ନୂଆଦିଲ୍ଲୀ,୦୫/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ବିଭିନ୍ନ ଦେଶ ଉପରେ ଟାରିଫ୍ ବଢ଼ାଇବା ଘୋଷଣା କରିଥିଲେ । ଟ୍ରମ୍ପଙ୍କ ଏଭଳି କଠୋର ଆଭିମୁଖ୍ୟର ପାଲଟା ଜବାବ ଦେଇଛନ୍ତି ଚୀନ୍ ଏବଂ କାନାଡା । ଟ୍ରମ୍ପ ପ୍ରଶାସନର ନୂଆ ଟାରିଫ ନିର୍ଦ୍ଦେଶ ବିରୋଧରେ ବେଞ୍ଜିଂ ତ୍ୱରିତ ଭିତ୍ତିରେ ପ୍ରତିକ୍ରିୟା ଦେଖାଇଛି । ବାଣିଜ୍ୟ ଯୁଦ୍ଧ ଏବେ ଚାଲିଥିବା ବେଳେ ଏ ନେଇ ଚୁକ୍ତି କରିବାକୁ ଦେଶ ତରତର ନୁହେଁ ବୋଲି କହିଛି ଚୀନ । ଚୀନ ସାମଗ୍ରୀ ଉପରେ ଆମେରିକା ଟାରିଫ ବଢ଼ାଇବାର ଗୋଟିଏ ଘଣ୍ଟା ପରେ ଏଭଳି ପାଲଟା କାର୍ଯ୍ୟାନୁଷ୍ଠାନ ନେଇଛି ଡ୍ରାଗନ । ପୂର୍ବରୁ ଚୀନ ସାମଗ୍ରୀ ଉପରେ ଆମେରିକା ୧୦% ଟାରିଫ ଲଗାଉଥିଲା । ଏହାକୁ ୨୦%କୁ ବଢ଼ାଇ ଥିଲେ ଟ୍ରମ୍ପ । ଚୀନ ଏବେ ଆମେରିକାରୁ ଆସୁଥିବା କୃଷିଜାତ ସାମଗ୍ରୀ ଉପରେ ଟିକସ ଲଗାଇଛି । ସୋୟାବିନ, ପର୍କ ଭଳି ଅନ୍ୟ କେତେକ ସାମଗ୍ରୀ ଉପରେ ଲାଗିଛି ଟିକସ ।
ସେହିଭଳି ମେକ୍ସିକୋ ଏବଂ କାନାଡାରୁ ଆସୁଥିବା ସାମଗ୍ରୀ ଉପରେ ମଧ୍ୟ ଆମେରିକାର ଟିକସ ବୃଦ୍ଧି ପ୍ରସ୍ତାବ ଲାଗୁ ହୋଇଛି । ଏହା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି କାନାଡା । ସେହିଭଳି ରବିବାର କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ମେକ୍ସିକୋ ମଧ୍ୟ ଉତ୍ତର ରଖିଛି । ମାର୍ଚ୍ଚ ୧୦ରୁ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ଅତିରିକ୍ତ ୧୦ରୁ ୧୫% ଟିକସ ଲାଗୁ କରିବାକୁ ଚୀନ ଘୋଷଣା କରିଛି । ଏହା ମଧ୍ୟରେ ଆମେରିକାର ସୋୟାବିନ,ପର୍କ ଏବଂ ଗୋମାଂସ ଉପରେ ୧୦% ଓ ଚିକେନ ଏବଂ କପା ଉପରେ ୧୫% ଲାଗୁ ହେବ ବୋଲି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି । ଆମେରିକାର କାର୍ଯ୍ୟାନୁଷ୍ଠାନ ଉପରେ ପାଲଟା ଜବାବ ଲାଗି ଚୀନ ପ୍ରସ୍ତୁତ ଥିବା କୁହାଯାଉଛି । ବାଣିଜ୍ୟ ଯୁଦ୍ଧ ଯୋଗୁ ଏସିଆ ବଜାର ଗଭୀର ଭାବେ ପ୍ରଭାବିତ ହେଉଛି । ଏହାକୁ ନେଇ ନିବେଶକ ମଧ୍ୟ ପ୍ରସ୍ତୁତ ରହିଥିବା ବିଶେଷଜ୍ଞ କହିଛନ୍ତି । ଜାପାନର ନିକେଇ ୨.୭% ଖସିବା ପରେ ୧.୨% ନିମ୍ନରେ ରହି ବନ୍ଦ ହୋଇଛି । ସେହିଭଳି ହଂକଂର ହ୍ୟାଙ୍ଗସେଙ୍ଗ ଇଣ୍ଡେକ୍ସ ୦.୩% ନିମ୍ନରେ ରହି ବନ୍ଦ ହୋଇଛି । ସେହିଭଳି ଚୀନ ପୁଞ୍ଜି ବଜାର ମଧ୍ୟ ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି । ଆମେରିକାର ଡାଉଜୋନ୍ସ ୦.୩%, ଏସ୍ ଆଣ୍ଡ ପି ୫୦୦ ୦.୮% ଏବଂ ନାସଡାକ ୧୦୦ ୦.୯% ଖସିଛି । ସେହିଭଳି ଭାରତର ଶେୟାର ବଜାର ମଧ୍ୟ ପ୍ରଭାବିତ । ଲଗାତାର ୧୦ ଦିନ ଲାଗି ଖସିଛି ନିଫ୍ଟି ।
ଏହା ମଧ୍ୟ ପଢନ୍ତୁ- ନିଲାମ ହେଲା ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ବ୍ୟବହୃତ ସାମଗ୍ରୀ, ଷ୍ଟିଭ୍ ଜବ୍ସଙ୍କ ଟାଇ ୩୧ ଲକ୍ଷରେ ବିକ୍ରି
ନିଟିକ୍ସିସର ବରିଷ୍ଠ ଅର୍ଥନୀତିଜ୍ଞ ଗ୍ୟାରି ଏନ୍ଜି କହିଛନ୍ତି, ଆମେରିକା ଭଳି ଚୀନ ମଧ୍ୟ ଏବେ ସମାନ ପ୍ରତିକ୍ରିୟାଶୀଳ ହୋଇଛି । ଆଇଜିର ମାର୍କେଟ ଷ୍ଟ୍ରାଟେଜିଷ୍ଟ ୟୁନ ରଙ୍ଗ ୟେପ୍ କହିଛନ୍ତି, ଚୀନ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି । ଏହା ଅର୍ଥନୀତିକୁ ଆହୁରି ପ୍ରଭାବିତ କରିବ । ହଂକଂ ଭିତ୍ତିକ ଆସେଟ ମ୍ୟାନେଜମେଣ୍ଟ କମ୍ପାନି ପିନ୍ ପଏଣ୍ଟର ମୁଖ୍ୟ ଅର୍ଥନୀତିଜ୍ଞ ହ୍ୱିଇ ଜାଙ୍ଗ କହିଛନ୍ତି, ଆମେରିକା ତୁଳନାରେ ଚୀନ ଏବେ ଏତେଟା ଟାରିଫ ଲାଗୁ କରିନି । ଚୀନ ନିକଟରେ ଆମେରିକାର ୧୦ କମ୍ପାନି ଉପରେ କଟକଣା ଲଗାଇଥିଲା । କାନାଡା କଥା ବିଚାରକୁ ନେଲେ ଏହା ଆମେରିକାର ୧୫୫ ବିଲିୟନ ଉତ୍ପାଦ ଉପରେ ଏହା ୨୫% ଟାରିଫ ଲଗାଇଛି । ୩୦ ବିଲିୟନ ଡଲାରର ସାମଗ୍ରୀ ଉପରେ ତ୍ୱରିତ ଭିତ୍ତିରେ ଟାରିଫ ଲାଗୁ ହେବ । ଆଗାମୀ ୨୧ ଦିନରେ ଆଉ ୧୨୫ ବିଲିୟନ ଡଲାର ସାମଗ୍ରୀ ଉପରେ ଲାଗିବ ଟିକସ । ଆମେରିକା ଏହାର ଟିକସ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର ନ ହେଲା ଯାଏ ଟିକସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି । ମେକ୍ସିକୋ ରାଷ୍ଟ୍ରପତି କ୍ଲଡିଆ ସେନ୍ବମ୍ କହିଛନ୍ତି, ରବିବାର ଟାରିଫ ଏବଂ ଅଣଟାରିଫ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯିବ ।