ ପିଟିସନ୍ର ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଏହି ୩ଟି ପଦବି ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
୨୧ଟି ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପଦବି ପୂରଣ ପାଇଁ ଏସ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୧ଟି ଯାକ ସିଧାସଳଖ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । ଏହାକୁ ଚାଲେଞ୍ଜ୍ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଜଣକିଆ ବିଚାରପତି ୨୦୨୪ ନଭେମ୍ବର ୨୭ରେ ୨୧ଟି ପଦ ମଧ୍ୟରୁ ୫୦% ପଦବିରେ ବିଭାଗୀୟ ପଦୋନ୍ନତି ଆଧାରରେ ଏବଂ ବାକି ୫୦% ପଦରେ ସିଧାସଳଖ ନିଯୁକ୍ତି ଦେବାକୁ କହିଥିଲେ । ଏହାକୁ ଚାଲେଞ୍ଜ୍ କରି ଏସ୍ଟିଏ ପକ୍ଷରୁ ହାଇକୋର୍ଟରେ ଦୁଇଟି ପୃଥକ୍ ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲାରେ ହାଇକୋର୍ଟ ମାର୍ଚ୍ଚ ୧୭ରେ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରି ସିଧାସଳଖ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ୪ ଜଣ ଆଶାୟୀ ପ୍ରାର୍ଥୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୁପ୍ରିମ୍କୋର୍ଟ ଶୁଣାଣି କରି ଚାରୋଟି ପଦ ପୂରଣ ନ କରିବାକୁ ନିର୍ଦ୍ଦେଶ ଦେବା ସହ ହାଇକୋର୍ଟଙ୍କ ଆଦେଶରେ ରହିତାଦେଶ ଜାରି କରିଥିଲେ । ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିଲାବେଳେ ଏସ୍ଟିଏର ଅନ୍ୟ ରିଟ୍ ଅପିଲ୍ ଉପରେ ହାଇକୋର୍ଟରେ ଶୁଣାଣି ହୋଇଥିଲା । ମାମଲାରେ ଆଉ ତିନି ଜଣ ଆଶାୟୀ ପ୍ରାର୍ଥୀ ନିଜ ପକ୍ଷ ରଖି ସୁପ୍ରିମ୍କୋର୍ଟଙ୍କ ଆଦେଶ ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରିଥିଲେ । ଯେହେତୁ ଚାରୋଟି ପଦ ଖାଲି ରଖିବା ଲାଗି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି ସେହି ଆଧାରରେ ଅନ୍ୟ ତିନି ଜଣଙ୍କ ଲାଗି ମଧ୍ୟ ପଦ ଖାଲି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟରଞ୍ଜନ ପତି ଏହି ମାମଲା ପରିଚାଳନା କରୁଛନ୍ତି ।