ବାଜା ରୋସଣିରେବାହାରିଥାଏଶୋଭାଯାତ୍ରା
ପରିବାର,ବନ୍ଧୁ,ସହକର୍ମୀ ସମସ୍ତେହୁଅନ୍ତି ସାମିଲ
ଦୀର୍ଘବର୍ଷରନିଆରା ପରମ୍ପରା
ଜଟଣୀ(ଶ୍ରୀକାନ୍ତ ପରିଜା): ଫୁଲରେ ସଜା ହୋଇଥିବା ଏକ ଟ୍ରେନ୍ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନର ୬ ନଂ. ପ୍ଲାଟଫର୍ମରେ ରବିବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ଆସି ପହଞ୍ଚିଥିଲା । ଉପସ୍ଥିତ ଯାତ୍ରୀମାନେ ଭାବିଲେ କୌଣସି ନୂଆ ଟ୍ରେନ୍ର ବୋଧହୁଏ ଶୁଭାରମ୍ଭ ହେଉଛି । ଏଥିପାଇଁ ଟ୍ରେନ୍ ଇଞ୍ଜିନକୁ ଫୁଲରେ ସଜାଯାଇଛି । ହେଲେ ହଠାତ୍ ବାଜି ଉଠିଲା ବାଜା । ଇଞ୍ଜିନ ଭିତରୁ ପ୍ଲାଟଫର୍ମକୁ ଓହ୍ଲାଇଲେ ଟ୍ରେନ୍ର ଲୋକୋ ପାଇଲଟ୍ ବା ଡ୍ରାଇଭର ପ୍ରଫୁଲ୍ଲ କୁମାର ବେହେରା । ଉପସ୍ଥିତ ଅନେକ ସହକର୍ମୀ,ବନ୍ଧୁ,ପରିବାର ଲୋକ,ସମ୍ପର୍କୀୟ ତାଙ୍କୁ ଘେରି ଯାଇଥିଲେ । ଜଣେ ପରେ ଜଣେ ଫୁଲମାଳ ପିନ୍ଧାଇବା ସହ ଫୁଲତୋଡ଼ା ପ୍ରଦାନ କରି ସମ୍ମାନ ଜଣାଇଥିଲେ । ପରେ ଆରମ୍ଭ ହୋଇଥିଲା ନୃତ୍ୟ । ନୃତ୍ୟ ଓ ବାଜାର ତାଳେ ତାଳେ ଶୋଭାଯାତ୍ରାରେ ଶ୍ରୀ ବେହେରାଙ୍କୁ ଷ୍ଟେସନ ବାହାରକୁ ଅଣାଯାଇଥିଲା ।
ସୁସଜିତ ଏକ ଯାନରେ ବସାଇ ସହରର ବିଭିନ୍ନ ଅଂଚଳ ପରିକ୍ରମା କରାଯାଇଥିଲା । ଯେଉଁ ଯାତ୍ରୀ ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ ହେଉଥିବା ଭାବୁଥିଲେ ଧିରେ ଧିରେ ସବୁ ବୁଝିଗଲେ ଯେ ଲୋକୋ ପାଇଲଟଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଉଛି । ଦୀର୍ଘବର୍ଷ ହେବ ଏପରି ପରମ୍ପରା ରହିଛି । ବିଶେଷକରି ରେଲୱେରେ କାର୍ଯ୍ୟରତ ଲୋକୋ ପାଇଲଟ୍ ଓ ଗାର୍ଡ଼ ଅବସରଗ୍ରହଣ କରିବା ଦିନ ଏପରି କାର୍ଯ୍ୟକ୍ରମ ହୋଇଥାଏ । ଏହି କ୍ରମରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରୀ ବେହେରାଙ୍କର ଆଜି ଥିଲା ଚାକିରିର ଅନ୍ତିମ ଦିନ । ଶ୍ରୀ ବେହେରା ଓଖା-ଦ୍ୱାରକା ସୁପରଫାଷ୍ଟ ଏକ୍ସପ୍ରେସ୍ ଚଳାଇ ପୁରୀରୁ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ପହଂଚିବା ପରେ ଶତାଧିକ ଶୁଭେଚ୍ଛୁ ତାଙ୍କୁ ସମ୍ମାନର ସହିତ ପାଛୋଟି ନେଇଥିଲେ । ଶୋଭାଯାତ୍ରା ପରେ ସ୍ଥାନୀୟ ରେଲୱେ ଇନ୍ଷ୍ଟିଚ୍ୟୁଟରେ ସମ୍ବର୍ଦ୍ଧନା ସଭା ହୋଇଥିଲା ।
ଏନେଇ ଅଲ୍ ଇଣ୍ଡିଆ ଗାର୍ଡ କାଉନ୍ସିଲର ସର୍ବଭାରତୀୟ କାର୍ଯ୍ୟନିର୍ବାହୀ ସଭାପତି ସନ୍ତୋଷ କୁମାର ନିଶଙ୍କ କହିଛନ୍ତି,ଲୋକୋ ପାଇଲଟ ଓ ଗାର୍ଡଙ୍କ ଅବସର ଦିନ ସେମାନଙ୍କ ସମ୍ମାନାର୍ଥେ ଏପରି କାର୍ଯ୍ୟକ୍ରମ କରିବାର ପରମ୍ପରା ରହିଛି । ରେଲୱେର ସମସ୍ତ ପଦପଦବି ଗୁରୁତ୍ୱପୂର୍ଣ୍ଣ । ହେଲେ ଲୋକୋ ପାଇଲଟ ଓ ଗାର୍ଡଙ୍କ କାର୍ଯ୍ୟ ବେଶ୍ ମହତ୍ୱପୂର୍ଣ୍ଣ । ହଜାର ହଜାର ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଡ୍ରାଇଭର ଓ ଗାର୍ଡ ସବୁବେଳେ ସଜାଗ ରହିଥାନ୍ତି । ଛୁଟିଦିନ,ରାତ୍ରି ସିଫ୍ଟ,ସବୁ ସମୟରେ କାମ କରିଥାନ୍ତି । ଡ୍ୟୁଟିକୁ ଗଲାପରେ ଦୁଇରୁ ତିନିଦିନ ପରେ ଘରକୁ ଫେରନ୍ତି । ତେଣୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମକୁ ଏଭଳି ସମ୍ମାନ ଦିଆଯାଇଥାଏ ।
ଅଲ୍ ଇଣ୍ଡିଆ ଲୋକୋ ରନିଂ ଷ୍ଟାଫ ଆସୋସିଏସନ୍ ଖୋର୍ଦ୍ଧରୋଡ଼ ଡିଭିଜନର କର୍ମକର୍ତ୍ତା ତଥା ଲୋକୋ ପାଇଲଟ ରାକେଶ ମହାନ୍ତି କହିଛନ୍ତି,ଏହା ସହକର୍ମୀମାନଙ୍କ ମଧ୍ୟରେ ଭାଇଚାରା ବଢ଼ାଇବା ସହ ଦୀର୍ଘବର୍ଷର ସେବାକୁ ସ୍ମରଣୀୟ କରିଥାଏ । ଏହି ପରମ୍ପରା କୋଇଲା ଇଞ୍ଜିନ ଚାଲିବା ସମୟରୁ ରହିଆସିଛି । ପ୍ରଥମେ ଫାୟାରମ୍ୟାନ,ଆସିଷ୍ଟାଣ୍ଟ ଡ୍ରାଇଭର ଓ ପରେ ଡ୍ରାଇଭର ପଦୋନ୍ନତି ହୋଇ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇ ଷାଠିଏ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି । ଦୀର୍ଘବର୍ଷର କାର୍ଯ୍ୟକାଳ ବେଶ୍ କଷ୍ଟସାଧ୍ୟ । ନିର୍ଦ୍ଦିଷ୍ଟ କିଛି ସମୟ ନଥାଏ । ଏଣୁ ଦୀର୍ଘବର୍ଷର କାର୍ଯ୍ୟ ପରେ ଅବସର ଗ୍ରହଣ କରୁଥିବାରୁ ଖୁସିର ସହ ଏଭଳି ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଏ ।
ଏହାସହ ପଢ଼ନ୍ତୁ : Ev vehicle: ତେଲ ସଙ୍କଟ ପରେ ଭାଙ୍ଗିଲା ସରକାରଙ୍କ ନିଦ, ପଞ୍ଜୀକରଣ ହେଲାଣି ଅଢ଼େଇ ଲକ୍ଷ ଇଭି, ବ୍ଲକ୍ଠୁ ସହର ଚାର୍ଜିଂ ଷ୍ଟେସନ ଯୋଜନା