ନୂଆଦିଲ୍ଲୀ,୧୨/୦୧: ଆମେରିକା ନିକଟରେ ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା । ରାଷ୍ଟ୍ରପତି ପଦରେ ଥିବା ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରି ନେଇଛି । ଏହି ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଫଟୋ ସେୟାର କରିଛନ୍ତି । ଟ୍ରମ୍ପ ତାଙ୍କ ୱିକିପିଡିଆ ପୃଷ୍ଠାର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦର୍ଶାଯାଇଛି । ଏହାକୁ ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ପୂର୍ବରୁ ଭେନେଜୁଏଲାକୁ ଚଲାଇବାକୁ କରିଥିଲେ ଦାବି- ଭେନେଜୁଏଲା ଉପରେ ଆକ୍ରମଣ ପରେ, ଟ୍ରମ୍ପ ବାରମ୍ବାର କହିଥିଲେ ଯେ ଆମେରିକା ଅସ୍ଥାୟୀ ଭାବରେ ଭେନେଜୁଏଲାକୁ ପରିଚାଳନା କରିବ ଏବଂ ଦେଶରେ ସ୍ଥିରତା ପାଇଁ ଏହାର ତୈଳ ସମ୍ପଦ ବ୍ୟବହାର କରିବ । ଅନ୍ତରୀଣ ସରକାର ଡେଲ୍ସି ରୋଡ୍ରିଗ୍ସଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ସ୍ୱୀକାର କରିଥିଲେ, କିନ୍ତୁ ଏହା ମଧ୍ୟ ଦାବି କରିଥିଲେ ଯେ ଆମେରିକା ଦେଶର ପ୍ରକୃତ ନିୟନ୍ତ୍ରଣରେ ଅଛି । ନ୍ୟୁୟର୍କ ଟାଇମ୍ସ ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପ କହିଥିଲେ ଯେ ଆମେରିକା ଅନେକ ବର୍ଷ ପର୍ଯ୍ୟନ୍ତ ଭେନେଜୁଏଲା ଉପରେ ନଜର ରଖିପାରିବ ।
ବର୍ତ୍ତମାନ ଟ୍ରମ୍ପଙ୍କ ନୂଆ ପୋଷ୍ଟକୁ ଟ୍ରୋଲ୍ ଏବଂ ମିମ୍ ଭାବରେ ଦେଖୁଛନ୍ତି ୟୁଜର୍ସ । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ହାସ୍ୟରସପୂର୍ଣ୍ଣ ବୋଲି କହିଛନ୍ତି ।ଜଣେ ୟୁଜର ଲେଖିଛନ୍ତି, "ଏବେ ଆପଣ ଦୁଇଟି ଦେଶର ରାଷ୍ଟ୍ରପତି !", ଆଉ ଜଣେ ୟୁଜର ଏହାକୁ ଟ୍ରମ୍ପଙ୍କ ଅତ୍ୟଧିକ ଆତ୍ମବିଶ୍ୱାସର ପ୍ରମାଣ ବୋଲି କହିଛନ୍ତି । ତଥାପି, ପୋଷ୍ଟକୁ ନେଇ କୌଣସି ସରକାରୀ ବିବୃତ୍ତି ଆସିନାହିଁ । ଏହା ଏକ ନକଲି ଚିତ୍ର ଥିବା ଅନୁମାନ କରାଯାଉଛି ।
ଆମେରିକାର ସାମରିକ ଆକ୍ସନ ପରେ ଭେନେଜୁଏଲାରେ ଉତ୍ତେଜନା ବୃଦ୍ଧି ପାଇଛି । ଏହାରି ଭିତରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନୂଆ ପୋଷ୍ଟ ଆସିଛି। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ସମର୍ଥକମାନେ ଟ୍ରମ୍ପ ପ୍ରଶାସନ ବିରୋଧରେ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଛନ୍ତି । ଟ୍ରମ୍ପ ପୂର୍ବରୁ ଭେନେଜୁଏଲାର ଶାସନ ଉପରେ ଆମେରିକାର ନିୟନ୍ତ୍ରଣ ପାଇଁ ଦାବି କରି ସାରିଛନ୍ତି । ମାଦୁରୋଙ୍କୁ ବହିଷ୍କାର କରାଯିବା ପରେ ଭେନେଜୁଏଲା ଆଇନ ଅନୁଯାୟୀ ସୁପ୍ରିମକୋର୍ଟ ଡେଲ୍ସି ରୋଡ୍ରିଗ୍ସଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରିଥିଲେ । ମାଦୁରୋଙ୍କ ବିରୋଧରେ ଡ୍ରଗ୍ସ ଚାଲାଣ ଅଭିଯୋଗ ରହିଛି । ତାର ବିଚାର ପାଇଁ ତାଙ୍କୁ ଆମେରିକା ନିଆଯାଇଛି ।