ନୂଆଦିଲ୍ଲୀ, ୭।୩: ସାରା ବିଶ୍ୱ ଏବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାରେ ଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ୧୨ ମାର୍ଚ୍ଚରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଶେଷ ହୋଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ତେବେ ଏହା ପଛର ଗୁମର କ’ଣ ଏବଂ କାହିଁକି ୧୨ ମାର୍ଚ୍ଚ ତାରିଖରେ ଯୁଦ୍ଧ ଶେଷ ହେବ ବୋଲି ଚର୍ଚ୍ଚା ହେଉଛି ଆସନ୍ତୁ ଜାଣିବା ।
କ’ଣ ଲେଖିଛନ୍ତି ଟ୍ରମ୍ପ ?
ନିକଟରେ ଟ୍ରମ୍ପ ନିଜର 'ଟ୍ରୁଥ ସୋସିଆଲ୍' ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଇରାନ ସହିତ 'ବିନା ସର୍ତ୍ତରେ ଆତ୍ମସମର୍ପଣ' ବ୍ୟତୀତ ଅନ୍ୟ କୌଣସି ଚୁକ୍ତି ହେବ ନାହିଁ !” ଏହା ସହିତ ସେ ଇରାନର ଉଜ୍ଜ୍ୱଳ ଭବିଷ୍ୟତ କଥା କହିଛନ୍ତି ଏବଂ ଏକ ନୂଆ ସ୍ଲୋଗାନ ଦେଇଛନ୍ତି - MIGA ଅର୍ଥାତ୍ Make Iran Great Again! ଏହି ପୋଷ୍ଟ ପରେ ବିଶ୍ୱର ରାଜନୈତିକ ବିଶ୍ଲେଷକମାନେ ୧୨ ମାର୍ଚ୍ଚ ତାରିଖକୁ ନେଇ ଗଣିତ ଆରମ୍ଭ କରିଦେଇଛନ୍ତି । ୧୭ ଜୁନ୍ ୨୦୨୫ରେ ଇରାନ-ଇସ୍ରାଏଲର ୧୨ ଦିନିଆ ଯୁଦ୍ଧ ସମୟରେ ଟ୍ରମ୍ପ ଠିକ୍ ଏହି ଶବ୍ଦ 'ବିନା ସର୍ତ୍ତରେ ଆତ୍ମସମର୍ପଣ' ବ୍ୟବହାର କରିଥିଲେ । ସେହି ପୋଷ୍ଟର ଠିକ୍ ୫ ଦିନ ପରେ ଅର୍ଥାତ୍ ୨୩ ଜୁନ୍ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଶୁକ୍ରବାର ଟ୍ରମ୍ପ ପୁଣିଥରେ ସମାନ ପୋଷ୍ଟ କରିଥିବାରୁ, ଆସନ୍ତା ୫ ଦିନ ପରେ ଅର୍ଥାତ୍ ୧୨ ମାର୍ଚ୍ଚ ସୁଦ୍ଧା ସିଜ୍ଫାୟାର ହେବାର ସମ୍ଭାବନା ଅଛି ବୋଲି ଅନୁମାନ କରାଯାଉଛି ।
ଏହା ବି ପଢ଼ନ୍ତୁ... ସମୁଦ୍ର ମଝିରେ ଆମେରିକାର ରକ୍ତମୁଖା ଆକ୍ରମଣ, ଇରାନକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ
ଏଥର ସ୍ଥିତି ଅଧିକ ଗମ୍ଭୀର:
ଗତ ବର୍ଷ ତୁଳନାରେ ଚଳିତ ଯୁଦ୍ଧ ବହୁତ ବଡ଼ ଓ ଭୟଙ୍କର । ଏହି ଯୁଦ୍ଧରେ ଏକାଧିକ ଦେଶ ସାମିଲ ହୋଇଛନ୍ତି ଏବଂ ଗଲ୍ଫ ଦେଶଗୁଡ଼ିକର ଶକ୍ତି ରପ୍ତାନି ବାଧାପ୍ରାପ୍ତ ହୋଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ପରେ ତେହେରାନ ପ୍ରତିଶୋଧ ନିଆଁରେ ଜଳୁଛି । ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ କହିଛନ୍ତି ଯେ, ମଧ୍ୟସ୍ଥତା କରୁଥିବା ଦେଶମାନେ ଆମ ପରିବର୍ତ୍ତେ ସେମାନଙ୍କ ଉପରେ ଚାପ ପକାନ୍ତୁ ଯେଉଁମାନେ ଏହି ନିଆଁ ଲଗାଇଛନ୍ତି ।
କିଏ ହେବ ମଧ୍ୟସ୍ଥ ?
ଗତଥର କତାର ଏହି ଯୁଦ୍ଧ ରୋକିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା । କିନ୍ତୁ, ଏଥର କତାର ନିଜେ ସଙ୍କଟରେ ଅଛି । ଇରାନର ଡ୍ରୋନ୍ ଆକ୍ରମଣ ପରେ କତାରର LNG ପ୍ଲାଣ୍ଟ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ କତାର ପୁଣିଥରେ ମଧ୍ୟସ୍ଥତା କରିପାରିବ କି ନାହିଁ, ତାହା ବଡ଼ ପ୍ରଶ୍ନବାଚୀ । ଯଦିଓ ୧୨ ମାର୍ଚ୍ଚକୁ ଆଉ ମାତ୍ର ୫ ଦିନ ବାକି ଅଛି, କିନ୍ତୁ ସିଜ୍ଫାୟାର ପାଇଁ ଏପର୍ଯ୍ୟନ୍ତ କୌଣସି ଦେଶ ଖୋଲାଖୋଲି ଭାବେ ଆଗକୁ ଆସିନାହାନ୍ତି । ତେବେ ଟ୍ରମ୍ପଙ୍କ ଏହି ପୋଷ୍ଟ କେବଳ ଏକ ମନସ୍ତାତ୍ତ୍ୱିକ ଚାପ ନା ପ୍ରକୃତରେ ଶାନ୍ତିର ସଙ୍କେତ, ତାହା ସମୟ କହିବ ।