ସହିଦଙ୍କୁ ଶ୍ରଦ୍ଧାଞ୍ଜଳ: ପ୍ରମେୟ, ନ୍ୟୁଜ୍-୭, ସୋଆ ପରିବାରର ଅଶୁଳ ଶ୍ରଦ୍ଧାଞ୍ଜଳି , କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ, ଜାଗମରା ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ସହିଦ ଯବାନ ଅମର ରହେ । ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍ । ଭାରତୀୟ ସେନା ତୁମେ ମହାନ୍ । ଏମିତି ଧ୍ୱନିରେ ଆଜି ପ୍ରକମ୍ପିତ ହୋଇଥିଲା ଜାଗମରା ଅଞ୍ଚଳ । ଗତକାଲି ପୁଲୱାମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ସୋଆ ଡିମଡ୍ ବିଶ୍ୱବିଦ୍ୟାଳୟ ଏମିତି ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲା ।

ଆଇଟିଇଆର୍ ଛକରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ପ୍ରମେୟ ଟ୍ରାଫିକ୍ ଛକରୁ ପ୍ରମେୟ’ ଓ ନ୍ୟୁଜ୍-୭ର ସମସ୍ତ କର୍ମଚାରୀ ଏଥିରେ ଯୋଡ଼ି ହୋଇଥିଲେ । ହାତରେ ଶ୍ରଦ୍ଧାଞ୍ଜଳି ରୂପକ କ୍ୟାଣ୍ଡେଲ୍ ଧରି ସହିଦ ବୀର ଯବାନଙ୍କ ଜୟଗାନ କରୁଥିଲେ । ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏହି ମହମବତୀ ଶୋଭାଯାତ୍ରା ଯାଇଥିଲା । ଜଗନ୍ନାଥ ମନ୍ଦିରର ବାହାରେ ସମସ୍ତେ ଏକାଠି ହୋଇ ବୀର ଯବାନଙ୍କୁ ସମ୍ମାନ ଜଣାଇ ନାରା ଦେଇଥିଲେ । ସହିଦ ଯବାନଙ୍କ ବଳିଦାନକୁ ସ୍ମରଣ କରିବା ସହ ତାଙ୍କ ସ୍ମୃତିରେ ଦୀପଦାନ କରିଥିଲେ ।

‘ସୋଆ’ର ସଭାପତି ପ୍ରଫେସର ଡା. ମନୋଜ ରଞ୍ଜନ ନାୟକ ଉପସ୍ଥିତ ରହି ବୀର ଯବାନଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ‘ପ୍ରମେୟ’ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ମିଶ୍ର, ସେଲସ୍(ଭିପି) ଲିଙ୍ଗରାଜ ଲେଙ୍କା, ପ୍ରସାରଣ ବିଭାଗ ଡିଜିଏମ ଗଜେନ୍ଦ୍ର ଦାଶ, ବାର୍ତ୍ତା ସଂଯୋଜକ ସୁଦୀପ ରାଉତ, ଚିଫ୍ ଅଫ ବ୍ୟୁରୋ ଦେବେନ୍ଦ୍ର ସୁଆର, ନ୍ୟୁଜ୍-୭ ଇନ୍ପୁଟ ହେଡ ଦେବନାରାୟଣ ସେଠୀ, ଆଇଟିଇଆର୍ ନିର୍ଦ୍ଦେଶକ ମାନସ ମଲ୍ଲିକ, ଛାତ୍ର ମଙ୍ଗଳ ଡିନ୍ ଡ.ଜ୍ୟୋତିରଞ୍ଜନ ଦାଶ, ପ୍ରମେୟ ମାନବସମ୍ବଳ ଅଧିକାରୀ ମଧୁସ୍ମିତା ଦାସ, ନ୍ୟୁଜ ସେଭେନ ମାନବସମ୍ବଳ ଅଧିକାରୀ ଏସ୍. ସୌଭାଗ୍ୟଲକ୍ଷ୍ମୀ, ବିଜୟ ମହାନ୍ତି ଓ ଅନ୍ୟମାନେ ଏଥିରେ ଉପସ୍ଥିତ ରହି ଯବାନଙ୍କୁ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।