ଅମୃତ ପ୍ରକଳ୍ପ: ଫିଟନେସ ନ ଥିବା ଟ୍ରାକ୍ଟରରେ ପାଇପ୍ ପରିବହନ, ଦୁର୍ଘଟଣା ହେବା ଆଶଙ୍କା

ରାୟଗଡ଼ା (ଆପ୍ର)- ସହରରେ ଜଳଯୋଗାଣ ପାଇଁ ଅମୃତ ପ୍ରକଳ୍ପରେ କାର୍ଯ୍ୟ ଜାରି ରହିଛି। ୫୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ରାଜ୍ୟ ବାହାରର ଏକ ଠିକା ସଂସ୍ଥା କରୁଛି। ହେଲେ ପ୍ରକଳ୍ପ ନିର୍ମାଣରେ ଅନେକ ବେପରୁଆ କାର୍ଯ୍ୟ ହେଉଥିବା ନଜରକୁ ଆସିଛି। ତେବେ ଏହା ରୋକିବା ସହିତ ସୁଧାରିବା ପାଇଁ ଜିଲ୍ଲାସ୍ତରୀୟ କୌଣସି ଅଧିକାରୀ ସାହାସ କରୁନାହାଁନ୍ତି। ପ୍ରକଳ୍ପ ନିର୍ମାଣରେ ଠିକା ସଂସ୍ଥା ଯେଉଁ ଟ୍ରାକ୍ଟର ବ୍ୟବହାର କରୁଛି ତାହା ଦୁର୍ଘଟଣା ଆଶଙ୍କା ବଢାଇବା ସହିତ ବିପଦକୁ ନିମନ୍ତ୍ରଣ କରୁଥିବା ଅଭିଯୋଗ ହୋଇଛି।
ଯେଉଁ ସବୁ ଟ୍ରାକ୍ଟର ଠିକା ସଂସ୍ଥା ଦ୍ୱାରା ବ୍ୟବହାର କରାଯାଉଛି ସେଥିରେ ନମ୍ବର ପ୍ଲେଟ ନାହିଁ। ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ନିର୍ମାଣ କାର୍ଯ୍ୟରେ ଯେଉଁ ୫ ଟି ଟ୍ରାକ୍ଟର ବ୍ୟବହାର କରାଯାଉଛି ସେମାନଙ୍କ ନମ୍ବର ପ୍ଲେଟ ସହିତ ଫିଟନେସ ଓ ବୀମା ମଧ୍ୟ ନାହିଁ। ଏଭଳିକି ଚାଳକ ଠିକ ଭାବେ ବସିବା ପାଇଁ ସିଟ୍ ମଧ୍ୟ ନାହିଁ। ସମସ୍ତ ଟ୍ରାକ୍ଟର ୨୫ ବର୍ଷରୁ ଅଧିକ ପୁରୁଣା। ସେହି ସବୁ ଟ୍ରାକ୍ଟର ମାନଙ୍କରେ ବିରାଟକାୟ ପାଇପ ଗୁଡ଼ିକ ଲଦି ସାହି ମଝିରେ ପରିବହନ ହେଉଛି। ଯାହାକି ଏକପ୍ରକାର ବିପଦକୁ ନିମନ୍ତ୍ରଣ ଭଳି ହୋଇଛି। ଏଭଳିକି ରବିବାର ଏକ ପାଇପ ଲୋଡ ଟ୍ରାକ୍ଟର ଏକ ଟ୍ରକ ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଟ୍ରାକ୍ଟର ବ୍ରେକ କାମ ନକରିବା ଯୋଗୁଁ ଏହିଭଳି ଘଟିଥିବା ଜଣାପଡିଛି। ତେବେ ଏଥିପ୍ରତି ଆଞ୍ଚଳିକ ପରିବହନ ବିଭାଗର ଦୃଷ୍ଟି ପଡୁନାହିଁ। ସହରର ମଧ୍ୟରେ ଏହି ଟ୍ରାକ୍ଟର ଗୁଡିକ ବୁଲୁଥିବା ବେଳେ କାହିଁକି ଧରପଗଡ କରାଯାଉନାହିଁ ତାହା ସମସ୍ତଙ୍କୁ ଚକିତ କରୁଛି। ତୁରନ୍ତ ସେହି ଟ୍ରାକ୍ଟର ସହରରେ ଚଳାଚଳ ବନ୍ଦ କରିବା ପାଇଁ ଦାବି ହୋଇଛି।