ମସ୍ତିଷ୍କ-ଭାଷା-ସମନ୍ୱିତ(Neuro-Linguistic Programming-NLP) ମନୋଚିକିତ୍ସାର ଉନ୍ମେଷ ବିଂଶ ଶତକର ସପ୍ତମ ଦଶକରେ କାଲିଫର୍ଣ୍ଣିଆରେ ଘଟିଥିଲା । ଏହି ଶୃଙ୍ଖଳାଟି ତିନୋଟି ଉପାଦାନ ଉପରେ ପର୍ଯ୍ୟବସିତ । ପ୍ରଥମଟି ନ୍ୟୁରୋ ବା ସ୍ନାୟୁ । ପ୍ରକୃତରେ କିନ୍ତୁ ସ୍ନାୟୁବିଜ୍ଞାନ ଅର୍ଥରେ ଏଠାରେ ବ୍ୟବହାର କରାଯାଇନାହିଁ । ପ୍ରଖ୍ୟାପକମାନେ ବାରମ୍ବାର ସତର୍କତାର ସ୍ୱର ତୋଳି କହିଛନ୍ତି ଯେ, ଏହା ସ୍ନାୟୁବିଜ୍ଞାନ ଅର୍ଥରେ ପ୍ରୟୋଗ କରାଯାଇନାହିଁ । ମସ୍ତିଷ୍କ ପରି ଏକ ବ୍ୟାପକ ଅର୍ଥରେ ବ୍ୟବହାର କରାଯାଇଛି । ଦ୍ୱିତୀୟ ଉପାଦାନଟି ଭାଷା । ମନୁଷ୍ୟର ମନ ଓ ମସ୍ତିଷ୍କ ମଧ୍ୟରେ ଯେଉଁ କ୍ରିୟା ଅନୁକ୍ରିୟା ସଂଘଟିତ ହୁଏ, ତାହା ଭାଷା ମାଧ୍ୟମରେ ହିଁ ପ୍ରକାଶ୍ୟ ରୂପ ନିଏ । ପୁଣି ମସ୍ତିଷ୍କ ଓ ଭାଷାର ଉଦ୍‌ବର୍ତ୍ତନ ଏକ ସମାନ୍ତରାଳ ଭାବରେ ସଂଘଟିତ ହୋଇଛି । ସୁତରାଂ, ଦୁଇଟି ମଧ୍ୟରେ ଗଭୀର ସମ୍ପୃକ୍ତି ରହିଛି । ଏ ଦୁଇଟିର ସମନ୍ୱୟକୁ ଆଧାର କରି ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ, ତାହାକୁ ମସ୍ତିଷ୍କ ଭାଷା ସମନ୍ୱିତ କାର୍ଯ୍ୟକ୍ରମ କୁହନ୍ତି ।

ଆଲୋଚିତ ଶୃଙ୍ଖଳା ଏବଂ ଆଧାରିତ ମନୋଚିକିତ୍ସା ପ୍ରଣାଳୀଟି କେତୋଟି ମୂଳ ଧାରଣା ଉପରେ ପ୍ରତିଷ୍ଠିତ । ସେଗୁଡିକ ସଂପର୍କରେ ସ୍ପଷ୍ଟ ଧାରଣା ଜନ୍ମିଲେ ଆବଶ୍ୟକସ୍ଥଳେ ପ୍ରୟୋଗ ସହଜ ରହିବ । ଏ ଶୃଙ୍ଖଳାଟି କେତୋଟି ସ୍ୱତଃସିଦ୍ଧ ଉପରେ ଆଧାରିତ, ସେଗୁଡ଼ିକ ହେଲା- ପ୍ରତିଟି ବ୍ୟବହାର ଏକପ୍ରକାର ଭାବଗତ ଆଦାନପ୍ରଦାନ, ମନ ଓ ଶରୀର ଗୋଟିଏ ସଂସ୍ଥା ବା ଶୃଙ୍ଖଳାର ଅଂଶବିଶେଷ, ପରିବର୍ତ୍ତନ ଆଣିବା ପାଇଁ ମନୁଷ୍ୟ ମଧ୍ୟରେ ସମସ୍ତ ସମ୍ବଳ ଅଛି, ତୁମେ କରୁଥିବା କାର୍ଯ୍ୟ ସଫଳ ନହେଲେ କୌଶଳର ପରିବର୍ତ୍ତନ କର, ଏହା କେବଳ ତୁମ କାର୍ଯ୍ୟର ପରିଣତି ସଂପର୍କରେ ଅବଗତି । ଜୀବନର ଉତ୍କର୍ଷ ପାଇଁ ଯେଉଁସବୁ କୌଶଳର ଅବତାରଣା କରାଯାଇଛି, ତାହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାରୋଟି ସ୍ତମ୍ଭର ଉଲ୍ଲେଖ ରହିଛି । ଏଗୁଡ଼ିକ ହେଉଛି- ସମ୍ବେଦନଶୀଳ ସଂପର୍କ (ରିପୋର୍ଟ), ସମାଧାନ, ସଚେତନତା ଓ କୌଶଳ ପ୍ରସାରଣ । ମନୋବୈଜ୍ଞାନିକ ଗବେଷଣାରେ ଗବେଷକ ସମ୍ପୃକ୍ତ ଲୋକମାନଙ୍କଠାରୁ ତଥ୍ୟ ବା ଡାଟା ସଂଗ୍ରହ ପୂର୍ବରୁ ପ୍ରଥମେ ପ୍ରୀତିପଦ ସଂପର୍କ ସ୍ଥାପନ କରନ୍ତି । ହଠାତ୍‌ ଔପଚାରିକ ସଂପର୍କ ନେଇ ତଥ୍ୟ ସଂଗ୍ରହ କଲେ ପ୍ରତିଭାଗୀ ବିଶେଷ ସହଯୋଗ ନକରିପାରନ୍ତି । ସୁତରାଂ, ଆରମ୍ଭରେ ସଂପର୍କ ବା ରାପୋଟ୍‌ର ପ୍ରୟୋଜନ ହୁଏ ।

ସେହିପରି ଆମର ଦୈନନ୍ଦିନ ଜୀବନରେ ମଧ୍ୟ କଥାବାର୍ତ୍ତା ସମୟରେ ପ୍ରଥମେ ସମ୍ବେଦନଶୀଳ ସଂପର୍କ ସ୍ଥାପନର ଆବଶ୍ୟକତା ରହିଛି । ମନୋଚିକିତ୍ସା କ୍ଷେତ୍ରରେ ଚିକିତ୍ସକଙ୍କ ପାଇଁ ଏହା ନିତାନ୍ତ ଜରୁରି । ଦ୍ୱିତୀୟ ସ୍ତମ୍ଭଟି ହେଉଛି ଫଳାଫଳ ସଂପର୍କରେ ସୂଚନା । ଏହାର ତାତ୍ପର୍ଯ୍ୟ ହେଉଛି ଯେ, ଭାବର ଆଦାନପ୍ରଦାନ ସମୟରେ ବା ଉପଦେଶନ ସମୟରେ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ନକରି ସମାଧାନ ଉପରେ ଗୁରୁତ୍ୱଦେବା ବିଶେଷ ଫଳପ୍ରଦ ହେବ । ମନୋଚିକିତ୍ସା ସମୟରେ ଏପରି ସୂଚନା ସେବାର୍ଥୀ ପାଇଁ ଆକର୍ଷଣୀୟ ମନେହେବ । ତୃତୀୟ ଉପାଦାନଟି ହେଉଛି ସେବାର୍ଥୀର ଇନ୍ଦ୍ରିୟାନୁରାଗ ସଂପର୍କରେ ସଚେତନତା । ଏହା ଅତି ସାଧାରଣ କଥା ଯେ, ଆମେ ବହିର୍ଜଗତରୁ ଉଦ୍ଦୀପନା ଗ୍ରହଣ କରିବା ସମୟରେ ଆମର ପଞ୍ଚେନ୍ଦ୍ରିୟର (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଏବଂ ଚର୍ମ) ଉପଯୋଗ କରିଥାଉ । କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ଇନ୍ଦ୍ରିୟକୁ (ଯଥା- ଚକ୍ଷୁ) ଅଧିକ ଉପଯୋଗ କରିବାର ପ୍ରବଣତା ରହିଥାଏ । କେତେକ ବ୍ୟକ୍ତି ଅଧିକ ମାତ୍ରାରେ ଚକ୍ଷୁ ବା ଦର୍ଶନାନୁଭୂତିର ଉପଯୋଗ କରିବା ସ୍ଥଳେ ଅନ୍ୟ କେତେକ ବ୍ୟକ୍ତି କର୍ଣ୍ଣ ବା ଶ୍ରବଣାନୁଭୂତିର ବ୍ୟବହାର କରନ୍ତି ।

ଉଦାହରଣ ସ୍ୱରୂପ, ଦୃଶ୍ୟପ୍ରବଣ ବ୍ୟକ୍ତିମାନେ କୌଣସି ଘଟଣାକୁ ଅନ୍ତର୍ଜଗତକୁ ନେବା ସମୟରେ ଯେପରି ଛବି ଆକାରରେ ଗ୍ରହଣ କରନ୍ତି, ପୁନଃସ୍ମରଣ ସମୟରେ ମଧ୍ୟ ଛବିଟି ମନେପକାଇବାର ପ୍ରବଣତା ଦର୍ଶାନ୍ତି । ଏକ ନିର୍ଦ୍ଦିଷ୍ଟ ଇନ୍ଦ୍ରିୟ (ଯଥା- ଚକ୍ଷୁ କିମ୍ବା କର୍ଣ୍ଣ) ଉପରେ ମାତ୍ରାଧିକ ନିର୍ଭରଶୀଳତା ଦର୍ଶାଇବା ଏକ ବ୍ୟକ୍ତିଗତ ଗୁଣ । ପ୍ରଶ୍ନ ହେଉଛି, ଆମ ସେବାର୍ଥୀର ଏପରି ପ୍ରବଣତାର ଆବିଷ୍କାର କରିବା କିପରି? ଆଲୋଚନା କରାଯାଉଥିବା ମସ୍ତିଷ୍କ ଓ ଭାଷା ସମନ୍ୱୟ ଶୃଙ୍ଖଳାରେ ଏହାର ଦୁଇଟି ମାର୍ଗ ରହିଛି । ପ୍ରଥମ ମାର୍ଗଟି ଭାଷାଗତ ଓ ଦ୍ୱିତୀୟ ମାର୍ଗଟି ଚକ୍ଷୁଚାଳନାର ଭଙ୍ଗୀ । ସେବାର୍ଥୀର କଥିତ କିମ୍ବା ଲିଖିତ ଭାଷାର ବାକ୍ୟସବୁ ବିଶ୍ଳେଷଣ କରାଯାଇପାରେ । ଚକ୍ଷୁକୁ ପ୍ରାଧାନ୍ୟ ଦେଉଥିବା ବ୍ୟକ୍ତି ସାଧାରଣତଃ କୁହନ୍ତି "ମୁଁ ଦେଖୁଛି ତୁମେ ଠିକ୍‌ କଥା କହୁନାହଁ । ଅନ୍ୟପକ୍ଷରେ କର୍ଣ୍ଣ ଉପରେ ନିର୍ଭର କରୁଥିବା ବ୍ୟକ୍ତି ହୁଏତ କହିବେ "ମୁଁ ତୁମ ବିଷୟରେ ଯାହା ଶୁଣୁଛି, ସେସବୁ ଭଲ କଥା ନୁହେଁ' । ଚକ୍ଷୁର ଗତିରୁ ମଧ୍ୟ ବ୍ୟକ୍ତି ସଂପର୍କରେ ଧାରଣା କରିବା ସମ୍ଭବ । ଦୃଶ୍ୟଭିତ୍ତିକ ସଂକେତ ଉପରେ ନିର୍ଭର କରୁଥିବା ବ୍ୟକ୍ତି ସାଧାରଣତଃ ତଳକୁ ଉପରକୁ ଚାହାଁନ୍ତି । ଅନ୍ୟପକ୍ଷରେ ଶ୍ରବଣଭିତ୍ତିକ ସଂକେତ ଉପରେ ନିର୍ଭର କରୁଥିବା ବ୍ୟକ୍ତିର ଚକ୍ଷୁଗତି ଦୁଇପଟକୁ ଢଳିଥାଏ । ଏପରି ସିଦ୍ଧାନ୍ତର ତାତ୍ପର୍ଯ୍ୟ ହେଉଛି ସେବାର୍ଥୀ କେଉଁ ଇନ୍ଦ୍ରିୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ତାହା ଜାଣିବା ପରେ ସେବା ପ୍ରଦାନକାରୀ ଅନୁରୂପ ଭାବରେ ନିଜର ସହାୟତା ପ୍ରଦାନ କରିପାରିବେ । ଆଲୋଚିତ ପରମ୍ପରାରେ ଚତୁର୍ଥ ସ୍ତମ୍ଭଟି ହେଉଛି କୌଶଳର ବଳୟ ।

ସାଧାରଣତଃ ସୀମିତ କୌଶଳ ନେଇ ଜୀବନ ଓ ସଂସାରର ସମସ୍ୟ ସମାଧାନ କରୁଥିବା ମଣିଷ ଅନେକ ସମୟରେ ବାଧାର ଶରବ୍ୟ ହୁଅନ୍ତି । ପ୍ରତିଟି ମଣିଷ ନିଜର ସାମର୍ଥ୍ୟ ଓ କୌଶଳର ବଳୟକୁ ପ୍ରସାରିତ କରିବା ଉଚିତ୍‌ । ଉପଦେଶକ ବା ସେବାକାରୀ ଦେଖିବେ ଯେ ସେବାର୍ଥୀଙ୍କର କେଉଁ ଦକ୍ଷତା ବା କୌଶଳର ଅଭାବ ରହିଛି । ଅଧିକରୁ ଅଧିକ କୌଶଳ କିପରି ଆହରଣ କରାଯିବ, ସେ ସଂପର୍କରେ ମାର୍ଗଦର୍ଶନ ଦେବେ । ମସ୍ତିଷ୍କ ଭାଷା-ସମ୍ବିତ ପ୍ରଣାଳୀରେ ଭାଷାଗତ ପରିପ୍ରକାଶର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ରହିଥିବାରୁ ବ୍ୟକ୍ତିର ଭାଷାଗତ ପରିପ୍ରକାଶର ଶୈଳୀକୁ ବିଶ୍ଳେଷଣ କରାଯିବାର ପ୍ରାଧାନ୍ୟ ରହିଛି । ବ୍ୟକ୍ତି ଯେଉଁ କଥିତ ବା ଲିଖିତ ଭାଷା ବ୍ୟବହାର କରୁଛି, ତାହାର ପୂର୍ଣ୍ଣତା ଓ ଅସମ୍ପୂର୍ଣ୍ଣତା ପରିପ୍ରେକ୍ଷୀରେ ଅସଂଖ୍ୟ ଉପାଦାନର ତାଲିକା ରହିଥିଲେ ମଧ୍ୟ ଆଲୋଚ୍ୟ ବିଶେଷଜ୍ଞମାନେ ତିନୋଟି ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି: ଅଣଦେଖା କରିବା, ବିକୃତ କରିବା ଏବଂ ମାତ୍ରାଧିକ ସିଦ୍ଧାନ୍ତଗ୍ରହଣ । ଅଣଦେଖା କରୁଥିବା ବ୍ୟକ୍ତିଟି ହୁଏତ କୁହନ୍ତି "ମୁଁ ଦକ୍ଷ ନୁହେଁ' । କିନ୍ତୁ ପ୍ରଶ୍ନ ହେଉଛି- ବ୍ୟକ୍ତିଜଣକ କହୁଥିବା ଦକ୍ଷତାର କ୍ଷେତ୍ର କ’ଣ? ଗୋଟିଏ କ୍ଷେତ୍ରର ଅକ୍ଷମତାକୁ କେନ୍ଦ୍ରକରି ଏପରି ବିବୃତିର ପରିପ୍ରକାଶ ଅଣଦେଖା କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଭାଷାକୁ ଭିତ୍ତିକରି ଅନ୍ୟ ଏକ ତ୍ରୁଟିପୂର୍ଣ୍ଣ ମାନସିକତାକୁ ଚିହ୍ନଟ କରିବାର ପ୍ରଣାଳୀ ହେଉଛି ବିକୃତ ପରିପ୍ରକାଶ । ହୁଏତ ଜଣେ ବ୍ୟକ୍ତି କୁହନ୍ତି, ସେ ମୋତେ ଦୁଃଖୀ କରିଦେଲେ । କିନ୍ତୁ ବାସ୍ତବ ଦୃଷ୍ଟିକୋଣରୁ ଏହା ସମ୍ଭବ ନୁହେଁ । ପ୍ରତି ବ୍ୟକ୍ତିର ନିଜସ୍ୱ ଭାବନା ଓ ଅନୁଭୂତି ପାଇଁ ନିଜର ଦାୟିତ୍ୱ କଥା ଭାବିବାକୁ ହେବ । ନିଜର ଭାବାବେଗ ମୂଳରେ ନିଜେ ହିଁ ଦାୟୀ । ସୁତରାଂ ଅନ୍ୟକୁ ଦୋଷାରୋପ କରିବା ଅମୂଳକ ।

ତୃତୀୟତଃ, ଆମର ଦୈନନ୍ଦିନ ଜୀବନର ପରିଚାଳନା ପାଇଁ ଆମେ ମୋଟାମୋଟି କେତେକ ସାଧାରଣ ସିଦ୍ଧାନ୍ତକୁ ଗ୍ରହଣ କରିନେଲେ ମଧ୍ୟ ଏପରି ମନ୍ତବ୍ୟର ସୀମାବଦ୍ଧତା ପ୍ରତି ସଚେତନ ରହିବାକୁ ପଡ଼ିବ । "ଲୋକମାନେ ବିଶ୍ୱାସଯୋଗ୍ୟ'- ଏହାର ଅର୍ଥ ନୁହେଁ ଯେ ଦୈନନ୍ଦିନ ଜୀବନର ପରିଚାଳନା ସଂପର୍କରେ ଆମେ କୌଣସି ସତର୍କତା ଅବଲମ୍ବନ କରିବୁନାହିଁ । ସ୍ଥୂଳତଃ ମନୁଷ୍ୟର ଭାଷା ଓ ବକ୍ତବ୍ୟର ଶୈଳୀକୁ ଭିତ୍ତିକରି ବ୍ୟକ୍ତି ମାନସିକତାର ସବଳ ଓ ଦୁର୍ବଳ ଦିଗ ଚିହ୍ନଟ କରାଯାଇପାରେ, ଏହା ଏକ ମନସ୍ତାତ୍ତ୍ୱିକ ସତ୍ୟ । 

​​​​​​​