କଟକ,୦୧/୦୬: ୨୦୨୧ରୁ ଇଲେକ୍ଟ୍ରିକ୍‌ ଭେଇକିଲ୍‌(ଇଭି) ନୀତି ହେଲାଣି । ଇତିମଧ୍ୟରେ ରାଜ୍ୟରେ ଅଢ଼େଇ ଲକ୍ଷ ଇଭି ଗାଡ଼ି ପଞ୍ଜୀକରଣ ହୋଇସାରିଲାଣି । ନୀତିକୁ ପାଞ୍ଚ ବର୍ଷ ବିତିଯାଇଥିଲେ ବି ଏଥିପାଇଁ ସରକାରଙ୍କ ଭିତ୍ତିଭୂମି ନାହିଁ କହିଲେ ଚଳେ । କାଁ ଭାଁ କେଉଁଠି ଗୋଟେ ଦୁଇଟି ଇଭି ଚାଜି ର୍ଂ ଷ୍ଟେସନ୍‌ରେ କାମ ସରିଯାଇଥିଲା ।  ଏବେ ତେଲ ସଙ୍କଟ ପରେ ସରକାରଙ୍କ ନିଦ  ଭାଙ୍ଗିଛି । ବିଭିନ୍ନ ଯୋଜନାରେ ପ୍ରତ୍ୟେକ ବ୍ଲକ୍‌ ଠାରୁ ଆରମ୍ଭ କରି ସମସ୍ତ ସହରରେ ଏହି ଇଭି ଚାର୍ଜିଂ ଷ୍ଟେସନ୍‌ କରିବା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।  

ଇଭି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚାର୍ଜିଂ ଷ୍ଟେସନ୍‌ । ଯେତେବେଳେ କେହି ବ୍ୟକ୍ତି  ଇଭି ଧରି ଘରୁ ବାହାରି ଆସୁଛନ୍ତି ଏବଂ ରାସ୍ତାରେ କୌଣସି କାରଣରୁ ଚାର୍ଜିଂ ଶେଷ ହୋଇଯାଏ ତାହେଲେ ଏହାହିଁ ଗାଡ଼ି ପାଇଁ ସବୁଠାରୁ ବଡ଼ ସମସ୍ୟା । ଏଥିପାଇଁ ଇଭି ଷ୍ଟେସନ୍‌ ପ୍ରତିଷ୍ଠା କରିବାର ନିହାତି ଆବଶ୍ୟକତା ରହିଥିଲା । କିନ୍ତୁ  ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏକ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିନଥିଲା । କିନ୍ତୁ ଏବେ ତେଲ ସଙ୍କଟ  ପରେ ଇଭି ଗାଡ଼ି କିଣିବା ଲାଗି ଆଗ୍ରହ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩୨୭ଟି ଅଟଳ ବସ୍‌ଷ୍ଟାଣ୍ଡ୍‌ରେ ଇଭି ଚାର୍ଜିଂ ଷ୍ଟେସନ୍‌ କାମ  ଆରମ୍ଭ କରିଛନ୍ତି । ଅଳ୍ପ କିଛି ମାସ ମଧ୍ୟରେ ଏହି  ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି ।  ଏବେ ରାଜ୍ୟର ପ୍ରତ୍ୟେକ ବଡ଼ବଡ଼ ବସ୍‌  ଟର୍ମିନାଲ୍‌ରେ ମଧ୍ୟ ଇଭି ଚାର୍ଜିଂ ଷ୍ଟେସନ୍‌ କରାଯିବାକୁ  ଯୋଜନା ହୋଇଛି । ଏଥିସହ ଟ୍ରକ୍‌ ଟର୍ମିନାଲ୍‌ରେ  ମଧ୍ୟ କରାଯିବ । ବିଭିନ୍ନ ତେଲ ଟାଙ୍କିକୁ ସରକାର  ଏବେ ପ୍ରାଥମିକତା ଭିତ୍ତିରେ ରଖିଛନ୍ତି । ବର୍ତ୍ତମାନ  ବିଭିନ୍ନ ତେଲ ଟାଙ୍କିରେ ୧୦୧୪ଟି ଇଭି ଚାର୍ଜିଂ  ଷ୍ଟେସନ୍‌ ରହିଛି । ଏହିସବୁ ଚାର୍ଜିଂ ଷ୍ଟେସନ୍‌  ବିଭିନ୍ନ ଇଭି କମ୍ପାନୀ ପକ୍ଷରୁ କରାଯାଇଛି । ଅନ୍ୟ  ଯେଉଁ ଟାଙ୍କି ଗୁଡ଼ିକରେ ନାହିଁ ତୁରନ୍ତ ସେହିସବୁ  ଟାଙ୍କିରେ ଇଭି ଚାର୍ଜିଂ ଷ୍ଟେସନ୍‌ କରିବା ପାଇଁ  ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି ।  

କେନ୍ଦ୍ର ସରକାର ଏବେ ପିଏମ୍‌ ଇ- ଡ୍ରାଇଭ୍‌  ଯୋଜନାରେ ଓଡ଼ିଶାର ୬ଟି ପ୍ରମୁଖ ସହରରେ  ୧୯୦ଟି ଇଭି ଚାଜି ର୍ଂ ଷ୍ଟେସନ୍‌ ବସାଇବାକୁ  ଯୋଜନା କରିଛନ୍ତି । ଭୁବନେଶ୍ୱର, କଟକ, ପୁରୀ,  ଯାଜପୁରର କଳିଙ୍ଗନଗର, ବାଲେଶ୍ୱର, ଅନୁଗୁଳ  ସହରରେ ଏହି ଇଭି ଷ୍ଟେସନ୍‌ ବସାଯିବ । ଇଭି  ଚାର୍ଜିଂ ଷ୍ଟେସନ୍‌ ପାଇଁ ରାଜ୍ୟ ସରକାର ଏବେ  ତିନୋଟି ବର୍ଗରେ ବିଭକ୍ତ କରିଛନ୍ତି । ଯେଉଁ  ଜିଲ୍ଲାରେ ଅଧିକ ଇଭି କିଣାଯିବ ତାହାକୁ ‘ଏ’  ପର୍ଯ୍ୟାୟଭୁକ୍ତ କରାଯାଇଛି । ଅର୍ଥାତ ଏହି ଏ  କାଟାଗୋରୀ ଭିତରେ ଆସୁଥିବା ଜିଲ୍ଲା ଗୁଡ଼ିକରେ  ଅଧିକରୁ ଅଧିକ କିପରି ଇଭି ଚାର୍ଜିଂ ଷ୍ଟେସନ୍‌  କରାଯିବ ସେଥିପାଇଁ ମଧ୍ୟ ଯୋଜନା କରାଯାଉଛି ।  

ଅଧିକ ପଢ଼ନ୍ତୁ :- CM Grievance : ରାଜଧାନୀ​‌ରେ ବସିଲା ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ଲୋକଙ୍କ ଦୁଃଖ ଶୁଣିଲେ ଲୋକଙ୍କ ସିଏମ୍‌

ଏସ୍‌ଟିଏ ପକ୍ଷରୁ ଏବେ ଇଭି ଚାର୍ଜିଂ ଷ୍ଟେସନ୍‌  ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି । ପ୍ରତ୍ୟେକ ଆର୍‌ଟିଓ ନିକଟରେ ଏକ ଚାର୍ଜିଂ ଷ୍ଟେସନ୍‌  କରାଯିବ । ଏଥିସହ ସହରର ଗୁରୁତ୍ୱପୂର୍ଣ୍ଣ ତଥା  ଗହଳି ସ୍ଥାନମାନଙ୍କରେ ଏହି ଷ୍ଟେସନ୍‌ ପ୍ରତିଷ୍ଠା ପାଇଁ  ଯୋଜନା ହୋଇଛି । ଯେମିତିକି ଭୁବନେଶ୍ୱରର  ନନ୍ଦନକାନନ, ଫରେଷ୍ଟ୍‌ପାର୍କ, ରୂପାଲି ଛକ ଏବଂ  ଅନ୍ୟ କେତେକ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ  ଏହି ଚାର୍ଜିଂ ଷ୍ଟେସନ୍‌ ପ୍ରତିଷ୍ଠା କରାଯାଇଛି । ଅନ୍ୟାନ୍ୟ  ସହର ପାଇଁ ମଧ୍ୟ ଏହିଭଳି ଯୋଜନା ଚାଲିଛି  ବୋଲି ଏସ୍‌ଟିଏର ଯୁଗ୍ମ କମିସନର ସମରେନ୍ଦ୍ର  ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରାୟ ବର୍ଷକ  ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଚାର୍ଜିଂ  ଷ୍ଟେସନ୍‌ ଉପଲବ୍ଧ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ  କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।