ୱାଶିଂଟନ,୦୭/୦୩: ପଡ଼ୋଶୀ ମେକ୍ସିକୋ ଉପରେ ଲଗାଯାଇଥିବା ୨୫% ଟାରିଫ୍କୁ ମାସକ ପାଇଁ ରୋକିଦେଇଛି ଆମେରିକା । ଫଳରେ ଏପ୍ରିଲ ୨ ପର୍ଯ୍ୟନ୍ତ ଆମେରିକାକୁ ରପ୍ତାନି ହେବାକୁ ଥିବା ସାମଗ୍ରୀ ଉପରେ ମେକ୍ସିକୋକୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କାନାଡା ଉପରେ ଲାଗୁ ହୋଇଥିବା ଟାରିଫ୍କୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଷ୍ଟ୍ରପତି ଟ୍ରମ୍ପ୍ ଦୁଇଦିନ ତଳେ କାନାଡା ଓ ମେକ୍ସିକୋ ଉପରେ ୨୫% ଟାରିଫ୍ ଲାଗୁ ପାଇଁ ଘୋଷଣା କରିଥିଲେ । ଏହାଛଡ଼ା ଫେବ୍ରୁଆରୀରେ ଚୀନ୍ର ରପ୍ତାନି ଉପରେ ଲାଗୁ ହୋଇଥିବା ଟାରିଫ୍ ମାତ୍ରାକୁ ବଢ଼ାଇ ୨୦% କରିଦେଇଥିଲେ । ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ବିରୋଧ କରି କାନାଡା ଆମେରିକୀୟ ରପ୍ତାନି ଉପରେ ୨୫% ଶୁଳ୍କ ଲାଗୁ ପାଇଁ ଘୋଷଣା କରିଥିଲା ।
ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଫେବ୍ରୁଆରୀ ୧ରେ କାନାଡା ଓ ମେକ୍ସିକୋ ଉପରେ ୨୫% ଟାରିଫ୍ ଲାଗୁ ପାଇଁ ଆଦେଶ ଜାରି କରିଥିଲେ । ଏହା ମାର୍ଚ୍ଚ ୪ରୁ ଲାଗୁ ହେବା ନେଇ କୁହାଯାଇଥିଲା । ପରେ ଟ୍ରମ୍ପ୍ ଉଭୟ ଦେଶର ନେତାଙ୍କ ସହ କଥା ହୋଇଥିଲେ । ଫଳରେ ଟାରିଫ୍କୁ ପରବର୍ତ୍ତୀ ୩୦ ଦିନ ପାଇଁ ରୋକି ଦିଆଯାଇଥିଲା । ବର୍ତ୍ତମାନ ମେକ୍ସିକୋ ଉପରେ ଟିକସକୁ ମାସକ ପାଇଁ ସ୍ଥଗିତ ରଖାଯାଇଥିବା ବେଳେ କାନାଡା କ୍ଷେତ୍ରରେ ଟ୍ରମ୍ପ୍ କି ଆଭିମୁଖ୍ୟ ପୋଷଣ କରିବେ, ତାହା ଉପରେ ବିଶ୍ୱର ନଜର ରହିଛି ।