ନୂଆଦିଲ୍ଲୀ,୩୧/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫% ପାଲଟା ଟାରିଫ ଘୋଷଣା କରିଛନ୍ତି । ଏହା ସହ ଦେଶ ଉପରେ ଲାଗୁ  ହେବ ଅତିରିକ୍ତ ଟିକସ । ଏପ୍ରିଲ ୨ରେ ଘୋଷଣା ହୋଇଥିବା ୨୬% ଟିକସ ଆଧାରରେ ଆମେରିକା  ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ଦ୍ୱାରା ଆମେରିକା ଯାଉଥିବା ଭାରତୀୟ ସାମଗ୍ରୀ ଗୁଡ଼ିକ  ମହଙ୍ଗା ହେବ । ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ୩୦  ବିଲିୟନ ଡଲାରର ଝଟକା ଲାଗିପାରେ ବୋଲି ଆଶଙ୍କା  କରାଯାଇଛି । 

ସୋସିଆଲ ମିଡିଆ ଟ୍ରୁଥ୍‌ ସୋସିଆଲରେ  ଏକ ପୋଷ୍ଟ ସେୟାର କରି ଟ୍ରମ୍ପ କହିଛନ୍ତି, ଭାରତ  ଆମେରିକାର ବନ୍ଧୁ । ମାତ୍ର ରୁଷର ପ୍ରତିରକ୍ଷା ସାମଗ୍ରୀ ଏବଂ ତେଲ କିଣୁଥିବାରୁ ଟାରିଫ୍‌ ଲାଗୁ କରାଯାଇଛି ।  ଏହା ଛଡ଼ା ଭାରତ ଆମେରିକା ଉତ୍ପାଦ ଉପରେ ବିଶ୍ୱର  ସର୍ବାଧିକ ଟିକସ ଲାଗୁ କରିଛି ।  

ଏପ୍ରିଲ ୨ରେ ଟ୍ରମ୍ପ ପ୍ରଥମ ଥର ଲାଗି ପାଲଟା  ଟାରିଫ ଘୋଷଣା କରିଥିଲେ । ମାତ୍ର ଆମେରିକାର  ଟାରିଫ ପ୍ରଭାବ ଆଶାଠାରୁ ବେଶି ପ୍ରଭାବ  ପକାଇପାରେ । ଏଭଳି ଟାରିଫ ଯୋଗୁ ଭାରତୀୟ  ଜିଡିପି ଉପରେ ୦.୭% ଝଟକା ଲାଗିପାରେ । ରେଟିଂ  ଏଜେନ୍ସି ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର  କହିଛନ୍ତି, ୨୫% ଟାରିଫ ଭାରତର ଜିଡିପିକୁ ଝଟକା  ଦେବ । ଟାରିଫ ଘୋଷଣା ପରେ ଆର୍ôଥକ ବର୍ଷ ଲାଗି  ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ୨୦୨୫-୨୬  ଲାଗି ୬.୨%କୁ ହ୍ରାସ କରାଯାଇଛି । ଏହା ଉଭୟ ପୁଞ୍ଜି  ଖର୍ଚ୍ଚ ଓ ରପ୍ତାନିକୁ ପ୍ରଭାବିତ କରିପାରେ । 

ଟ୍ରମ୍ପଙ୍କ ଟାରିଫ ଯୋଗୁ ଆମେରିକାକୁ ଭାରତ  ରପ୍ତାନି କରୁଥିବା ୧୦ ବିଲିୟନ ଡଲାରର ଜୁଏଲେରୀ  ଏବଂ ରତ୍ନପଥର ପ୍ରଭାବିତ ହେବ । ଏ କ୍ଷେତ୍ରରେ  ରପ୍ତାନି ବଡ଼ ମାତ୍ରାରେ ଖସିପାରେ । ପୂର୍ବରୁ  ଅନ୍ତର୍ଜାତୀୟ ବ୍ରୋକିଂ ଫାର୍ମ ମାକ୍ୟୁରି କହିଥିଲା ଯେ,  ଆମେରିକା ୨୦%ରୁ ଊଦ୍ଧ୍ୱର୍ ଟାରିଫ ଲାଗୁ କଲେ ଭାରତ  ଜିଡିପି ଉପରେ ୫୦ ବେସିସ୍‌ ପଏଣ୍ଟ ପ୍ରଭାବ ପଡ଼ିବ ।  ଗୋଲ୍ଡମ୍ୟାନ ସ୍ୟାଚ୍‌ କହିଥିଲା, ୨୬% ଟାରିଫ ଟଙ୍କାର  ବିନିମୟ ମୂଲ୍ୟକୁ ଆହୁରି ଦୁର୍ବଳ କରିବ । ଟଙ୍କାକୁ  ସୁରକ୍ଷା ଦେବା ଲାଗି ଆର୍‌ବିଆଇ ସେଭଳି ବିଶେଷ  କିଛି କରିବାକୁ ସକ୍ଷମ ହେବନି । 

ତେବେ ବ୍ରୋକରେଜ ଫାର୍ମ ଏବଂ ବିଶେଷଜ୍ଞ  ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜିଡିପି କେବଳ  ରପ୍ତାନି ଆଧାରିତ ନୁହେଁ । ଘରୋଇ ବଜାରର ବଳ  ଉପରେ ଭାରତର ଜିଡିପି ନିର୍ଭର କରେ । ଫଳରେ  ଭାରତ ଉପରେ ଟାରଫ ପ୍ରଭାବ ଏତେଟା ଚିନ୍ତାଜନକ  ନୁହେଁ । ଏଲାରା କ୍ୟାପିଟାଲର ଉପସଭାପତି ଗରିମା  କପୁର କହୁନ୍ତି, ତରବରିଆ ଡିଲ୍‌ ପରିବର୍ତ୍ତେ ଏକ  ସୁଚିନ୍ତିତ ଡିଲ୍‌ ଭାରତ ଲାଗି ଲାଭକାରି ହେବ । 

ନିକଟରେ ଅର୍ଥ ମନ୍ତ୍ରଣାଳୟ କହିଥିଲା,  ଆମେରିକାର ଯେସାକୁ ତେସା ଟାରିଫ୍‌ ଆଗାମୀ  ତ୍ରୟମାସଗୁଡ଼ିକରେ ଭାରତର ବାଣିଜ୍ୟିକ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଘରୋଇ  ବଜାରର ଦୃଶ୍ୟପଟ ଉନ୍ନତ ଥିବା ସତ୍ତେ୍ୱ ବିଶ୍ୱ  ବଜାରରେ ଅନିଶ୍ଚିତତା ମଧ୍ୟରେଭାରତର ରପ୍ତାନି  ବଜାର ପାଇଁ ସଂକଟଜନକ ପରିସ୍ଥିତି ଉପୁଜିପାରେ । 

ଭାରତର ରପ୍ତାନି ଦୃଶ୍ୟପଟକୁ ନେଇ ଚିନ୍ତା ପ୍ରକଟ  କରିଛି ମନ୍ତ୍ରାଳୟ । ନିଜର ଜୁନ୍‌ ମାସର ଅର୍ଥନୈତିକ  ସମୀକ୍ଷା ରିପୋର୍ଟରେ ମନ୍ତ୍ରାଳୟ କହିଛି ଯେ, ଯଦିଓ  ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିର ଅଭିବୃଦ୍ଧି ନେଇ ଗତି  କରୁଛି, ବିଶ୍ୱ ବଜାରରେ ଦେଖାଦେଇଥିବା ଆହ୍ୱାନ,  ବିଶେଷକରି ଟାରିଫ୍‌ ଯୋଗୁ ଆମେରିକାରେ ସମ୍ଭାବ୍ୟ  ମାନ୍ଦାବସ୍ଥା ଭାରତର ରପ୍ତାନି ଅଭିବୃଦ୍ଧିକୁ ପ୍ରଭାବିତ  କରିପାରେ । ମନ୍ତ୍ରାଳୟ ଆହୁରି ପ୍ରକାଶ କରିଛି ଯେ,  ୨୦୨୫ର ପ୍ରଥମ ତ୍ରୟମାସରେ ଆମେରିକା ଅର୍ଥନୀତି  ୦.୫% ଖସିଛି । ଏହା ବିଶ୍ୱ ବଜାରର ଚାହିଦାକୁ ନେଇ  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।