ନୂଆଦିଲ୍ଲୀ, ୦୨।୦୩: ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଭୀଷଣ ଯୁଦ୍ଧ । ଆମେରିକା ଦୂତାବାସ ଉପରେ ଇରାନ ଡ୍ରୋନ୍ ମାଡ଼ କରିଛି । ଏହା ପରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି, ଇରାନ ଉପରେ ବଡ ଆକ୍ରମଣ ବାକି ଅଛି । ବର୍ତ୍ତମାନ ଆକ୍ରମଣରେ ଆମେ ସବୁ ଶକ୍ତି ଲଗାଇନାହୁଁ । ସିଏନ୍ଏନ୍କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଓ ଇସ୍ରାଏଲର ମିଳିତ ଅଭିଯାନ ଠିକ୍ ବାଟରେ ଚାଲିଛି । ଇରାନ ଉପରେ ଆମେ ଯେଉଁ ଆକ୍ରମଣ କରିଛୁ ସେଥିରେ ସବୁ ଶକ୍ତି ଲଗାଇନାହୁଁ । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଆହୁରି ଜୋର୍ଦାର ହେବ । ଆମେରିକା ପାଖରେ ବିଶ୍ୱର ସବୁଠାରୁ ବଡ ତଥା ଶକ୍ତିଶାଳୀ ସେନା ଅଛି । ତା’ର ବ୍ୟବହାର କରାଯାଉଛି ।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ସାମରିକ ଅଭିଯାନ ବ୍ୟତୀତ ଇରାନବାସୀଙ୍କୁ ଶାସନ ଭାର ଦେବା ପାଇଁ ଆମେରିକା ପଦକ୍ଷେପ ନେଉଛି । ଇରାନବାସୀ ବର୍ତ୍ତମାନ ଘରେ ରହିବା ଆବଶ୍ୟକ । ଆଗକୁ ସ୍ଥିତି ଆହୁରି ବିଗିଡି ପାରେ । ଇରାନ ଉପରେ ବଡ ଆକ୍ରମଣ ଆଗକୁ ହେବ । ଇରାନ ବର୍ତ୍ତମାନ ବାହାରିନ, ଜୋର୍ଡାନ, କୁଏତ, କାତାର ଓ ୟୁଏଇ ଭଳି ଦେଶକୁ ଟାର୍ଗେଟ କରୁଛି । ତେଣୁ ଇରାନ ପ୍ରତି ଏହି ଦେଶମାନଙ୍କର ସ୍ୱର ଏବେ ପରିବର୍ତ୍ତନ ହୋଇଛି । ସେମାନେ ଆମ ସହ ମିଶି ଇରାନ ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି ।
ଏହି ଅବସରରେ ଟ୍ରମ୍ପ ନିଜର ପୁରୁଣା ସହଯୋଗୀ ବ୍ରିଟେନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କାରଣ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଭାରତ ମହାସାଗରରେ ଥିବା ତାଙ୍କ ଦେଶର ସାମରିକ ଘାଟି ଡିଏଗୋ ଗାର୍ସିଆ ଆମେରିକା ସେନା ବ୍ୟବହାର କରିବାକୁ ଅନୁମତି ଦେବା ଲାଗି ବିଳମ୍ବ କରିଥିଲେ । ଆମେରିକା ଇରାନ ଉପରେ ଆକ୍ରମଣ କରିବାର ପ୍ରଥମ ଦିନରେ ହିଁ ଏହି ସାମରିକ ଘାଟିରୁ ଆକ୍ରମଣ ଲାଗି ଯୋଜନା କରିଥିଲା । କିନ୍ତୁ ବ୍ରିଟେନ ଏଥିପାଇଁ ଆମେରିକାକୁ ଅନୁମତି ଦେଇନଥିଲା । ଆମେରିକା ଅନୁମତି ମାଗିବାର ୪୮ ଘଣ୍ଟା ପରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ସର୍ତ୍ତ ମଧ୍ୟ ରଖିଛନ୍ତି । କହିଛନ୍ତି ଏହି ସାମରିକ ଘାଟିରୁ କେବଳ ଇରାନର ମିସାଇଲ ଠିକଣା ଉପରେ ଆକ୍ରମଣ କରାଯିବ । ଏହାକୁ ନେଇ ଟ୍ରମ୍ପ କହିଛନ୍ତି ସେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଦୌ ସନ୍ତୁଷ୍ଟ ନୁହନ୍ତି ।
ଅଧିକ ପଢନ୍ତୁ-ଅଶାନ୍ତ ହୋଇପଡ଼ିଛି ପଶ୍ଚିମ ଏସିଆ, ବିପଦରେ ୧ କୋଟି ଭାରତୀୟ