ବାଲିଗୁଡ଼ା,୧୯/୧୨: ଅମୃତଭଣ୍ଡା ଯେ ଜୀବନ ନେଇପାରେ ଏକଥା ବିଶ୍ୱାସ ନ ହେଉଥିଲେ ମଧ୍ୟ କଥାଟି ସତ । ୩ଟି ଅମୃତଭଣ୍ଡା ଗଛ ଉପରୁ ମହିଳାଙ୍କ ମୁଣ୍ଡ ଓ ଛାତି ଉପରେ ପଡ଼ିଯିବାରୁ ତାହାର ଆଘାତରେ ତାଙ୍କର ଜୀବନ ଚାଲିଯାଇଛି । ଏଭଳି ଏକ ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗାଁରେ । ମୃତକ ହେଲେ ପ୍ରବୀଣ ଦିଗାଲଙ୍କ ପତ୍ନୀ ଚନ୍ଦ୍ରକଳା ଦିଗାଲ(୩୨) ।
ସୂଚନା ଅନୁସାରେ, ଚନ୍ଦ୍ରକଳାଙ୍କ ବାଡ଼ିରେ ରହିଛି ଅମୃତଭଣ୍ଡା ଗଛ । ଏହି ଅମୃତ ହାଇବ୍ରିଡ୍ ଭେରାଇଟିର । ଗୁରୁବାର ସକାଳ ସମୟରେ ଚନ୍ଦ୍ରକଳା ରୋଷେଇ କରିବା ପାଇଁ ଅମୃତଭଣ୍ଡା ତୋଳିବାକୁ ବାଡ଼ିକୁ ଯାଇଥିଲେ । ଏକ ଆଙ୍କୁଡ଼ି ଦ୍ୱାରା ଗଛରୁ ଅମୃତ କାଟିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ୩ଟି ଅମୃତଭଣ୍ଡା ଏକାଥରେ ଗଛରୁ ଖସିଥିଲା । ଗୋଟିଏ ଅମୃତଭଣ୍ଡା ଚନ୍ଦ୍ରକଳାଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଆଉ ଦୁଇଟି ତାଙ୍କର ଛାତିରେ ଓ ଦେହରେ ମାଡ଼ ହୋଇଥିଲା । ଗୋଟିଏ ଗୋଟିଏ ଅମୃତଭଣ୍ଡାର ଓଜନ ପ୍ରାୟ ୪/୫ କେଜି ହେବ ବୋଲି ଅନୁମାନ କରାଯାଉଛି । ଅମୃତଭଣ୍ଡାର ଓଜନ ଏବଂ ଏତେ ଉଚ୍ଚରୁ ପଡ଼ିବା ପରେ ଏହାର ଆଘାତ ସହିପାରି ନ ଥିଲେ ଚନ୍ଦ୍ରକଳା । ଲଗାତାର ୩ଟି ଅମୃତଭଣ୍ଡା ମାଡ଼ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ । ପରିବାର ଲୋକ ଚନ୍ଦ୍ରକଳାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଡାକ୍ତର ଚନ୍ଦ୍ରକଳାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।
ଏହି ଅଘଟଣର ତଦନ୍ତ କରାଯାଉଥିବା କହିଛନ୍ତି ଥାନା ଅଧିକାରୀ । ପ୍ରବୀଣ ଓ ଚନ୍ଦ୍ରକଳା ଦିନ ମଜୁରିଆ ଭାବେ କାମ କରନ୍ତି । ମୂଲ ମଜୁରିରେ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ । ସେମାନଙ୍କର ତିନିଟି ସନ୍ତାନ ଅଛନ୍ତି । ପତ୍ନୀଙ୍କ ଏଭଳି ଅଭାବନୀୟ ଓ ଅକାଳ ମୃତ୍ୟୁରେ ପ୍ରବୀଣ, ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି । ତିନି ସନ୍ତାନ ମା’ ଛେଉଣ୍ଡ ହୋଇ ଯାଇଛନ୍ତି । କେହି ଏଭଳି ଘଟଣାକୁ ବିଶ୍ୱାସ କରିପାରୁନାହାଁନ୍ତି । ବାଲିଗୁଡ଼ାରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।