ପୁରୀ, ୦୩/୧୧: ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚୁକ ବ୍ରତ ନୀତି । ଦ୍ୱାଦଶୀ ତିଥିରେ ଠାକୁରଙ୍କ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ସକାଳ ୫ଟାରେ ମଙ୍ଗଳଆଳତି, ୬ଟା ୧୦ରେ ଅବକାଶ ପୂଜା ଶେଷ ପରେ ମଇଲମ ହୋଇ ଡାଳିକିଆ ବେଶ ନୀତି ଆରମ୍ଭ ହୋଇଛି। ମହାପ୍ରଭଙ୍କୁ ତ୍ରିବିକ୍ରମ ବେଶ ଦର୍ଶନ କରିବାକୁ ଭୋରୁ ବଡ଼ ଦାଣ୍ଡରେ ଶ୍ରଦ୍ଧାଳୁଙ୍କୁ ଭିଡ଼ ପରିଲକ୍ଷିତ ହୋଇଛି।
ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଏହି ଚୂଳରେ ସ୍ୱର୍ଣ୍ଣନିର୍ମିତ କିଆ ଆଡ଼ବାଗରେ ଖୋସା ହୋଇଥାଏ । ସୁଭଦ୍ରା ଓ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥିସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି, ତ୍ରିବିକ୍ରମ ବା ଆଡ଼କିଆ ବେଶ ଅତିବଡ଼ୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ । ଆଡ଼କିଆ ଓ ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି ଯେ ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସାନଯାଇ ଆଡ଼ବାଗରେ ଖୋସାଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆଗୁଡ଼ିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ଚୂଳରେ ଖୋସାଯାଏ । ଚୂଳର ଶେଷରେ ସୁନାର ଚନ୍ଦ୍ରିକା ଲାଗିଥାଏ । ସୁଭଦ୍ରାଙ୍କୁ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକା ଦ୍ୱାରା ଶୋଭିତ କରାଯାଏ । ସବୁ ଠାକୁରମାନଙ୍କ ମୁଖର ଉପର ପାଶ୍ୱର୍ରେ ଦୁଇଟି ଲେଖାଏଁ କାଡ଼କାନି ଲଗାଯାଇଥାଏ । ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କ ଦ୍ୱାରା ଏହି ବେଶର ପ୍ରଚଳନ ହୋଇଥିଲା ।
ମହାପ୍ରଭୁଙ୍କ ତ୍ରିବିକ୍ରମ ବା ଆଡ଼ିକିଆ ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ମଙ୍ଗଳବାର ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ । ଶେଷ ଦିନ ୫ ତାରିଖ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦାରୁବ୍ରହ୍ମ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହେବେ । ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଦୁର୍ଲଭ ବେଶରେ ବିଭୂଷିତ କରିବେ ।