ନୂଆଦିଲ୍ଲୀ,୦୭/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍-ଟାରିଫ୍ ଖେଳ ସରିବନି । ଭାରତ ସମେତ ଏକାଧିକ ଦେଶ ଉପରେ ଶୁଳ୍କ ବୋଝ ଲଦିବା ପରେ ବି ଶାନ୍ତ ପଡୁନାହାନ୍ତି । ଦିନକୁ ଦିନ ଗୋଟିଏ ଗୋଟିଏ ସାମଗ୍ରୀ ଉପରେ ଟାରିଫ୍ ଲଗାଇ ଚାଲିଛନ୍ତି । କିଛି ଦିନ ତଳେ ଫାର୍ମା ଅର୍ଥାତ୍ ଔଷଧ ଉପରେ ୫୦% ଶୁଳ୍କ ଲଦିଥିଲେ । ଏବେ ପୁଣି ଆଉ ଏକ ସାମଗ୍ରୀ ଉପରେ ଟାରିଫ୍ ଘୋଷଣା କରିଛନ୍ତି । ଆମେରିକାକୁ ଆସୁଥି ମଧ୍ୟମ ଓ ଭାରି ଟ୍ରକ୍ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ନଭେମ୍ବର ୧ରୁ ଏହା ଲାଗୁ ହେବ । ଏହା ଉଦ୍ଦେଶ୍ୟ ହେଉଛି ଆମେରିକୀୟ କମ୍ପାନୀଗୁଡିକୁ ବିଦେଶୀ ପ୍ରତିଯୋଗିତାରୁ ସୁରକ୍ଷା ଦେବା ଏବଂ ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବା । ନୂଆ ନୀତି ସ୍ଥାନୀୟ ଟ୍ରକ ନିର୍ମାତାଙ୍କୁ ଲାଭ ଦେବ ବୋଲି ବିବେଚନା କରୁଛି ଟ୍ରମ୍ପ ପ୍ରଶାସନ ।
ଆମେରିକାକୁ ଆସୁଥିବା ସମସ୍ତ ମଧ୍ୟମ- ଭାରି ଟ୍ରକ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ ହେବ । ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ସ୍ଥିତିରେ ଜାପାନ ଏବଂ ୟୁରୋପୀୟ ସଂଘ ସହିତ ବ୍ୟବସାୟ ବୁଝାମଣା ଅଧୀନରେ, ଆମେରିକା ହାଲୁକା ଯାନ ଉପରେ ୧୫ ପ୍ରତିଶତ ଟାରିଫ୍ ଲାଗାଇଛି । ଏହା ସ୍ପଷ୍ଟ ଯେ, ନୂଆ ନିଷ୍ପତ୍ତି ପରେ ଭାରି ଯାନବାହାନ ଉପରେ ବି ଲାଗୁ ହେବ । ଗତମାସରେ ଟ୍ରମ୍ପ ସଙ୍କେତ ଦେଇଥିଲେ କି, ଭାରି ଟ୍ରକ ଉପରେ ଅକ୍ଟୋବର ୧ରୁ ରାଷ୍ଟ୍ରୀୟ ସୁରକ୍ଷା ଆଧାରରେ ଟାରିଫ୍ ଲାଗୁ ହେବ । ଏହାକୁ ପରବର୍ତ୍ତୀ ସମୟରେ ନଭେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଥିଲା ।
ଟାରିଫ୍ର ଉଦ୍ଦେଶ୍ୟ କ'ଣ ? ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ଟାରିଫ୍ ଆମ ଶ୍ରମିକମାନଙ୍କୁ ସୁରକ୍ଷା ଦେବ । ବିଦେଶୀ ଡମ୍ପିଂ ପାଇଁ ଆମ ଶିଳ୍ପ ଦୁର୍ବଳ ହେବାକୁ ଆମେ ବରଦାସ୍ତ କରିବୁ ନାହିଁ । ଏହି ପଦକ୍ଷେପ ଘରୋଇ ଟ୍ରକ୍ ନିର୍ମାତାଙ୍କୁ ସମର୍ଥନ କରିବାକୁ ଉଦ୍ଧିଷ୍ଟ । ନୂଆ ଶୁଳ୍କ ପ୍ୟାକାର ଏବଂ ଡାଇମଲାର ଟ୍ରକ (Paccar Daimler Truck) କମ୍ପାନୀଗୁଡିକୁ ଲାଭ ଦେବ ।