ବଲାଙ୍ଗିର,୨୨/୦୯: ଖଦାଲପଡ଼ାଠାରେ ସଂଘଠିତ ହତ୍ୟାକାଣ୍ଡ ପଛରେ ଏକ ତ୍ରିକୋଣୀୟ ପ୍ରେମ। ଯୁବତୀ ଜଣେ ରହିଥିବା ବେଳେ ପ୍ରେମିକ ଦୁଇଜଣ ରହିଛନ୍ତି । ଆଉ ନିଜ ପ୍ରେମକୁ ସାବ୍ୟସ୍ତ କରିବାକୁ ଯାଇ ମୁଣ୍ଡ ଗଡ଼ିଛି ବୋଲି ସ୍ଥାନୀୟ ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିଳାଷ ଜୀ ସୂଚନା ଦେଇଛନ୍ତି ା ଏହି ମାମଲାରେ ୨୪ଘଣ୍ଟା ନପୁରୁଣୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ବିଭୂତି ପଡାର ବିନୀତ ସେନ୍ ସମେତ ସହଯୋଗୀ ଗେଟସରୋବର ପଡାର ମଣ୍ଟୁ କରନଙ୍କୁ ଗିରଫ କରିଛି । ଅବଶ୍ୟ ସମାନ ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ମଧ୍ୟ ମୃତକ ରାଜ ଏବଂ ବୀନିତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ଗତକାଲି ଏକାଥରକେ ହତ୍ୟା କରିବାକୁ ଯୋଜନା କରି ଅଭିଯୁକ୍ତମାନେ ସଫଳ ହୋଇଥିଲେ । ଅବଶ୍ୟ ଘଟଣା ଘଟାଇ ଫେରାର ମାରିବା ପୂର୍ବରୁ ସେମାନଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ଏକ ମାରଣାସ୍ତ୍ର(ଡ଼ାବଲି) ଜବତ କରାଯାଇଛି।
ସୂଚନାଅନୁସାରେ, ଶନିବାର ମଧ୍ୟାହ୍ନ ଅଢ଼େଇ ଟା ବେଳେ ମୃତକ ରାଜ ବେହେରା ତାଙ୍କ ଘର ସମ୍ମୁଖରେ ବସିଥିଲେ । ଏହି ସମୟରେ ବିନିତ ଏବଂ ମଣ୍ଟୁ ତାଙ୍କ ଘରସାମ୍ନାକୁ ଆସିବା ପରେ ରାଜ ଘର ଭିତରୁ ଧାଇଁଥିଲେ । ଏପରିକି ତାଙ୍କୁ ମାରିବାକୁ କେହି ଆସିଥିବା ବୋଲି ଚିତ୍କାର କରିଥିଲେ । ଏହା ଶୁଣି ରାଜଙ୍କ ମା ଏବଂ ଭଉଣୀ ଘରୁ ବାହାରିକୁ ଆସିବା ବେଳେ ହିଁ ରାଜଙ୍କୁ ଦୁଇ ଅଭିଯୁକ୍ତ ଅତର୍କିତ ଭାବରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ା ଏଥିରେ ରାଜଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ଏହାପରେ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିଥିଲେ । ପରେ ପରିବାରବର୍ଗ ରାଜଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ରାଜକୁ ମୃତ ଘୋଷଣା କରିଥିଲେ । ରାଜଙ୍କ ମୃତ୍ୟୁ ପରେ ତାଙ୍କ ମାଁ ବାସନ୍ତୀ ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା, ସାଇଣ୍ଟିଫିକ ଟିମର ପ୍ରମାଣ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରି ଥିଲା । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇ ଉଭୟ ଅଭିଯୁକ୍ତଙ୍କୁ ଟ୍ରାକିଂ କରି ଧରିଥିଲା ା ତେବେ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସପି ସୂଚନା ଦେଇଥିଲେ ।