ନୂଆଦିଲ୍ଲୀ : ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ସହମତି ହୋଇଛନ୍ତି। ଉଭୟ ଦେଶଙ୍କ ମଧ୍ୟରେ ଆଗାମୀ ୧୦ ଦିନ ପାଇଁ ଅସ୍ତ୍ରବିରତି ହୋଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହି ଘୋଷଣା କରିଥିଲେ। ଟ୍ରମ୍ପ କହିଥିଲେ ଯେ, ଏହି ଅସ୍ତ୍ରବିରତି ପୂର୍ବ ସମୟାନୁସାରେ ,ସନ୍ଧ୍ୟା ୫ଟାରେ ଆରମ୍ଭ ହେବାକୁ ଯାଉଛି। ସେ ଏହାର ନିଜେ କ୍ରେଡିଟ୍ ମଧ୍ୟ ନେଇଛନ୍ତି ଏବଂ କହିଛନ୍ତି , ଏବେସୁଦ୍ଧା ସେ ୯ଟି ଯୁଦ୍ଧ ରୋକି ସାରିଛନ୍ତି ଏବଂ ଏହା ୧୦ମ ହେବ। ଚାଲ , ଏହାକୁ ପୂରା କରି ଦେଖାଇବା।
ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ଲଢେଇରେ ଏହି ବିରାମର ଘୋଷଣା କରି କହିଛନ୍ତି ଯେ, ଏହା ଲେବାନନର ରାଷ୍ଟ୍ରପତି ଜୋସେଫ ଆଉନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଉତ୍ତମ ଆଲୋଚନା ପରେ ହୋଇଛି। ଇସ୍ରାଏଲ ଓ ଇରାନ-ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲି ଥିବା ଯୁଦ୍ଧ ପରେ, ମଙ୍ଗଳବାର ୱାଶିଂଟନରେ ଦଶନ୍ଧି ପରେ ନିଜର ପ୍ରଥମ ସିଧାସଳଖ କୂଟନୈତିକ ଆଲୋଚନା କରି ଥିଲେ। ଟ୍ରମ୍ପ କହିଛନ୍ତି ଯେ, ସେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟମାନଙ୍କୁ ଇସ୍ରାଏଲ ଓ ଲେବାନନ ସହ ମିଶି ଏକ ସ୍ଥାୟୀ ଶାନ୍ତି ହାସଲ କରିବ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଟ୍ରମ୍ପ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥରେ ଲେଖିଛନ୍ତି , ଏବେ ଏବେ ମୋର ଲେବନାନର ଅତ୍ୟନ୍ତ ସମ୍ମାନିତ ରାଷ୍ଟ୍ରପତି ଜୋସେଫ ଆଉନ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବିବି ନେତନ୍ୟାହୁଙ୍କ ସହ ବହୁତ ହିଁ ଉତ୍କୃଷ୍ଟ ଆଲୋଚନା ହୋଇଛି। ଏହି ଦୁଇ ନେତା ଏହି କଥା ଉପରେ ସହମତ ପ୍ରକାଶ କରିଛନ୍ତି। ନିଜ ନିଜ ଦେଶ ମଧ୍ୟରେ ଶାନ୍ତି ସ୍ଥାପିତ କରିବା ପାଇଁ, ସେମାନେ ପୂର୍ବ ସମୟ ଅନୁସାରେ ସନ୍ଧ୍ୟା ୫ଟାରେ ଆନୁଷ୍ଠାନିକ ଭାବେ ୧୦ଦିନିଆ ଅସ୍ତ୍ରବିରତି ଆରମ୍ଭ କରିବେ। ମଙ୍ଗଳବାର, ୩୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଏହି ଦୁଇ ଦେଶର ପ୍ରତିନିଧିମାନେ ୱାଶିଂଟନରେ ଆମର ମହାନ ବୈଦେଶିକ ମନ୍ତ୍ରୀ , ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରି ଥିଲେ।
ଆହୁରି ମଧ୍ୟ ପଢନ୍ତୁ : ଟ୍ରମ୍ପଙ୍କ ପରେ ଏବେ ଫ୍ରାନ୍ସ ରାଷ୍ଟ୍ରପତି କଲେ ଫୋନ୍ : କଥାବାର୍ତ୍ତାକୁ ସୋସିଆଲ ମିଡ଼ିଆରେ ଜଣାଇଲେ ପିଏମ୍ ମୋଦି
ସେ ଆହୁରି କହିଥିଲେ – ମୁଁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ବୈଦେଶିକ ସ ରୁବିଆଙ୍କୁ , ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ର ଚେୟାରମ୍ୟାନ ଡାନ୍ ରେଜିନ କେନଙ୍କ ସହ ମିଶି , ଇସ୍ରାଏଲ ଓ ଲେବାନାନ ମଧ୍ୟରେ ଏକ ସ୍ଥାୟୀ ଶାନ୍ତି ସ୍ଥାପିତ କରିବା ଦିଗରେ କାମ କରିବାର ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱରେ ୯ଟି ଯୁଦ୍ଧକୁ ସମାଧାନ କରିବା ମୋ ପାଇଁ ଏକ ସମ୍ମାନର କଥା ହୋଇଛି ଏବଂ ଏହା ମୋର ୧୦ତମ ହେବ ,ତ ଚାଲ ଏହାକୁ ପୂରା କରି ଦେଖାଇବା।