ରାଜସ୍ଥାନ, ୨୦।୭: ରାଜସ୍ଥାନର କୋଟା ସହରକୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢ଼ିବାକୁ ଆସନ୍ତି । ନିକଟରେ ଏହି ସହରରୁ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏକ ଛାତ୍ରାବାସର ମେସ୍ ଭିତରକୁ ହଠାତ୍ ପଶି ଆସିଛି ଏକ ବିରାଟକାୟ କୁମ୍ଭୀର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ, ହଷ୍ଟେଲର ବେସମେଣ୍ଟରେ ଥିବା ମେସ୍ ରୋଷେଇ ଘରେ ରୋଷେୟା ଜଣକ ଛାତ୍ରଙ୍କ ପାଇଁ ରୁଟି ପ୍ରସ୍ତୁତ କରୁଛନ୍ତି । ଚାରିପଟେ ଖାଦ୍ୟ ସାମଗ୍ରୀ ରଖାଯାଇଛି । ଠିକ୍ ଏହି ସମୟରେ ରୋଷେୟା ଜଣକ ହଠାତ୍ ପଛକୁ ଚାହିଁ ଚମକି ପଡ଼ୁଛନ୍ତି ଏବଂ ରୁଟି ତିଆରି ଛାଡ଼ି ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଉଛନ୍ତି । ଏହାପରେ କ୍ୟାମେରା ଫ୍ରେମକୁ ଆସୁଛି ପ୍ରାୟ ୪ ଫୁଟ୍‌ ଲମ୍ବର କୁମ୍ଭୀର । 

ଏହା ବି ପଢ଼ନ୍ତୁ... Dengue Vaccine: ଦେଶରେ ପ୍ରଥମ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ, ୪ ରୁ ୬୦ ବର୍ଷର ବ୍ୟକ୍ତି ନେଇପାରିବେ ଭ୍ୟାକ୍ସିନ୍

'Vishii14' ନାମକ ଏକ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏହି ଭିଡିଓ ଶେୟାର କରାଯାଇଛି । ଆଶଙ୍କା କରାଯାଉଛି ଯେ, ହଷ୍ଟେଲ ନିକଟରେ ଥିବା କୌଣସି ବଡ଼ ନାଳ ଦେଇ ଏହି କୁମ୍ଭୀରଟି ଆବାସିକ ଅଞ୍ଚଳକୁ ଚାଲିଆସିଥିଲା ଏବଂ ପରେ ମେସ୍ ଭିତରକୁ ପଶିଯାଇଥିଲା । ମେସ୍ ଭିତରେ କୁମ୍ଭୀର ଥିବା ଖବର ମିଳିବା ପରେ ତୁରନ୍ତ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହି ଘଟଣାରେ କୁମ୍ଭୀରଟି କାହାକୁ କ୍ଷତି ନ ପହଞ୍ଚାଇଥିବା ଜଣପଡ଼ିଛି, ହେଲେ ଭିଡିଓଟି ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।