ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ହର୍ମୁଜ୍ ପ୍ରଣାଳୀକୁ ସାମୁଦ୍ରିକ ଜାହାଜ ଗୁଡ଼ିକ ପାଇଁ ଖୋଲିବାକୁ ବିଭିନ୍ନ ସ୍ତରରେ ଚାଲିଥିବା ପ୍ରୟାସ ମଧ୍ୟରେ, ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ , ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ଏହାର କିଛି ଦିନ ପୂର୍ବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପିଏମ୍ ମୋଦିଙ୍କ ସହ ପଶ୍ଚିମ ଏସିଆ ଏବଂ ହର୍ମୁଜ୍ ସାମୁଦ୍ରିକ ମାର୍ଗ ବିଷୟରେ କଥାବାର୍ତ୍ତା ହୋଇଥିଲେ। ମୋଦି ତାଙ୍କ ବନ୍ଧୁ ମାକ୍ରୋନଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍ କରି କହିଛନ୍ତି-ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଠାରୁ ଏକ ଫୋନ ଆସିଥିଲା। ଆମେ ପଶ୍ଚିମ ଏସିଆର ସ୍ଥିତି ଉପରେ ଆଲୋଚନା କଲୁ ଏବଂ ହର୍ମୁଜ ପ୍ରଣାଳୀରେ ସୁରକ୍ଷା ଏବଂ ନୌଚାଳନା ସ୍ୱାଧୀନତାକୁ ଶୀଘ୍ର ପୁନଃସ୍ଥାପିତ କରିବାର ଆବଶ୍ୟକତା ଉପରେ ସହମତ ହୋଇଛୁ। ଆମେ ଏହି କ୍ଷେତ୍ର ଏବଂ ଏହା ବାହାରେ ଶାନ୍ତି ଏବଂ ସ୍ଥିରତାକୁ ଆଗକୁ ବଢ଼ାଇବା ପାଇଁ ଆମର ଘନିଷ୍ଠ ସହଯୋଗ ଜାରି ରଖିବୁ।
ଉଲ୍ଲେଖନୀୟ ଯେ, ଇରାନ ସହିତ ଶାନ୍ତି ଆଲୋଚନା ବିଫଳ ହେବା ହେବା ପର ଠାରୁ, ଆମେରିକା ଇରାନର ବନ୍ଦରଗୁଡ଼ିକୁ ଅବରୋଧ କରି ରଖିଛି, ଯେଉଁଥିରେ ଏହି ବନ୍ଦର ଗୁଡ଼ିକରେ ସାମୁଦ୍ରିକ ଜାହାଜର ଚଳାଚଳ ହୋଇ ପାରିବ ନାହିଁ। ଆମେରିକା କହିଛି ଯେ ,ସେ ହର୍ମୁଜ୍ ପ୍ରଣାଳୀକୁ ସମସ୍ତଙ୍କ ପାଇଁ ଖୋଲିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁଁ , ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ବାଧା ସୃଷ୍ଟି ଦେଇଛି, ଯେଉଁଥିରେ ବିଶ୍ୱରେ ଶକ୍ତି ଯୋଗାଣ ପ୍ରଭାବିତ ହୋଇଛି।
Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.
— Narendra Modi (@narendramodi) April 16, 2026
We will continue our close cooperation to advance peace and stability…
ଏହା ପୂର୍ବରୁ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ଆଲୋଚନା ପୁନଃ ଆରମ୍ଭ କରିବାକୁ ଏବଂ ନିଃସର୍ତ୍ତ ଭାବେ ହର୍ମୁଜ୍ ପ୍ରଣାଳୀକୁ ଖୋଲିବାକୁ ଅନୁରୋଧ କରିଥିଲେ।