ନୂଆଦିଲ୍ଲୀ,୧୪/୦୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ିଚାଲିଛି ଅଶାନ୍ତି । ଆମେରିକା ସେନା ଇରାନର ସମସ୍ତ ବନ୍ଦର ଏବଂ ତଟ କ୍ଷେତ୍ରକୁ ଅବରୋଧ କରିବାକୁ ଘୋଷଣା କରିଛି । ଏହା ପରେ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି । ବିଶେଷଜ୍ଞଙ୍କ ମତରେ, ଆମେରିକାର ଏ ପଦକ୍ଷେପ ଭାରତକୁ ସିଧାସଳଖ ପ୍ରଭାବିତ କରିବ । ଏହା ଭାରତ ପାଇଁ ଆଣିବ ସଂକଟର ସୁନାମୀ ।

ଭାରତ ଏଯାବତ ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ତୈଳ ସଂକଟକୁ ଅତ୍ୟନ୍ତ ବ୍ୟବସ୍ଥିତ ଉପାୟରେ ସମ୍ଭାଳିଥିଲା । ନୀତି ନିର୍ଦ୍ଧାରଣକାରୀମାନେ ବଫର୍ର ବ୍ୟବହାର କଲେ । ବିଶୋଧନକାରୀମାନେ ତୈଳ ସଂଗ୍ରହ ଉତ୍ସରେ ଆଣିଲେ ବିବିଧତା । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଅସ୍ଥିର ମୁଦ୍ରାକୁ ସମ୍ଭାଳିବା ପାଇଁ ହସ୍ତକ୍ଷେପ କଲା । ବ୍ୟବସାୟଗୁଡ଼ିକ ପରିସ୍ଥିତିକୁ ସମ୍ଭାଳୁଥିଲେ । ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ଉତ୍ପାଦ ପୋର୍ଟଫୋଲିଓ ଉପରେ ପୁନର୍ବିଚାର କରୁଥିଲେ । ବିମାନ କମ୍ପାନିଗୁଡ଼ିକ ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚକୁ ନିଜେ ବହନ କଲେ । ଏପରିକି ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିଲା ।

ଯଦିଓ ଅଶୋଧିତ ତୈଳ ଦର ବଢ଼ିଥିଲା ତଥାପି ଭାରତର ଯୋଗାଣ ଶୃଙ୍ଖଳ ଭାଙ୍ଗି ନ ଥିଲା । ଦରଦାମ ବି ସହ୍ୟ ସୀମା ମଧ୍ୟରେ ରହିଲା । ସାମାନ୍ୟ ଆଶ୍ୱସ୍ତି ମିଳିଥିଲା, ଯେତେବେଳେ ଏକ ଦୁର୍ବଳ ଯୁଦ୍ଧ ବିରତି କାରଣରୁ ତୈଳ ଦର ଖସିଲା । ବଜାର ସ୍ଥିର ହୋଇଗଲା । କିନ୍ତୁ ଏବେ ସ୍ଥିତି ବିପରୀତ । ଇରାନ ବନ୍ଦରଗୁଡ଼ିକରେ ନୌସେନା ମୁତୟନ କରି ଏଠାରେ ଜାହାଜ ଚଳାଚଳ ଅବରୋଧ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଶକ୍ତି ସଂକଟକୁ ଆହୁରି ଗମ୍ଭୀର କରିବାକୁ ଯାଉଛି । ଯଦି ସଂକଟ ଜାରି ରୁହେ, ତେବେ ଭାରତ ନିୟନ୍ତ୍ରିତ ମାନ୍ଦାବସ୍ଥାରୁ ବାହାରି ଏକ ବ୍ୟାପକ ‘ସଂକଟର ସୁନାମୀ’ ମଧ୍ୟକୁ ପ୍ରବେଶ କରିପାରେ । ଏହାର ପ୍ରଭାବ ଏକ ସଙ୍ଗେ ବଡ଼ ସଂଖ୍ୟାରେ ଉପଭୋକ୍ତା ସାମଗ୍ରୀ ଏବଂ ସେବା, ଉଦ୍ୟୋଗ ଏବଂ ବ୍ୟାପକ ଅର୍ଥବ୍ୟବସ୍ଥାର ଭିନ୍ନ ଭିନ୍ନ ଅଂଶ ଉପରେ ପଡ଼ିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏଲ୍‌ପିଜି ସଂକଟ ଆହୁରି ତେଜିପାରେ । ଇରାନ ବନ୍ଦରଗୁଡ଼ିକରେ ଆମେରିକୀୟ ସେନାର ପଇଁତରା ଘୋଷଣା ଯଦିଓ ଔପୋଚାରିକ ରୂପେ ସୀମିତ, ଏହା ବିଶ୍ୱ ଶକ୍ତି ପ୍ରବାହ ଉପରେ ବଡ଼ ପ୍ରହାର ହେବ । ଟ୍ରମ୍ପଙ୍କ ଇରାନ ଅବରୋଧ ଘୋଷଣା ପରେ ପ୍ରତିକ୍ରିୟାଶୀଳ ହୋଇପାରେ ଇରାନ ।

ଅଧିକ ପଢ଼ନ୍ତୁ :-  ହର୍ମୁଜରେ ଆମେରିକା ସେନାର ନାକାବନ୍ଦୀ ପରେ ପଛକୁ ହଟିଲା ଚୀନ୍ ଜାହାଜ, ଟ୍ରମ୍ପ କହିଲେ, ହର୍ମୁଜରେ ହେବନି ଜବରଦସ୍ତି ଟୋଲ୍ ଆଦାୟ…

ଇରାନ କହିଛି ଯେ, ଏହା ହୋର୍ମୁଜରେ ଯେକୌଣସି ସୈନ୍ୟ ଜାହାଜ ଉପରେ ଆକ୍ରମଣ କରିବ । ଏହାଦ୍ୱାରା ସିଜ୍ଫାୟାର ଶେଷ ହୋଇଯିବ । ପୁଣି ଯୁଦ୍ଧ ଆରମ୍ଭ ହେବ, ଯାହା ହୋର୍ମୁଜ ଜଳପଥକୁ ଅଶାନ୍ତ କରିବ । ଉପସାଗରୀୟ ଦେଶରୁ ଆସୁଥିବା ସାମଗ୍ରୀ ବୋଝେଇ ଜାହାଜ ରିସ୍କକୁ ଆସିଯିବେ । ଏହାର ପ୍ରଭାବ ଭାରତ ବି ଅନୁଭବ କରିବ । ଭାରତର ରିସ୍କ ସିଧାସଳଖ ଇରାନ ତେଲ ସହ ଜଡ଼ିତ ନାହିଁ । ବ୍ୟାପକ ଗଲ୍ଫ ସିଷ୍ଟମ ସହ ଭାରତ ଜଡ଼ିତ । ଅଶୋଧିତ ତୈଳର ବଡ଼ ଅଂଶ ଏବଂ ଏଲ୍ଏନ୍ଜି ଆମଦାନିର ବୃହତ୍ ଭାଗ ହୋର୍ମୁଜ ହୋଇ ଆସିଥାଏ । ଯଦିଓ କିଛି ଖେପ ଜାରି ଅଛି, ତଥାପି ଆଶଙ୍କା ମାଲ ପରିବହନ ଏବଂ ବୀମା ଖର୍ଚ୍ଚକୁ ବଢ଼ାଇଦେଇଥାଏ । ଏହାଦ୍ୱାରା ଶକ୍ତିର ‘ଲ୍ୟାଣ୍ଡେଡ୍ ଖର୍ଚ୍ଚ’ ବଢ଼ିଯାଏ ।

ସବୁ କ୍ଷେତ୍ର ପ୍ରଭାବିତ ହେବ

ଟ୍ରମ୍ପଙ୍କ ଘୋଷଣାର ତୁରନ୍ତ ବାଦ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କରିଯାଇଛି । ତୈଳ ଦର ଲମ୍ବା ସମୟ ଧରି ଉଚ୍ଚ ସ୍ତରରେ ରହିଲେ ଦରଦାମ ସ୍ଥିତି ଅସହ୍ୟ ହୋଇଯିବ । ତୈଳ ସଂକଟ ଉର୍ଜା କ୍ଷେତ୍ରରୁ ଆଗକୁ ବଢ଼ି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯିବ । ଉପଭୋକ୍ତା କ୍ଷେତ୍ରରେ ଖେଳନା ନିର୍ମାତାମାନେ ପୂର୍ବରୁ ହିଁ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ, ଖେଳନା ଦର ୧୦ରୁ ୪୦% ବଢ଼ିବାର ଆଶଙ୍କା ରହିଛି । କାରଣ ପ୍ଲାଷ୍ଟିକ କଞ୍ଚାମାଲ ସିଧା ପେଟ୍ରୋକେମିକାଲ ଫିଡ୍ଷ୍ଟକ୍ ସହ ଜଡ଼ିତ । ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ବି ସମାନ ପ୍ରକାର ଚାପର ସାମ୍ନା କରୁଛନ୍ତି । ବର୍ଦ୍ଧିତ ପ୍ୟାକେଜିଂ ଖର୍ଚ୍ଚ କମ୍ପାନିଗୁଡ଼ିକୁ ଦରବୃଦ୍ଧି ନେଇ ବିଚାର କରିବାକୁ ବାଧ୍ୟ କରୁଛି । ଏଥିରେ ବିଶେଷ ଭାବେ ବୋତଲ ଏବଂ କଣ୍ଟେନରରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । କିଛି କମ୍ପାନିଗୁଡ଼ିକ ବର୍ଦ୍ଧିତ ଖର୍ଚ୍ଚରୁ ବଞ୍ଚିବା ପାଇଁ ଛୋଟ ପ୍ୟାକ୍ କିମ୍ବା କମ୍ ଉତ୍ପାଦ ଆଡ଼କୁ ଢଳୁଛନ୍ତି । ପେଣ୍ଟ୍ ଶିଳ୍ପ ବି ଚାପରେ ଅଛି । ଏହି ଉଦ୍ୟୋଗ ଅଶୋଧିତ ତୈଳରୁ ପ୍ରସ୍ତୁତ ସାମଗ୍ରୀ ଯେପରି ରେଜିନ ଏବଂ ସୋଲ୍ଭେଣ୍ଟ୍ସ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ । ବିଶେଷଜ୍ଞଙ୍କ ଅନୁସାରେ, ଯଦି ଅଶୋଧିତ ତୈଳ ଉଚ୍ଚ ସ୍ତରରେ ରୁହେ ତେବେ ଦରରେ ପ୍ରାୟ ୨ରୁ ୫% ବୃଦ୍ଧି ଘଟିପାରେ ।

କେମିକାଲ ଏବଂ ପେଟ୍ରୋକେମିକାଲ ଉଦ୍ୟୋଗ ଏହି ଝଟ୍‌କାର କେନ୍ଦ୍ରରେ ରହିଛି । ନାପ୍‌ଥା ଏବଂ ଗ୍ୟାସ୍‌ର ବର୍ଦ୍ଧିତ ଦର ଯୋଗୁ ଔଦ୍ୟୋଗିକ ରସାୟନର ଉତ୍ପାଦନ ଖର୍ଚ୍ଚ ବଢୁଛି । ଫଳରେ ଔଦ୍ୟୋଗିକ କୋଟିଙ୍ଗ୍ସରୁ ନେଇ ଅନ୍ୟାନ୍ୟ ବିଶେଷ ସାମଗ୍ରୀ ପ୍ରଭାବିତ ହେଉଛି । ଧାତବ କ୍ଷେତ୍ର ଚାପରେ ଅଛି । ଇନ୍ଧନ ଏବଂ କୋକ୍ର ବର୍ଦ୍ଧିତ ଦର ଯୋଗୁ ଲାଭ କମୁଛି ।

ତୈଳ ସଂକଟ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସାର କ୍ଷେତ୍ର । ପ୍ରାକୃତିକ ଗ୍ୟାସର ବର୍ଦ୍ଧିତ ଦର ଯୋଗୁ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଏ । କୃଷି ଉପରେ ଏହାର ସିଧା ପ୍ରଭାବ ପଡ଼ିଥାଏ । ଖାଦ୍ୟଶସ୍ୟ ଉତ୍ପାଦନ କମିବା ଦ୍ୱାରା ଦରଦାମ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି ।

ବଢ଼ିବ ଆର୍ଥିକ ଚାପ

ଉଚ୍ଚ ତୈଳ ଦର ଯୋଗୁ ଆମଦାନି ବିଲ୍ ବଢ଼ିଯିବ, ଯଦ୍ଦ୍ୱାରା ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଉପରେ ଚାପ ପଡ଼ିବା ସ୍ୱାଭାବିକ । ଉଚ୍ଚ ଇନ୍ଧନ ଦର ପରିବହନ ଖର୍ଚ୍ଚକୁ ପ୍ରଭାବିତ କରିଥାଏ, ଯାହା ଖାଦ୍ୟ ଦରକୁ ପ୍ରଭାବିତ କରେ । ଫଳରେ ପରିବାରଗୁଡ଼ିକର କ୍ରୟ ଶକ୍ତି କମିବା ସ୍ୱାଭାବିକ । ରାଜକୋଷୀୟ ଚାପ ବଢୁଛି । ସାର ଏବଂ ଇନ୍ଧନ ଉପରେ ଅଧିକ ସବ୍ସିଡି ଦ୍ୱାରା ସରକାରୀ ଖର୍ଚ୍ଚ ବଢ଼େ । ଏହାସହିତ ସରକାରୀ ତେଲ କମ୍ପାନିଗୁଡ଼ିକର ଲାଭରେ ହ୍ରାସ ଘଟିଛି, ଫଳରେ ସରକାରଙ୍କୁ ଲାଭାଂଶ ସ୍ଥାନାନ୍ତର କମିପାରେ ।

ରେମିଟାନ୍ସକୁ ନେଇ ଅନିଶ୍ଚିତତା

ଉପସାଗରୀୟ ଦେଶରୁ ଆସୁଥିବା ଧନରାଶି ବା ରେମିଟାନ୍ସକୁ ନେଇ ସୃଷ୍ଟି ହୋଇପାରେ ଅନିଶ୍ଚିତତା । ଯଦି ଲମ୍ବା ସମୟ ଧରି ଯୁଦ୍ଧ ଚାଲେ ତେବେ କ୍ଷେତ୍ରୀୟ ବିକାଶ ଧୀମା ହୋଇପାରେ । ଫଳରେ ଭାରତକୁ ରେମିଟାନ୍ସ ପ୍ରବାହ କମିପାରେ ।