ନୂଆଦିଲ୍ଲୀ,୨୦।୭: ତ୍ରିପୁରାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧନଖରଙ୍କ ମୃତ୍ୟୁ। ଅଗରତାଲା ପୋଲିସ ମୁଖ୍ୟାଳୟରୁ ଅନୁରାଗଙ୍କ ମୃତଦେହ ଉଦ୍ଧାର ପରେ ଖେଳି ଯାଇଛି ଚାଞ୍ଚଲ୍ୟ। ମୃତଦେହ ଉଦ୍ଧାର କରି ଜିପି ହସ୍ପିଟାଲ ତାଙ୍କୁ ନିଆଯାଇଛି। ତେବେ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ପ୍ରାଥମିକ ସୂଚନା ଅନୁସାରେ, ସେ ଆତ୍ମହତ୍ୟା କରିଥିବା ନେଇ ଆଶଙ୍କା କରାଯାଉଛି। ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।
ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ
ପ୍ରାରମ୍ଭିକ ଖବର ଅନୁସାରେ, ଅନୁରାଗଙ୍କୁ ନିଜର ସର୍ଭିସ ରିଭଲଭରରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆଉ କିଛି ମିଡିଆ ରିପୋର୍ଟ ଅନୁସାରେ ସେ ଅଫିସ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ଏବେ ଏହାର ପୁରା ସତ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ। ଘଟଣାର ସୂଚନା ମିଳିବା ପରେ ପୋଲିସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ତୁରନ୍ତ ଅଗରତାଲାର ଗୋବିନ୍ଦ ବହ୍ଲଭ ପନ୍ତ (ଜିବିପି) ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ସହ ଔପଚାରିକ ପକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସର ବରିଷ୍ଠ ଅଧିକାରୀ ସେଠାରେ ପହଁଞ୍ଚିଥିଲେ ଓ କାର୍ଯ୍ୟାଳୟ ପରିସରର ସୁରକ୍ଷା ଘେରାରେ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅନ୍ୟ ସୂଚନା ପୋଲିସ ପକ୍ଷରୁ ଦିଆଯାଇ ନାହିଁ।
ଘଟଣାସ୍ଥଳରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ
ଏହି ଦୁଃଖଦ ଘଟଣାର ଖବର ଜଣାପଡିବା ପରେ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମାମଲାର ଗମ୍ଭୀରତାକୁ ଦେଖି ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡକ୍ଟର) ମାଣିକ ସାହା ତୁରନ୍ତ ପୋଲିସ ମୁଖ୍ୟାଳୟ ପହଁଞ୍ଚିଥିଲେ। ମୁଖ୍ୟ ସଚିବ ଜେକେ ସିହ୍ନାଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ ପୋଲିସକର୍ମୀ ଜିବି ହସ୍ପିଟାଲରେ ପହଁଞ୍ଚିଥିଲେ। ପୋଲିସ ମୁଖ୍ୟାଳୟ ଭିତରେ ବରିଷ୍ଠ ଅଧିକାରୀମାନେ ସ୍ଥିତି ସମ୍ଭାଳିଥିଲେ। ଘଟଣାର ତୁରନ୍ତ ପରେ ଜରୁରୀ ସାକ୍ଷ୍ୟ ପ୍ରମାଣ ଏକାଠି କରିବାର ପ୍ରକିୟା ଆରମ୍ଭ ହୋଇଛି।
ଅନୁରାଗଙ୍କ କ୍ୟାରିୟର
ଅନୁରାଗ ଧନଖଡ ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ। ସେ ୨୦୨୫ ରେ ତ୍ରିପୁରା ପୋଲିସ ମହାନିର୍ଦେଶକ (ଡିଜିପି) ପଦ ଗ୍ରହଣ କରିଥିଲେ। ଉଲ୍ଲେଖନୀୟ ଯେ, ଧନଖଡ ସିବିଆଇରେ ନିରବ ମୋଦିଙ୍କ ମାମଲାର ତଦନ୍ତର ନେତୃତ୍ବ ନେଉଥିଲେ। ସେ ୧୯୮୪ ରେ ଶିଖ ସମୁଦାୟ ନରସଂହାର ମାମଲାର ଯାଞ୍ଚ ପାଇଁ ଗଠିତ ଏସଆଇଟିର ମଧ୍ୟ ନେତୃତ୍ବ ନେଇଥିଲେ।
ଆହୁରି ପଢନ୍ତୁ : Kota hostel crocodile: କୋଟା ହଷ୍ଟେଲରେ ୪ ଫୁଟ୍ର କୁମ୍ଭୀର, ଜୀବନ ବିକଳରେ ଦୌଡ଼ିଲେ ରୋଷେୟା