ମାଲକାନଗିରି, ୧୩/୭ (ଆପ୍ର ) : ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ କାଦୁଅରେ ୨ଟି ଟ୍ରକ୍ ଫସି ରହିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗୋଟିଏ ଟ୍ରକ ବାହାର କରାଯିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।
ମାଲକାନଗିରି ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ମହାରାଜପଲ୍ଲୀ ଠାରୁ ଏମପିଭି ୮୧ ଗ୍ରାମ ମଝିରେ ଗତ କାଲି ଠାରୁ ଦୁଇଟି ଟ୍ରକ ଗୋଟିଏ ସ୍ଥାନରେ କାଦୁଅରେ ଫସି ରହିଥିଲା। ପ୍ରାୟ ୧୫ ଘଣ୍ଟା ଧରି ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇ ରହିଥିଲା। ପିଚୁ ରାସ୍ତାରେ ଏପରି ଭାବେ ଏହି ଦୁଇଟି ଗାଡି ଫସି ରହିଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବା ସମୟରେ ଅନ୍ୟ ଯାତ୍ରୀ ମାନେ ନାନା ସମସ୍ୟାର ସାମ୍ନା କରିଥିଲେ। ତେବେ ରବିବାର ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହଯୋଗରେ ଗୋଟିଏ ଗାଡି ରାସ୍ତା ଉପରୁ ହଟାଯିବା ପରେ ଯାତାୟତ ଏକ ପ୍ରକାର ସ୍ୱାଭାବିକ ହୋଇପାରିଥିଲା। ତେବେ ଅନ୍ୟ ଏକ ଟ୍ରକ୍ କାଦୁଅରେ ଫସି ରହିଥିବା ବେଳେ ବଡ ଗାଡି ଓ ଭାରିଯାନ ଗୁଡିକ ଚଳାଚଳ ହୋଇପାରୁ ନଥିବାରୁ ସେହି ଗାଡିକୁ ମଧ୍ୟ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି।
ସୂଚନା ଥାଉକି ଏହି ୩୨୬ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ଅବସ୍ତା ଶୋଚନୀୟ ହୋଇ ପଡିଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନରେ ଏହି ରାସ୍ତା ଶୋଚନୀୟ ହୋଇ ପଡିଥିବା ବେଳେ ବିଭାଗୀୟ କର୍ତ୍ତୁପକ୍ଷ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହୋଇଛି।