ଭୁଲିଗଲେ ଡ୍ୟୁଟି: ଟ୍ରାଫିକ୍ ପୋଷ୍ଟ ଛାଡ଼ି ପୁଲିସ୍ଙ୍କ ଜମିଥିଲା ଆସର, ଗୀତଗାଇବା ସହ ତାଳି ବାଡେଇ କରୁଥିଲେ ମଜା

ସମ୍ବଲପୁର,୧୪/୧୧: ‘ମୈରେ ଅଙ୍ଗନେ ମେଁ…’ । ଗୀତ ଚାଲିଛି ଜୋର୍ସୋରରେ, ତାଳି ବାଡ଼େଇ ଅସର ଜମାଉଛନ୍ତି ଅନ୍ୟ ଅଂଶଗ୍ରହଣକାରୀ । ଏହି ଦୃଶ୍ୟ କୌଣସି ଆସରର ନୁହେଁ ବରଂ ସହରର ବ୍ୟସ୍ଥବହୁଳ ଲକ୍ଷ୍ମୀଟକିଜ ଛକର । ଆଉ ଗୀତଗାଇ, ତାଳି ବାଡ଼େଇ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିବା ଅଂଶଗ୍ରହଣକାରୀ ଆଉ କେହି ନୁହନ୍ତି ବରଂ ସେଠାରେ କାର୍ଯ୍ୟରତ ଟ୍ରାଫିକ୍ ବିଭାଗର କର୍ମଚାରୀ । ବୁଧବାର ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପରେ ସନ୍ଧ୍ୟାରେ ପୁଣି ଚଳଚଞ୍ଚଳ ହୋଇ ଉଠିଥିଲା ସହର । କିନ୍ତୁ ଦିନଯାକର ହ୍ୟାଙ୍ଗଓଭରରୁ ବାହାରିପାରିନଥିଲେ ପୁଲିସ୍ ବାବୁ । ଟ୍ରାଫିକ୍ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଲକ୍ଷ୍ମୀଟକିଜ ଛକର ଗୋଟିଏ ପାଶ୍ୱର୍ରେ ରାସ୍ତାକଡ଼ରେ ଛିଡ଼ା ହୋଇ ପୁଲିସ୍ବିଭାଗର ଏଭଳି ଆସର ଲୋକଙ୍କୁ ବି ଆଚମ୍ବିତ କରିଥିଲା । ଘଟଣା ସମ୍ପର୍କରେ ଡିଏସ୍ପି ଟ୍ରାଫିକଙ୍କୁ ଯୋଗାଯୋଗ କରାଯିବାରେ ଘଟଣାର ତଦନ୍ତ ହେବ ବୋଲି କହିଥିଲେ ।
ସମ୍ବଲପୁର ସହରର ଅନ୍ୟତମ ବ୍ୟସ୍ଥବହୁଳ ଛକ ହେଉଛି ଲକ୍ଷ୍ମୀଟକିଜ ଛକ । ସହରର କେନ୍ଦ୍ରସ୍ଥଳୀରେ ଥିବାରୁ ଛକରେ ଦିନତମାମ୍ ଟ୍ରାଫିକ୍ ସମସ୍ୟା ଲାଗି ରହିଥାଏ । ତେଣୁ ସବୁଠୁ ଅଧିକ ଟ୍ରାଫିକ୍ ପୁଲିସ୍ ବି ଏହି ଛକରେ ଦିଆଯାଇଥାଏ । ବୁଧବାର ବି ସନ୍ଧ୍ୟାରେ ହୋମଗାର୍ଡ, ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟରଙ୍କୁ ମିଶାଇ ୭ ଜଣ ଟ୍ରାଫିକ୍ ପୁଲିସ୍ ଏଠାରେ ନିୟୋଜିତ ହୋଇଥିଲେ । ଦୋକାନ ବଜାର ଖୋଲିବା ପରେ ସନ୍ଧ୍ୟା ୬ଟା ପରଠାରୁ ସହରରେ ବି ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଥିଲା । ଲୋକେ ନିଜ ନିଜ କାମରେ ଘରୁ ବାହାରିଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । କିନ୍ତୁ ଏହି ସମୟରେ କାର୍ଯ୍ୟରତ ଟ୍ରାଫିକ ପୁଲିସ୍ମାନେ ଡ୍ୟୁଟିରେ ଥାଇ ବି ନଥିବା ଭଳି ସ୍ଥିତି ଉପୁଜିଥିଲା । ରାସ୍ତାର ଗୋଟିଏ କଡ଼ରେ ୫ ଜଣ ଟ୍ରାଫିକ୍ ପୁଲିସ୍ ଓ ଭଲ୍ୟୁଣ୍ଟର ଛିଡ଼ା ହୋଇ ରହିଥିଲେ । ଏହି ସମୟରେ ନିକଟରେ ରାସ୍ତାରୁ ଟ୍ରକ୍ ଚାଳକଙ୍କ ପକେଟ୍ରୁ ଟଙ୍କା ଲୁଟ୍ କରିବା ଅଭିଯୋଗରେ ବିଭାଗରୁ ତଡ଼ା ଖାଇଥିବା ଜଣେ ପୁଲିସ୍ ସେଠାରେ ପହଞ୍ଚିଥିଲେ । ଆଉ ଆରମ୍ଭ ହୋଇଥିଲା ଗୀତର ଆସର । ସେପଟେ, ଟ୍ରାଫିକ୍ ପୋଷ୍ଟ ଖାଲି ଥିବାରୁ ଯିଏ ଯୁଆଡ଼େ ପାରିଲା ପଶି ଯାଉଥିଲା । ଏପରିସ୍ଥଳେ ମାତ୍ର କେଇ ମିନିଟ୍ ଭିତରେ ଦୁଇ ଦୁଇ ଥର ଦୁର୍ଘଟଣା ଘଟିବାରୁ ବି ବର୍ତ୍ତି ଯାଇଥିଲା । ମାତ୍ର ପୁଲିସ୍ଙ୍କ ଆସର ଭାଙ୍ଗିନଥିଲା । ଟ୍ରାଫିକ୍ ଡ୍ୟୁଟିରେ ଥିବା କର୍ମଚାରୀ ପୋଷ୍ଟ କିଭଳି ଖାଲି କଲେ ସେହି ଘଟଣାର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ବି ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି ।