ମାଲକାନଗିରି : ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ବିୟୋଗରେ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳିସଭା ପାଳିତ ହୋଇ ଯାଇଛି।
ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର , ଜି. ଶ୍ରୀନିବାସ ରାଓ ,ପଦ୍ମ ପାଙ୍ଗି, ପର୍ଶୁରାମ ଭକ୍ତ, ଚୀନା ରାଓ, ପ୍ରାଣ ମଣ୍ଡଳ ପ୍ରମୁଖ କଂଗ୍ରେସ ଉପସ୍ଥିତ ରହି ସ୍ୱର୍ଗତ ସିଂହଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି, ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିଚାରଣ କରି ଥିଲେ। ସ୍ୱର୍ଗତ ସିଂହଙ୍କ ବିଗତ ଦିନର ଅର୍ଥନୀତିକୁ ବଜାୟ ରଖିବାରେ ଅତୁଳନୀୟ ଅବଦାନକୁ ଭାରତ କେବେ ମଧ୍ୟ ଭୁଲି ପାରିବ ନାହିଁ ବୋଲି ଆଲୋଚନା କରାଯାଇ ଥିଲା। ଅନୁରୂପ ଭାବେ ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ତିରୋଧାନରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ଥିଲା।
ନୀରବ ପ୍ରାର୍ଥନା ପରେ ଡଃ ମନମୋହନ ସିଂହଙ୍କ ସାଧନା , ସଫଳତା ଓ ସ୍ୱତନ୍ତ୍ରତା ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରାଯାଇ ଥିଲା। ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ଜଗନ୍ନାଥ ଦାସ, ରାଜନୀତି ବିଜ୍ଞାନ ଅଧ୍ୟାପିକା ସସ୍ମିତା ଖରା, ଇଂରାଜୀ ବିଭାଗର ଅଧ୍ୟାପିକା ସ୍ମାଇଲ ବୈଷ୍ଣବ ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସମେତ ଏକାଧିକ ଛାତ୍ରଛାତ୍ରୀମାନେ ଏହି ଶୋକସଭାରେ ଅଂଶ ଗ୍ରହଣ କରିଥିଲେ।