କର୍ଣ୍ଣାଟକ ୧୨/୦୧: କର୍ଣ୍ଣାଟକ ଗଡ଼ଗ ତାଲୁକା ଲକ୍କୁଣ୍ଡି ଗାଁରେ ଶନିବାର ଏକ ଚକିତ କରିଦେବା ଭଳି ଘଟଣା ଘଟିଛି । ସେଠାକାର ବାସିନ୍ଦା କସ୍ତୁରବା ରିଟି ଏବଂ ତାଙ୍କ ପୁଅ ପ୍ରଜ୍ଜ୍ୱଳ ସେମାନଙ୍କ ପୁରୁଣା ଘରକୁ ଭାଙ୍ଗି ନୂଆ ଘର କରିବାକୁ ଚାହୁଁଥିଲେ । ଘରର ନିଅଁ ଖୋଳିବା ଉଦ୍ଦେଶ୍ୟରେ ସେମାନେ କିଛି ନିର୍ମାଣ ଶ୍ରମିକଙ୍କୁ ଡାକିଥିଲେ । ତେବେ ଶ୍ରମିକମାନେ ନିଅଁ ଲାଗି କିଛି ସମୟ ଖୋଳିବା ପରେ ମାଟି ଭିତରୁ ଯାହା ବାହାରିଲା ତାହା କସ୍ତୁରବା, ପ୍ରଜ୍ଜ୍ୱଳଙ୍କ ହୋସ୍ ଉଡ଼ାଇଦେଲା । ମାଟି ଭିତରୁ ଶ୍ରମିକମାନେ ଏକ ତମ୍ବା ପାତ୍ର ପାଇଥିଲେ । ସେଥିରେ ପୁରୁଣା ମୁଦ୍ରା ସହ ସୁନା ଚୁଡ଼ି, ଚେନ୍, ମୁଦି, କାନଫୁଲ ଭଳି ୪୭୦ ଗ୍ରାମର ଆଭୂଷଣ ରହିଥିଲା । ତେବେ ପ୍ରଜ୍ଜ୍ୱଳ କିନ୍ତୁ ତାକୁ ଲୋଭ ନ କରି ସେ ସଂପର୍କରେ ଗାଁର ବୟସ୍କ ଲୋକ ଏବଂ ଗ୍ରାମ ପଞ୍ଚାୟତକୁ ସୂଚୀତ କଲେ । ପରବର୍ତ୍ତୀ ସମୟରେ ପୁଲିସ-ପ୍ରଶାସନକୁ ସେଥିନେଇ ସୂଚନା ଦିଆଯାଇଥିଲା । ଇତିମଧ୍ୟରେ ଗୁପ୍ତଧନ ମିଳିଥିବା ଖବର ବ୍ୟାପିବାରୁ ଆଖପାଖ ଗାଁର ବହୁ ଲୋକ ତାକୁ ଦେଖିବାକୁ ସେଠାରେ ରୁଣ୍ଡ ହୋଇଥିଲେ ।
ଗଡ଼ଗ ଏସ୍ପି ରୋହନ ଜଗଦୀଶ କହିଛନ୍ତି, ବହୁ ଲୋକଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ଏବଂ ଆଇନଗତ ପ୍ରକ୍ରିୟା ଅନୁସାରେ ଭିଡିଓ ରେକର୍ଡିଂ କରାଯାଇ ସେହି ଗୁପ୍ତଧନକୁ ବାହାର କରାଯାଇଛି । ଏହାକୁ ‘ଟ୍ରେଜର ରୁଲ୍ସ’ ଅନୁସାରେ ସରକାରୀ ଟ୍ରେଜେରିରେ ଜମା କରାଯିବ । ପ୍ରତ୍ନତାତ୍ତ୍ୱିକ ବିଭାଗ ଏହି ଆଭୂଷଣର କାଳଖଣ୍ଡ ବା ତାହା କେଉଁ ସମୟର ସେଥିନେଇ ଯାଞ୍ଚ କରିବ । ପ୍ରଜ୍ଜ୍ୱଳ ଯେଉଁ ସଚ୍ଚୋଟତା ଦେଖାଇଛନ୍ତି ତାହା ପ୍ରଶଂସନୀୟ । ତାଙ୍କ ପରିବାରକୁ ଆଇନ ଅନୁସାରେ କ୍ଷତିପୂରଣ ଦିଆଯିବ । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ସେହି ଆଭୂଷଣର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଗଡ଼ଗ ଅଞ୍ଚଳର ସମୃଦ୍ଧ ଐତିହ୍ୟ ଉପରେ ଆଲୋକପାତ କରିପାରେ ଯାହାକି ନିଜର ମନ୍ଦିର ଏବଂ ଐତିହାସିକ ସ୍ମାରକ ଲାଗି ପ୍ରସିଦ୍ଧ ।