ୱାଶିଂଟନ,୧୨/୦୬: ଆମେରିକା  ଏବଂ ଚୀନ୍‌ ମଧ୍ୟରେ ବାଣିଜ୍ୟ ଚୁକ୍ତି ଘୋଷଣା  ହୋଇଛି । ନିଜେ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଏହି  ବୁଝାମଣା ଅନ୍ତର୍ଗତ ଚୀନ୍‌ ଏବେ ଆମେରିକାକୁ  ରେୟାର୍‌ ଆର୍ଥ ଉପାଦାନ ଯୋଗାଇବ ।  ରେୟାର୍‌ ଆର୍ଥ ଉପାଦାନ ପ୍ରଯୁକ୍ତି ଉପକରଣ,  ସ୍ମାର୍ଟଫୋନ୍‌ ଏବଂ ଇଲେକ୍ଟ୍ରିକ୍‌ କାର ଭଳି  କ୍ଷେତ୍ରରେ ବହୁଳ ବ୍ୟବହାର ହୋଇଥାଏ ।  ତେବେ ରେୟାର୍‌ ଆର୍ଥ ବଦଳରେ ଚୀନ୍‌  ଛାତ୍ରଛାତ୍ରୀଙ୍କୁ ଆମେରିକା ଏହାର କଲେଜ୍‌  ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ିବା ପାଇଁ  ଅନୁମତି ଦେବ । 

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ନୂଆ  ଡିଲ୍‌ ଦ୍ୱାରା ଟାରିଫ୍‌ ଅର୍ଥାତ୍‌ ଆମଦାନି ଶୁଳ୍କକୁ  ନେଇ ଆମେରିକାକୁ ୫୫% ଲାଭ ମିଳୁଛି ।  ଅନ୍ୟପକ୍ଷରେ, ଚୀନ୍‌କୁ ମାତ୍ର ୧୦% ଲାଭ  ମିଳିବ । ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ,  ଉକ୍ତ ଟାରିଫ୍‌ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅର୍ଥ କ’ଣ  ଏବଂ ଏହା କିଭଳି କାର୍ଯ୍ୟ କରିବ ।  

ପ୍ରକାଶଯୋଗ୍ୟ, ରେୟାର୍‌ ଆର୍ଥ ଉପାଦାନ  ମୋଟ ୧୭ଟି ରହିଛି । ସେଗୁଡ଼ିକ ମଧ୍ୟରେ  ଲାନ୍ଥନମ୍‌, ନିୟୋଡିୟମ, ପ୍ରାସିୟୋଡିୟମ  ଭଳି ଖଣିଜ ପଦାର୍ଥ ଅନ୍ତର୍ଭୁକ୍ତ । ଏହା  ଦେଖିବାକୁ ସାଧାରଣ ଖଣିଜ ଭଳି କିନ୍ତୁ  ଏଥିରେ ବିଶେଷ ମ୍ୟାଗ୍‌ନେଟିକ୍‌ ଏବଂ  ଇଲେକ୍ଟ୍ରୋନିକ୍‌ ଗୁଣ ଥାଏ, ଯାହା ଏହାକୁ  ପ୍ରଯୁକ୍ତି ଉପକରଣଗୁଡ଼ିକ ପାଇଁ ଜରୁରୀ  ବନାଇଥାଏ । ଏହାକୁ ରେୟାର ବା ଦୁର୍ଲଭ  କୁହାଯାଇଥାଏ କାରଣ ଏହା ପୃଥିବୀର ବହୁ  ତଳେ ରହିଥାଏ । ଏହାର ଉତ୍ତୋଳନ ଏବଂ  ବିଶୋଧନ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଓ ମହଙ୍ଗା  ହୋଇଥାଏ ।  

ରେୟାର୍‌ ଆର୍ଥ ଖଣିଜ ପଦାର୍ଥର  ବ୍ୟବହାର କେତେକ ଆଧୁନିକ ପ୍ରଯୁକ୍ତି  ଏବଂ ଶିଳ୍ପରେ ହୋଇଥାଏ । ଏଥିମଧ୍ୟରେ  ରହିଛି ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌ ଏବଂ ଟିଭି  ଭଳି ଇଲେକ୍ଟ୍ରୋନିକ୍ସ ଉପକରଣ, ଇଲେକ୍ଟ୍ରିକ୍‌  ଯାନ, ପବନ ଟର୍‌ବାଇନ୍‌, ସୌର ପ୍ୟାନେଲ  ଏବଂ ବ୍ୟାଟେରି । ଚୀନ୍‌ ରେୟାର୍‌ ଆର୍ଥ ଖଣିଜ  କ୍ଷେତ୍ରରେ ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ।  ଏହା ବିଶ୍ୱର ୬୦ରୁ ୭୦% ଚାହିଦା ପୂରଣ  କରିଥାଏ । ୨୦୨୩ ସୁଦ୍ଧା ଚୀନ୍‌ ଏହାର  ଖନନ ଏବଂ ବିଶୋଧନ ପ୍ରକ୍ରିୟାରେ ବଡ଼  ମାତ୍ରାରେ ନିବେଶ କରିଛି । ଟ୍ରମ୍ପ ଚୁକ୍ତିରେ  ମୋହର ଲଗାଇଥିବାବେଳେ ଏବେ ଏହାକୁ  ଅନ୍ତିମ ରୂପ ଦେବା ପାଇଁ ଚୀନ୍‌ ରାଷ୍ଟ୍ରପତି ସି.  ଜିନ୍‌ପିଙ୍ଗ୍‌ଙ୍କ ମଞ୍ଜୁରି ଲାଗି ଅପେକ୍ଷା ରହିଛି ।  

ଏହାପୂର୍ବରୁ ଆମେରିକାର ବାଣିଜ୍ୟ  ସଚିବ ହାୱାର୍ଡ ଲୁଟ୍‌ନିକ୍‌ କହିଥିଲେ ଯେ,  ଉଭୟ ଦେଶ ଜେନେଭାରେ ପୂର୍ବରୁ  ହୋଇଥିବା ବୁଝାମଣାକୁ ଚୂଡ଼ାନ୍ତ ରୂପ  ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଚୀନ୍‌ର  ବ୍ୟାପାର ମାମଲାର ବରିଷ୍ଠ ଅଧିକାରୀ ଲି.  ଚେଙ୍ଗ୍‌ଗାଙ୍ଗ୍‌ ମଧ୍ୟ ସମାନ କଥା କହିଥିଲେ।