ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ଆମେରିକାରେ ଅନେକ ସରକାରୀ ପାଣ୍ଠି ପ୍ରାପ୍ତ ଗଣମାଧ୍ୟମ ସଂଗଠନ ଉପରେ ବଡ଼ ଧରଣର କଟକଣା ଲଗାଇଛି । ଏହାର ପ୍ରତିବାଦରେ ଭଏସ୍ ଅଫ୍ ଆମେରିକା (VOA)ର ସମସ୍ତ କର୍ମଚାରୀ ସାମୂହିକ ଛୁଟିରେ ପଳାଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏଜେନ୍ସି ଫର୍ ଗ୍ଲୋବାଲ୍ ମିଡିଆ ଅଧୀନରେ ଥିବା ଏଜେନ୍ସିଗୁଡ଼ିକର କାର୍ଯ୍ୟରେ କଟକଣା ଲଗାଇବା ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି । କଂଗ୍ରେସ ଏହାର ସଦ୍ୟତମ ପାଣ୍ଠି ବିଲ୍ ଅନୁମୋଦନ କରିବା ପରେ ରେଡିଓ ଫ୍ରି ୟୁରୋପ/ରେଡିଓ ଲିବର୍ଟି, ରେଡିଓ ଫ୍ରି ଏସିଆ ଏବଂ ରେଡିଓ ମାର୍ଟିକୁ ମଧ୍ୟ ପ୍ରଭାବିତ କରିଛି । ସେମାନେ ଚୀନ୍, ରୁଷ ଏବଂ କ୍ୟୁବା ଭଳି ଦେଶଗୁଡ଼ିକୁ ସ୍ୱାଧୀନ ଖବର ଯୋଗାଇଥାନ୍ତି । VOA ନିର୍ଦ୍ଦେଶକ ମାଇକେଲ ଲିଙ୍କଡଇନ୍‌ରେ ପୋଷ୍ଟ କରିଛନ୍ତି, ‘ମୁଁ ଗଭୀର ଭାବରେ ଦୁଃଖିତ ଯେ ୮୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭଏସ୍ ଅଫ୍ ଆମେରିକାକୁ ଚୁପ୍‌ କରାଯାଉଛି।’ ସେ କହିଛନ୍ତି ଯେ, ୧୩୦୦ ରୁ ଅଧିକ ସାମ୍ବାଦିକ, ପ୍ରଯୋଜକ ଏବଂ ସହାୟକ କର୍ମଚାରୀଙ୍କୁ ଛୁଟିରେ ପଠାଯାଇଛି ।

VOA ଆମେରିକାର କାହାଣୀ କହିବା ସହ ଅତ୍ୟାଚରିତ ଲୋକଙ୍କ ଲାଗି ସନ୍ତୁଳିତ ଖବର ଏବଂ ସୂଚନା ପ୍ରଦାନ କରି ସାରା ବିଶ୍ୱରେ ସ୍ୱାଧୀନତା ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରେ । ମାଇକେଲ ଆହୁରି କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଅନେକ ଏକଛତ୍ରବାଦୀ ଶାସନ ଥିବା ଦେଶରୁ ଆମେରିକା ଆସିଥିଲେ, ଯେଉଁଠାରେ ସେମାନେ ମୁକ୍ତ ଭାବରେ ସାମ୍ବାଦିକତା କରିପାରୁ ନଥିଲେ ।




 ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା କ୍ୟାରି ଲେକ୍ ଶନିବାର ସକାଳେ X ରେ ଏକ ପୋଷ୍ଟ କରି କର୍ମଚାରୀମାନଙ୍କୁ ସେମାନଙ୍କର ଇମେଲ୍ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ । ଏହାର କିଛି ସମୟ ପରେ କର୍ମଚାରୀମାନଙ୍କୁ ଦରମାପ୍ରାପ୍ତ ପ୍ରଶାସନିକ ଛୁଟିରେ ପଠାଇବା  ସହ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପକରଣ ଫେରାଇବାକୁ ସରକାରୀ ନୋଟିସ୍ ମିଳିଥିଲା । ରିପୋର୍ଟର୍ସ ୱିଦାଉଟ୍ ବଡର୍ସ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ଏବଂ ଏହାକୁ ମୁକ୍ତ ସୂଚନାର ରକ୍ଷାକର୍ତ୍ତା ଭାବରେ ଆମେରିକାର ଐତିହାସିକ ଭୂମିକାରୁ ପଳାୟନ ବୋଲି କହିଛି । ରେଡିଓ ଫ୍ରି ୟୁରୋପ/ରେଡିଓ ଲିବର୍ଟିର ସଭାପତି ଏବଂ ସିଇଓ ଷ୍ଟିଫେନ୍ କାପସ୍ ଚେତାବନୀ ଦେଇଛନ୍ତି ଯେ, ଏହି ନେଟୱାର୍କଗୁଡ଼ିକ ପାଇଁ ପାଣ୍ଠି ବାତିଲ କରିବା "ଆମେରିକାର ଶତ୍ରୁମାନଙ୍କ ପାଇଁ ଏକ ବଡ଼ ଉପହାର" ହେବ।