ଲଣ୍ଡନ, ୧୪/୦୩ : ଆଗାମୀ ଫିଫା ବିଶ୍ୱକପ୍ ଉପରେ ଜୋରଦାର ପ୍ରଭାବ ପକାଇବାକୁ ଯାଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ସିଧା ସଳଖ ଯୋଗ୍ୟତା ଅର୍ଜନ କରିଥିବା ଇରାନ ଫୁଟବଲ୍ ଦଳ ଆଗାମୀ ଫିଫା ବିଶ୍ୱକପରେ ଭାଗ ନେବା ନେଇ ଆଶଙ୍କା ଲାଗି ରହିଛି । କାରଣ କାନାଡ଼ା ଓ ମେକ୍ସିକୋ ସହ ଆମେରିକା (ୟୁଏସଏ) ମଧ୍ୟ ଏଥର ବିଶ୍ୱକପ୍ର ସହ ଆୟୋଜକ ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ଦିନଠୁ ବିଶ୍ୱକପ୍ରେ ଇରାନର ଅଂଶ ଗ୍ରହଣକୁ ନେଇ ଆଲୋଚନା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ବିଶ୍ୱକପ୍ରେ ଭାଗ ନେବା ଭଳି ପରିସ୍ଥିତିରେ ନଥିବା ଇରାନର କ୍ରୀଡ଼ାମନ୍ତ୍ରୀ ନିକଟରେ ପ୍ରକାଶ କରିଥିଲା । କାରଣ ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ ଇରାନର ଅନେକ ଫୁଟବଲ୍ ଷ୍ଟାଡ଼ିୟମ ଧ୍ୱଂସ ହୋଇ ଯାଇଛି । ଇରାନ ଦଳ ଅଭ୍ୟାସ କରିବା ଭଳି ସୁରକ୍ଷିତ ସ୍ଥାନର ଅଭାବ ରହିଛି ।
ଏଥି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମନ୍ତବ୍ୟ ଇରାନ୍ର ଆକ୍ରୋଶ ବଢ଼ାଇ ଦେଇଛି । ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ପୃଷ୍ଠାରେ ଲେଖିଛନ୍ତି, ‘ଇରାନ ଫୁଟବଲ୍ ଦଳକୁ ଆମେ ବିଶ୍ୱକପ୍ରେ ଭାଗ ନେବା ପାଇଁ ସହୃଦୟେ ସ୍ୱାଗତ କରିବୁ । କିନ୍ତୁ ମୋ ମତରେ ସେମାନେ ନିଜର ସୁରକ୍ଷାକୁ ନେଇ ଏଠାକୁ ନ ଆସିବା ଠିକ୍ ହେବ ।’ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟରେ କ୍ଷୁବ୍ଧ ଇରାନ ଜାତୀୟ ଫୁଟବଲ୍ ଦଳ କଡ଼ା ପ୍ରତ୍ୟୁତ୍ତର ଦେବାକୁ ପଛାଇ ନାହିଁ । ଇରାନ ଫୁଟବଲ୍ ଦଳ ପକ୍ଷରୁ କୁହାଯାଇଛି, ‘ଇରାନ ଦଳ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛି । ବିଶ୍ୱକପ୍କୁ ଫିଫା ଆୟୋଜନ କରୁଛି । କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ବ୍ୟକ୍ତି ବିଶ୍ୱକପ୍ ଆୟୋଜନ କରୁ ନାହାନ୍ତି । ତେଣୁ ଇରାନକୁ କେହି ବିଶ୍ୱକପ୍ରେ ଭାଗ ନେବାରୁ ଅଟକାଇ ପାରିବେ ନାହିଁ । ଯଦି ଆୟୋଜକ ଦେଶ କୌଣସି ପ୍ରତିଯୋଗୀ ଦେଶକୁ ସୁରକ୍ଷା ଯୋଗାଇ ପାରିବ ନାହିଁ, ତେବେ ଉକ୍ତ ଆୟୋଜକ ଦେଶର ଦାୟିତ୍ୱ ଉପରେ ପ୍ରଶ୍ନ ଉଠିବା ଆବଶ୍ୟକ ।’ ପରେ ଟ୍ରମ୍ପ ଆଉ ଏକ ପୋଷ୍ଟ ଜରିଆରେ ଉଲ୍ଲେଖ କରିଥିଲେ, ‘ଆୟୋଜକ ଦେଶ ଭାବେ ଆଗାମୀ ଫିଫା ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବାକୁ ଆମେରିକା ପ୍ରସ୍ତୁତ ରହିଛି । ପ୍ରତ୍ୟେକ ଦଳକୁ ଶ୍ରେଷ୍ଠ ସୁରକ୍ଷା ଯୋଗାଇବାକୁ ଆମେରିକା ଅପେକ୍ଷା କରିଛି ।
ସୂଚନାଯୋଗ୍ୟ, ଜୁନ ୧୧ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ । ଇରାନ ଗ୍ରୁପ୍ ଜି’ରେ ସ୍ଥାନ ପାଇଛି । ଏହି ଗ୍ରୁପ୍ରେ ଅନ୍ୟ ଦଳ ଭାବେ ନ୍ୟୁଜିଲାଣ୍ଡ, ବେଲଜିୟମ ଓ ଇଜିପ୍ଟ ସ୍ଥାନ ପାଇଛନ୍ତି । ଇରାନ ଦଳ ଜୁନ ୧୫ରେ ନ୍ୟୁଜିଲାଣ୍ଡ ଓ ୨୧ ତାରିଖରେ ବେଲଜିୟମ୍କୁ ଭେଟିବ । ଉଭୟ ମ୍ୟାଚ୍ ଲସ ଏଞ୍ଜଲ୍ସରେ ଖେଳାଯିବ । ଦଳ ୨୬ ତାରିଖରେ ସିଟିଲରେ ଇଜିପ୍ଟକୁ ସାମ୍ନା କରିବ । ଗତ ମାସ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ଦିନଠୁ ବିଶ୍ୱକପ୍ରେ ଇରାନ ଭାଗ ନେବା ନେଇ ଆଶଙ୍କା ଦେଖା ଦେଇଛି । କିଛି ଦିନ ତଳେ ଇରାନ କ୍ରୀଡ଼ାମନ୍ତ୍ରୀ ଅହମ୍ମଦ ଡୋନ୍ୟାମଲି କହିଥିଲେ, ଆମେ ବର୍ତ୍ତମାନ ବିଶ୍ୱକପ ଖେଳିବା ଭଳି ମାନସିକ ସ୍ଥିତିରେ ନାହୁଁ । ସେମାନେ ଆମ ଉପରେ ଆକ୍ରମଣ କରିଛନ୍ତି ଓ ଆମ ସୁପ୍ରିମ ଲିଡର ଆୟାତୋଲା ଅଲି ଖାମେନେଇଙ୍କ ହତ୍ୟା କରିଛନ୍ତି । ଇରାନର ସବୁଠୁ ଉନ୍ନତ ଷ୍ଟାଡ଼ିୟମ୍ ତେହେରାନ ସ୍ଥିତ ଆଜାଦି ଷ୍ଟାଡ଼ିୟମ ଉପରେ ଆମେରିକା ଓ ଇସ୍ରାଏଲ ବୋମା ପକାଇଥିଲେ । ୭୮,୦୦୦ ଦର୍ଶକ ଧାରଣ କ୍ଷମତା ରଖିଥିବା ଏହି ଷ୍ଟାଡ଼ିୟମ୍ରେ ଇରାନ ଦଳ ବର୍ଷ ସାରା ଅଭ୍ୟାସ କରିଥାଏ ।
ୟୁଏଇ, ଇରାକ ପରବର୍ତ୍ତୀ ଦାବିଦାର
ଫିଫା ବିଶ୍ୱକପ୍ରୁ ଇରାନ ଓହରିଗଲେ ୟୁଏଇ କିମ୍ବା ଇରାକ ମଧ୍ୟରୁ ଏକ ଦଳ ଯୋଗ୍ୟତା ଅର୍ଜନ କରିପାରିବେ । ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଇରାନ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିଲା ଓ ତୃତୀୟ ରାଉଣ୍ଡ ସୁଦ୍ଧା ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଥିଲା । ଇରାନ ଦଳ କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯାଉଛି । ମାତ୍ର ଯୁଦ୍ଧ ଯୋଗୁଁ ଦଳର ଯୋଗଦାନକୁ ନେଇ ଆଶଙ୍କା ଉପୁଜିଛି । ଫିଫା ଆଚାର ସଂହିତାର ଆର୍ଟିକଲ ୬ ଅନୁଯାୟୀ କୌଣସି ଦଳ ବିଶ୍ୱକପ୍ରୁ ଓହରି ଗଲେ କଠୋର ଅର୍ଥ ଦଣ୍ଡ ଭୋଗିବା ନିଶ୍ଚିତ । ଏହା ବ୍ୟତୀତ ଫିଫା ନିଜ ଇଛା ମୁତାବକ କୌଣସି ଦଳକୁ ସୁଯୋଗ ଦେଇ ପାରିବ । ୟୁଏଇ ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଏସୀୟ ଦଳ ଭାବେ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । ସେହିପରି ଇରାକ ୩-୨ ଗୋଲ୍ରେ ୟୁଏଇକୁ ହରାଇ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଦଳ ୩୧ ତାରିଖରେ ବଲିଭିଆ କିମ୍ବା ସୁରିନାମେ ବିପକ୍ଷରେ ଅନ୍ତଃ ମହାଦେଶୀୟ ପ୍ଲେ-ଅଫ ଖେଳିବ । ତେଣୁ ଇରାନ ଓହରିଲେ ଇରାକ ସିଧା ସଳଖ ଗ୍ରୁପ୍ ଜି’ରେ ସ୍ଥାନ ପାଇବ।
ଏହି ଖବରଟିକୁ ପଢନ୍ତୁ- ଇରାନୀ ଫୁଟବଲ ଟିମ୍ ପାଇଁ ଅଷ୍ଟ୍ରେଲିଆକୁ ଟ୍ରମ୍ପଙ୍କ ଅନୁରୋଧ, କହିଲେ - ପୁଣି ଫେରିଲେ ସେମାନଙ୍କୁ ମାରି ଦେଇ ପାରନ୍ତି !