ନୂଆଦିଲ୍ଲୀ, ୧୪/୦୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ମହାନ କରିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି । ଏଥିପାଇଁ ସେ ଅନ୍ୟ ଦେଶଗୁଡ଼ିକ ଉପରେ ଅଧିକରୁ ଅଧିକ ଟାରିଫ୍ ଲଗାଇଛନ୍ତି । ଶୁଳ୍କ ଦ୍ୱାରା ସରକାରୀ ରାଜସ୍ୱ ବୃଦ୍ଧି ପାଇବ ଏବଂ ଲୋକମାନେ ଏହାର ଲାଭ ପାଇବେ । ମାତ୍ର ୟେଲ୍ ବିଶ୍ୱ ବିଦ୍ୟାଳୟର ରିପୋର୍ଟ ଭିନ୍ନ କଥା କହୁଛି । ରିପୋର୍ଟରେ କୁହାଯାଇଛି ଯେ, ଟ୍ରମ୍ପଙ୍କ ଏହି ଶୁଳ୍କ ପ୍ରାୟ ୯ଲକ୍ଷ ଆମେରିକୀୟଙ୍କୁ ଗରିବ କରିପାରେ । ୟେଲ୍ ସ୍ଥିତ ଦି ବଜେଟ୍ ଲ୍ୟାବ୍ ଏକ ରିପୋର୍ଟରେ କହିଛି ଯେ, ଟାରିଫ ବୃଦ୍ଧି ଯୋଗୁଁ ୨୦୨୬ ସୁଦ୍ଧା ଦାରିଦ୍ର୍ୟରେ ରହୁଥିବା ଆମେରିକୀୟଙ୍କ ସଂଖ୍ୟା ୮,୭୫,୦୦୦କୁ ବୃଦ୍ଧି ପାଇପାରେ ।
ଗ୍ଲୋବାଲ ରେଟିଂ ଏଜେନ୍ସି ଫିଚ୍, ଭାରତର GDP ଅଭିବୃଦ୍ଧି ୬.୫% ରୁ ୬.୯%କୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି । ଆମେରିକାର ଟାରିଫ୍ ଭାରତର ଅର୍ଥନୀତି ଉପରେ ଖୁବ୍ କମ୍ ପ୍ରଭାବ ପକାଇବ ବୋଲି ମଧ୍ୟ କହିଛି । ଏହାକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର ଶୁକ୍ରବାର କହିଛନ୍ତି ଯେ, ଆମେରିକା ଦ୍ୱାରା ଲାଗୁ ହୋଇଥିବା ଟାରିଫ ଭାରତକୁ ପ୍ରଭାବିତ କରିଛି । ଯାହା ଦ୍ୱାରା ଲୋକମାନେ ସେମାନଙ୍କ ଚାକିରି ହରାଉଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅସ୍ଥିର ସ୍ୱଭାବ ପ୍ରଦର୍ଶନ କରୁଛନ୍ତି ଏବଂ କୂଟନୈତିକ ଆଚରଣର ପାରମ୍ପରିକ ମାନଦଣ୍ଡକୁ ସମ୍ମାନ ଦିଅନ୍ତି ନାହିଁ ।
କହି ରଖୁଛୁ ଯେ, ଆମେରିକା ଭାରତରୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଛି। ଯେଉଁଥିରେ ରୁଷ୍ରୁ ତେଲ କିଣିବା ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ମଧ୍ୟ ଅନ୍ତର୍ଭୁକ୍ତ । ଶଶୀ ଥରୁର ଆହୁରି ମଧ୍ୟ କହିଛନ୍ତି ଯେ, ଭାରତକୁ ଶୁଳ୍କର ପ୍ରଭାବକୁ ହ୍ରାସ କରିବା ପାଇଁ ନିଜର ରପ୍ତାନି ବଜାରରେ ବିବିଧତା ଅଣିବାକୁ ପଡ଼ିବ । ସେ କହିଛନ୍ତି ଯେ, ସୁରଟରେ ଅଳଙ୍କାର ବ୍ୟବସାୟୀ, ସାମୁଦ୍ରିକ ଖାଦ୍ୟ ଏବଂ ଉତ୍ପାଦନ କ୍ଷେତ୍ରରେ ୧.୩୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି ।
ଭାରତର ରିୟଲଇଷ୍ଟେଟ୍ କ୍ଷେତ୍ରର ସର୍ବୋଚ୍ଚ ଶିଳ୍ପ ସଂସ୍ଥା CREDAI ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଭାରତ-ଆମେରିକା ସମ୍ପର୍କ ଏବଂ ଶୁଳ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶଶୀ ଥରୁର କହିଛନ୍ତି ଯେ, ‘ଟ୍ରମ୍ପ ଜଣେ ଅତ୍ୟନ୍ତ ଅସ୍ଥିର ବ୍ୟକ୍ତି, ଏବଂ ଆମେରିକାର ଶାସନ ବ୍ୟବସ୍ଥା ରାଷ୍ଟ୍ରପତିଙ୍କୁ ଅଧିକ କ୍ଷମତା ପ୍ରଦାନ କରେ ।’ ଲୋକସଭା ସଦସ୍ୟ କହିଛନ୍ତି ଯେ, ଟ୍ରମ୍ପଙ୍କ ପୂର୍ବରୁ ୪୪ କିମ୍ୱା ୪୫ ଜଣ ରାଷ୍ଟ୍ରପତି ହୋଇ ସାରିଛନ୍ତି । ହେଲେ ହ୍ୱାଇଟ୍ ହାଉସର ଏଭଳି ଆଚରଣ କେହି କେବେ ଦେଖି ନାହାନ୍ତି ।